ବୈତରଣୀ ନଦୀ ପୋଲ ଉପରେ ସ୍କର୍ପିଓ ଦୁର୍ଘଟଣା
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା ଦେଇଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଚଢେଇଭୋଳ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ପୂର୍ବାହ୍ନ ପ୍ରାୟ ସାଢେ଼ ଏଗାରଟା ସମୟରେ ମୁର୍ଗାପାଟ ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଥିବା ରୟାଲ ଢାବାରେ ନିଜ କାର୍ଯ୍ୟ ସାରି ନିଜ ଘର କୁଆଖିଆ ଗୋପିନାଥପୁରକୁ ଯାଉଥିବା ବେଳେ ଗୋଟିଏ ଟ୍ରକକୁ ସାଇଡ ଦେବାକୁ ଯାଇ ଭାରସାମ୍ୟ ହରାଇ ଏକ ସ୍କର୍ପିଓ ନମ୍ବର ଓଆର -୧୧ଜି-୮୩୮୬ ପୋଲର ବାଡ଼ରେ ବାଡ଼େଇ ହୋଇ ଯାଇଥିଲା। ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ଗାଡ଼ିର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ଭାଙ୍ଗି ରୁଜି ଯାଇଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ସ୍ଥଳରେ ଚଢେଇଭୋଳ ଫାଣ୍ଡି ଅଧିକାରୀ ସାଲଖାନ ହେମ୍ବ୍ରମ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତା ରେ ମୃତଦେହକୁ ଗାଡ଼ିରୁ ବାହାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ। ଏହି ଅଞ୍ଚଳକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଘୋଷଣା କରିବା ସହ ଟ୍ରାଫିକ ଏବଂ ହମ୍ପ୍ସ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଜନସାଧାରଣ ବାରମ୍ବାର ନିବେଦନ କଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ ହେଉନାହିଁ। ତେଣୁ ଘଟଣାସ୍ଥଳରେ ଲୋକମାନେ ଉତ୍ୟକ୍ତ ହୋଇ କିଛି ସମୟ ପାଇଁ ଉତ୍ତେଜିତ ହୋଇ ରାସ୍ତା ଅବରୋଧ କରିଥିଲେ। ତେବେ ଫାଣ୍ଡି ଅଧିକାରୀ ଶ୍ରୀ ହେମ୍ବ୍ରମ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୁ ଗାଡ଼ିକୁ ହଟାଇ ଗାଡ଼ି ଚଳାଚଳ ଆରମ୍ଭ କରିବା ପାଇଁ ଚେଷ୍ଟା କରିଥିଲେ।ତେବେ ମୃତ ବ୍ୟକ୍ତିଙ୍କ ଠିକଣା ଯାଜପୁର ଜିଲ୍ଲା କୁଆଖିଆ ଗୋପିନାଥପୁର ର ଜୁଲଫୁକର ଅଲ୍ଲୀ (୨୫) ପିତା ହୁସେନ ଅଲ୍ଲୀ ବୋଲି ସୂଚନା ମିଳିଛି ।