କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ମହାଦୁର୍ନୀତି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପେଡି ଖୋଲିବାରେ ଲାଗିଛି । ପ୍ରଥମେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ରାସ୍ତା ନିର୍ମାଣରେ ମହାଦୁର୍ନୀତି ଓ ଚାରା କିଣାରେ ଦୁର୍ନୀତି ଏବଂ ଗାନ୍ଧୀ ଭବନ ଉଦଘାଟନୀ ଉତ୍ସବ ପାଇଁ ଅର୍ଥ ବ୍ୟୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ପରେ ବିଶ୍ୱ ବ୍ୟାଙ୍କ ଅନୁଦାନରେ ୨କୋଟି ଟଙ୍କାର ବିଭିନ୍ନ ଉପକରଣ କିଣିବାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିବା ବେଳେ ଏବେ ଲାପଟପ କିଣାରେ ଦୁର୍ନୀତି ହୋଇଥିବା ନେଇ ଉଚ୍ଚଶିକ୍ଷା ବିଭାଗ ନିକଟରେ ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତିି । ଅଭିଯୋଗ ଅନୁଯାୟୀ ମହାବିଦ୍ୟାଳୟକୁ ନାକ ଟିମ ପରିଦର୍ଶନରେ ଆସିବାକୁ ଥିବା ବେଳେ ସେଥିନିମନ୍ତେ ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥି ନିମନ୍ତେ ଗଠିତ ପ୍ରସ୍ତୁତି ଟିମର ଅଧ୍ୟାପକଙ୍କ ନିମନ୍ତେ ଡେଲ କମ୍ପାନୀର ୮ଟି ଲାପଟପ ପ୍ରତ୍ୟେକ ୮୨ହଜାର ଟଙ୍କା ଲେଖାଏଁ ରେ କିଣାଯାଇଥିବା ଦର୍ଶାଯାଇଛି । ସେଥିମଧ୍ୟରୁ ଗୋଟିଏ ଲାପଟପ କଲେଜ କତ୍ତୃପକ୍ଷ ନେଇଯାଇଥିବା ବେଳେ ଅନ୍ୟ ୭ଟି ଲାପଟପକୁ ନାକ ପ୍ରସ୍ତୁତି ଟିମର ୭ଜଣ ଅଧ୍ୟାପକଙ୍କୁ କାମ କରିବା ପାଇଁ ପ୍ରଦାନ କରାଯାଇଛି । କିନ୍ତୁ ସେହି ଲାପଟପ ଗୁଡିକ ପ୍ରକୃତ ଡେଲ କମ୍ପାନୀର ନୁହେଁ ଓ ସେଗୁଡିକ ଆସେମ୍ବ୍ଲିଂ ସେଟ ବୋଲି ଅଭିଯୋଗ ହେଉଛି । କାରଣ ସେହି ଲାପଟପ ଗୁଡିକ ବ୍ୟବହାର ସମୟରେ ସେଗୁଡିକ ହ୍ୟାଙ୍ଗ ହୋଇଯାଉଛି ଏବଂ ସଠିକ ଭାବେ କାମ କରୁନଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯିବାକୁ ପୁରାତନ ଛାତ୍ରମାନେ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବଙ୍କ ନିକଟରେ ଦାବି କରିଛନ୍ତି । ଏତଦ୍ବ୍ୟତିତ ମହାବିଦ୍ୟାଳୟ ପକ୍ଷରୁ ଏକ କୋଟି ଟଙ୍କାର ବିଶ୍ୱବ୍ୟାଙ୍କ ଅନୁଦାନରେ କଲେଜର ଜିମନାସିୟମ ଓ ବିଭିନ୍ନ ବିଭାଗର ଲାବୋରଟୋରୀ ନିମନ୍ତେ ୨୦୨୧ମସିହାରେ ଇକ୍ୟୁପମେଣ୍ଟସ କିଣାଯାଇଥିବା ବେଳେ ସେହିସବୁ ଇକ୍ୟୁପମେଣ୍ଟସ ମଧ୍ୟରୁ ଅନେକ ନିମ୍ନମାନର ହୋଇଥିବା ବେଳେ ଆଉ କେତେକ ପୁରୁଣା ଜିନିଷ ହୋଇଥିବା ନେଇ ଅଭିଯୋଗ ହୋଇଛି । ନୂତନ ଇକ୍ୟୁପମେଣ୍ଟସ କିଣାଯାଇଥିବା ଦର୍ଶାଇ ବିଲ ପେମେଣ୍ଟ କରାଯାଇଥିବା ବେଳେ ପ୍ରକୃତରେ କଲେଜ କତ୍ତୃପକ୍ଷ ଦୁର୍ନୀତି କରି ଲକ୍ଷାଧିକ ଟଙ୍କା ତୋଷରପାତ କରିନେଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଜିନିଷ ଗୁଡିକ ଷ୍ଟକରେ ରଖିବା ପାଇଁ ଦାୟୀତ୍ୱରେ ଥିବା ସଂପୃକ୍ତ କର୍ମଚାରୀଙ୍କ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରାଗଲେ ଆହୁରି ଅନେକ ଲୁକ୍କାୟିତ ତଥ୍ୟ ଉନ୍ମୋଚିତ ହୋଇପାରିବ ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି । ଏସମସ୍ତ ଅଭିଯୋଗର ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବା ସହିତ ଦୁର୍ନୀତିରେ ସଂପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବଙ୍କ ନିକଟରେ ମହାବିଦ୍ୟାଳୟର ପୁରାତନ ଛାତ୍ର ପରମାନନ୍ଦ ମହାରଣା, ବାନାମ୍ବର ସାହୁ, ଦୈତାରୀ ସେଠୀ, ପ୍ରଦୀପ ସାହୁ, ବରଦାପ୍ରସନ୍ନ ମହାନ୍ତି, ମଳୟରଞ୍ଜନ ପରିଡା, ଶରତ ସିଂ, ଚିନ୍ମୟ ବଳ, ଅଭିନାଶ ମଲିକ, ସତ୍ୟରଞ୍ଜନ ସେନାପତି, ବିଶ୍ୱଜିତ ଦାସ, ମନୋରଞ୍ଜନ ପାତ୍ର ପ୍ରମୁଖ ଦାବି କରିଛନ୍ତି ।