ଓଡିଶା ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ ରକ୍ତଦାନ ଶିବିର
ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅଧୀନସ୍ଥ ବିଲେଇପଦା ଉଚ୍ଚ ବିଦ୍ୟାଳୟରେ ଓଡିଶା ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୋଡା ବ୍ଲକ ଛାତ୍ର ବିଜେଡି ସଭାପତି ଯୁଧିଷ୍ଟିର ପଲେଇଙ୍କ ନେତୃତ୍ଵରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଯୋଗ ଦେଇଥିଲେ । ଏହି ଶିବିରରେ ଓଡିଶା ମୋ ପରିବାର ସମ୍ପାଦକ ପ୍ରଦୀପ ସାହୁ ଉପସ୍ଥିତ ରହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ ବ୍ୟାଙ୍କର ଡାକ୍ତର ଚନ୍ଦନ କୁମାର ବାରିକ ପରିଚାଳନା କରିଥିଲେ । ରବିବାର ପୂର୍ବାହ୍ନ ୮ଟାରେ ରକ୍ତ ସଂଗ୍ରହ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଦେଓଝର,ବିରକଳା,ଅଂଶେଇକଳା,କଣ୍ଡରା ଓ ୫ଟି ପଞ୍ଚାୟତରେ ଗଢିଉଠିଥିବା ବିଜୁ ଜନତା ଦଳର ଯୁବ, ଛାତ୍ର ଓ ମହିଳା ପରି ବିଭିନ୍ନ ସଙ୍ଗଠନ ଗୁଡିକ ଭାଗ ନେଇ ରକ୍ତଦାନ କରିଥିଲେ । ଏତଦଭିନ୍ନ ସ୍ଥାନୀୟ କମ୍ପାନୀ ଗୁଡିକରେ କାର୍ୟ୍ୟ କରୁଥିବା ଶ୍ରମିକ ତଥା କର୍ମଚାରୀ ମାନେ ମଧ୍ୟ ଯୋଗଦେଇ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ । ଏହି ଶିବିରକୁ କେନ୍ଦୁଝର ବ୍ଲଡ ବ୍ୟାଙ୍କରୁ ଆଗତ ପ୍ରବୀଣ ଲାବୋରେଟରୀ ଟେକ୍ନିସିଆନ ଗୌରାଙ୍ଗ ଶଙ୍କର ମଲ୍ଲିକ,ଅନିଲ କୁମାର ପାତ୍ର,ଅକ୍ଷୟ କୁମାର ସାହୁ ପିଆରଓ ତଥା ସ୍ବାସ୍ଥ୍ୟ କର୍ମଚାରୀ ଭାବେ ତପନ କୁମାର ନାୟକ,ଦେବାଶିଷ ସାହୁ ଓ ଯତୀନ କୁମାର ସେଠୀ ଯୋଗ ଦେଇ କାର୍ୟ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିଥିଲେ । ଏହି ରକ୍ତଦାନ ଶିବିରରେ ୧୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ବିଜୁ ଜନତା ଦଳର କର୍ମୀ ତଥା ପୂର୍ବତନ ଦେଓଝର ସରପଞ୍ଚ ମଙ୍ଗଲ ମୁଣ୍ଡା,ଯୁବ ସଙ୍ଗଠକ ବାରିକ,ବିଜେଡି କର୍ମୀ ଅର୍ଜୁନ ମୁଣ୍ଡା,ରଣଜୀତ ବାରିକ, ଓ ରାଧାକାନ୍ତ ପଣ୍ଡା ସମେତ ଶତାଧିକ କର୍ମୀ ଯୋଗଦେଇ ଏହି ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରକୁ ସଫଳ କରିଥିବା ଦେଖାଯାଇଥିଲା ।