ରାହାଜାନୀ ମାମଲା ରେ ଅଭିଯୁକ୍ତ ଗିରଫ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ମାଣିକେଶ୍ବରୀ ମନ୍ଦିର ନିକଟରେ ଖଣ୍ଡା ଧରି ରାହାଜାନି ଚଳାଇ ଆସୁଥିବା ଜଣେ ଯୁବକ ଙ୍କୁ କେ. ନୂଆଗାଁ ପୋଲିସ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି।ଅଭିଯୁକ୍ତ ଜଣକ ହେଲେ ଜକର ପଞ୍ଚାୟତ ଚୈତନ୍ୟ ପ୍ରସାଦ ଗ୍ରାମର ପ୍ରଦୀପ କୁମାର ପ୍ରଧାନ ଓରଫ ବାପି।କେ. ନୂଆଗାଁ ଥାନା ମାମଲା ନଂ. ୩୫୨/୨୩ ଏବଂ ୩୬୧/୨୩ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ୧୨ ତାରିଖ ରାତି ପ୍ରାୟ ୮ଟା ସମୟରେ ଚୈତନ୍ୟ ପ୍ରସାଦ ଗ୍ରାମର ପ୍ରଶାନ୍ତ ପ୍ରଧାନ ତାଙ୍କ ମା’ଙ୍କୁ ଧରି ଏକ କାରରେ ବ୍ରହ୍ମପୁରରୁ ନିଜ ଘରକୁ ଫେରୁଥିଲେ।ଗ୍ରାମ ନିକଟ ମାଣିକେଶ୍ବରୀ ମନ୍ଦିର ନିକଟରେ ପ୍ରଦୀପ ଓରଫ ବାପି ହାତରେ ଖଣ୍ଡା ଧରି ପ୍ରଶାନ୍ତଙ୍କ କାରକୁ ଅଟକାଇ ଥିଲା।ପରେ ଗାଡିରୁ ବାହାରିବାକୁ କହି ପ୍ରଶାନ୍ତଙ୍କୁ ଆକ୍ରମଣ କରି ୨୦ ହଜାର ଟଙ୍କା ଲୁଟି ନେଇଥିଲେ।ଏ ସମ୍ପର୍କରେ ପ୍ରଶାନ୍ତ କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ।ସେହିଭଳି ଗତ ୧୫ ତାରିଖ ଠାରୁ ଅଭିଯୁକ୍ତ ପ୍ରଦୀପ ନିଶାଶକ୍ତ ଅବସ୍ଥାରେ ଘରେ ପହଞ୍ଚି ଗଣ୍ଡଗୋଳ କରୁଥିବା ଖୋଦ୍ ତାଙ୍କ ମା’ ନମିତା ପ୍ରଧାନ କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ।ଗତ ରବିବାର ଏବଂ ସୋମବାର ଦିନ ପ୍ରଦୀପ ତାଙ୍କ ସ୍ତ୍ରୀ ପିଙ୍କି ଏବଂ ମା’ ନମିତାଙ୍କୁ ମାଡ ମାରିବା ପରେ ମଙ୍ଗଳବାର ଉଭୟଙ୍କୁ ଘରୁ ଜୋର ଜବରଦସ୍ତ ବାହାର କରି ଦେଇଥିଲେ।ଉଭୟେ ବମକୋଇ ସ୍ବାସ୍ଥ୍ଯକେନ୍ଦ୍ରରେ ଚିକିତ୍ସିତ ହେବା ପରେ ନ୍ଯାୟ ପାଇଁ କେ. ନୂଆଗାଁ ପୋଲିସର ଦ୍ବାରସ୍ଥ ହୋଇଥିଲେ।୨ ଟି ମାମଲାରେ କେ. ନୂଆଗାଁ ପୋଲିସ ପକ୍ଷରୁ ପ୍ରଦୀପଙ୍କୁ ଗିରଫ କରାଯାଇ ବୁଧବାର ଦିଗପହଣ୍ଡି କୋର୍ଟରେ ହାଜର କରାଯାଇଥିଲା।


