କୁତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ସହ ସରକାରୀ ସହାୟତା ପାଇ ଖୁସିରେ ଦିନ କାଟୁଛନ୍ତି ବିନୋଦ ଗମାଙ୍ଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସରକାରଙ୍କ ସମସ୍ତ ସହାୟତା ସହ କୁତ୍ରିମ ଅଙ୍ଗ ପ୍ରତ୍ୟାରୋପଣ (ଫିଟମେଣ୍ଟ) କରି ଖୁସିରେ ଦିନ କାଟୁଛନ୍ତି ବିନୋଦ ଗମାଙ୍ଗ ନାମକ ଜଣେ ବ୍ୟକ୍ତି । ଶ୍ରୀ ଗମାଙ୍ଗ ଗୁମ୍ମା ବ୍ଲକ ଅଜୟଗଡ ପଞ୍ଚାୟତ ଅନ୍ତର୍ଗତ ବଣ୍ଟିଲୋଡା ଗ୍ରାମ ନିବାସୀ ଅଟନ୍ତି । ସେ ଜଣେ ୬୫ ପ୍ରତିଶତ ଭିନ୍ନକ୍ଷମ ବ୍ୟକ୍ତି ଥିବା ବେଳେ ଗତ ୧୦.୦୫.୨୦୨୩ ତାରିଖରେ ୫ଟି ସଚିବ ଗୁମ୍ମା ବ୍ଲକ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ କୁତ୍ରିମ ଅଙ୍ଗ ତଥା ଡାହାଣ ଗୋଡ ନିମନ୍ତେ ଆବେଦନ କରିଥିଲେ । ତାଙ୍କ ଆବେଦନ ପାଇବା ପରେ ଗଜପତି ଜିଲ୍ଲାପାଳଙ୍କ ଆଦେଶ ପ୍ରକାରେ ତାଙ୍କୁ ୨୫.୦୮.୨୦୨୩ ତାରିଖ ଦିନ ଭୁବନେଶ୍ବରସ୍ଥ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ତରଫରୁ ଅବସ୍ତାପିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରକୁ ପଠାଯାଇଥିଲା । ଗୁମ୍ମା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଗମାଙ୍ଗଙ୍କୁ ମାଗଣାରେ ସେଉ କେନ୍ଦ୍କୁ ସାଙ୍ଗରେ ନେଇ ଯାଇଥିଲେ । ସେହିଦିନ ହିଁ ବିନୋଦ ଗମାଙ୍ଗଙ୍କ ଗୋଡର ମାପ ନିଆଯାଇଥିଲା । ପୁଣି ଥରେ ଶ୍ରୀ ଗମାଙ୍ଗଙ୍କୁ ଆଗରୁ ପ୍ରସ୍ତୁତ ହୋଇ ରହିଥିବା କୁତ୍ରିମ ଅଙ୍ଗ (ଡାହାଣ ଗୋଡ)କୁ ଲଗେଇବା ତଥା ପ୍ରତ୍ୟାରୋପଣ କରିବା ନିମନ୍ତେ ୧୨.୦୯.୨୦୨୩ରେ ପୁଣି ଥରେ ଭୁବନେଶ୍ବର ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରକୁ ନିଆଯାଇ ପ୍ରତ୍ୟାରୋପଣ କରାଯାଇଥିଲା । ଏତଦ୍ ବ୍ୟତୀତ ଶ୍ରୀ ଗମାଙ୍ଗଙ୍କୁ ସରକାରଙ୍କ ଦ୍ବାରା ବିଭିନ୍ନ ସୁବିଧା ଯଥା ୟୁଡିଆଇଡି ଅକ୍ଷମତା ପ୍ରମାଣ ପତ୍ର, ପ୍ରତିମାସରେ ମଧୁବାବୁ ଦିବ୍ୟାଙ୍ଗ ଭତ୍ତା ଯୋଜନାରେ ସାତ ଶହ ଟଙ୍କା ପ୍ରାଦନ, ଚଳ ପ୍ରଚଳ ନିମନ୍ତେ ଟ୍ରାଇ ସାଇକେଲ ପ୍ରଦାନ, ତାଙ୍କ ପରିବାକୁ ଗ୍ରାମୀଣ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାବା, ତାଙ୍କ ପରିବାରବର୍ଗଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତିମାସରେ ୩୫ କେଜି ଚାଉଳ ପ୍ରଦାନ ସହ ସିଏମଆରଏଫରୁ ଗଜପତି ଜିଲ୍ଲାପାଳ ପାଞ୍ଚ ହଜାର ଟଙ୍କା ଆଦି ପ୍ରଦାନ କରାଯାଇଥିବାର ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ବିନୋଦ ଗମାଙ୍ଗ ଏବଂ ତାଙ୍କ ପରିବାର ସରକାର ଓ ଜିଲ୍ଲା ପ୍ରଶାସନର ଏହି ସବୁ ସହାୟତା ପାଇ ଏକ ଉନ୍ନତ ଜୀବନଯାପନ କରୁଥିବାର ଜଣାପଡିଛି ।


