ହାଟଡିହି ବ୍ଲକରେ କଳାକାର ଭତ୍ତାରେ କେଳେଙ୍କାରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ କଳାକାର ଭତ୍ତା ପ୍ରଦାନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଶ୍ରୀକାନ୍ତ ବେହେରା ନାମକ ଜଣେ କଳାକାର ଏନେଇ ହାଟଡିହି ବିଡିଓ, କେନ୍ଦୁଝର ଜିଲ୍ଲାପାଳ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖି ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ୨୦୨୧/୨୨ ବର୍ଷରେ ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପ୍ରଦାନ କରିବାକୁ ସରକାର ନିଷ୍ପତି ନେଇ ବ୍ଲକ କର୍ତ୍ତୁପକ୍ଷଙ୍କୁ କଳକାର ତାଲିକା ପ୍ରସ୍ତୁତ କରି ଅଡିସନ ମାଧ୍ୟମରେ କଳାକାର ଚୟନ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ହାଟଡିହି ବ୍ଲକରେ ଏହି ଚୟନ ପ୍ରକ୍ରୀୟା କରାଯାଇଥିଲା । ପୁରୁଷ କଳାକାର ମାନଙ୍କ ବୟସ ସର୍ବନିମ୍ନ ୫୦ ଓ ମହିଳା କଳାକାର ମାନଙ୍କ ବୟସ ସର୍ବନିମ୍ନ ୪୦ବର୍ଷ ରଖାଯାଇଥିଲା । ସେହିଅନୁସାରେ ହାଟଡିହି ବ୍ଲକର କଳାକାର ମାନେ ଆବେଦନ କରିଥିଲେ । ବାହାରିପୁର ଗ୍ରାମର ଶ୍ରୀକାନ୍ତ ବେହେରା ଜଣେ ପ୍ରମାଣପତ୍ର ଧାରୀ କଳାକାର ହୋଇଥିବାବେଳେ ସେ ମଧ୍ୟ କଳାକାର ଭତ୍ତା ପାଇଁ ଆବେଦନ କରିଥିଲେ । ଏପରିକି ଅଡିସନ ରେ ମଧ୍ୟ ତାଙ୍କୁ ଭଲ ମାର୍କ ଦିଆଯାଇଥିଲା । କିନ୍ତୁ ଭତ୍ତା ପ୍ରଦାନ ବେଳେକୁ ତାଙ୍କ ନାମକୁ ବାଦ ଦେଇଦିଆଗଲା । ଖାଲି ଶ୍ରୀକାନ୍ତ ନୁହଁନ୍ତି ବ୍ଲକରେ ଥିବା ଅନେକ ଯୋଗ୍ୟ କଳାକାରଙ୍କୁ ଭତ୍ତା ତାଲିକାରୁ ବାଦ ଦିଆଯାଇ ଅଣକଳାକାରଙ୍କୁ ଭତ୍ତା ପାଇଁ ଚୟନ କରାଯାଇ ଭତ୍ତା ଦିଆଗଲା । ଏହି ଅଣକଳାକାର ମାନେ ନିର୍ଦ୍ଦିଷ୍ଟ ଏକ ସଂଘ ନିକଟରୁ ଉକ୍ରୋଚ ଦେଇ ଜାଲିଆତି କଳାକାର ପ୍ରମାଣପତ୍ର ସଂଗ୍ରହ କରି ଭତ୍ତା ହାତେଇ ନେଇଛନ୍ତିବୋଲି ସେ ଅଭିଯୋଗ କରିଛନ୍ତି । ଅଣ ତାଲିମପ୍ରାପ୍ତ କଳାକାର ମାନଙ୍କୁ ନେଇ ସେମାନଙ୍କର ରେକର୍ଡପତ୍ର ତଦାରଖ ନକରି ସେମାନଙ୍କ ଯୋଗ୍ୟତା ନଥାଇ ମଧ୍ୟ ବ୍ଲକର କିଛି କର୍ମଚାରୀ ଓ କିଛି ଦଲାଲ ଏହାର ଫାଇଦା ଉଠାଇଛନ୍ତି । ଏ ସକ୍ରାନ୍ତରେ ସେ ସୁଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ ମଧ୍ୟ ସେ ମାଗିଥିବା ତଥ୍ୟ ଠିକ ଭାବେ ତଥ୍ୟ ଦିଆଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ୨୦୨୧/୨୨ରେ ୨୪୦ଜଣଙ୍କୁ କଳାକାର ଭତ୍ତା ଦିଆଯାଇଥିବାବେଳେ ଅଧିକାଶଂ କଳାକାରଙ୍କ ପ୍ରମାଣପତ୍ର ଜାଲିଆତି ହୋଇଥିବାରୁ ସେମାନଙ୍କ ପ୍ରମାଣପତ୍ର ଓ ଯୋଗ୍ୟତାକୁ ପୁନଃ ତଦନ୍ତ କରାଯାଉ ବୋଲି ସେ ନିବେଦନ କରିଛନ୍ତି । ଏପରିକି ଅନେକ ଲୋକ ବାର୍ଦ୍ଧକ୍ୟ ଭତ୍ତା ପାଉଥିବାବେଳେ କଳାକାର ଭତ୍ତା ହାତେଇ ନେବାରେ ସଫଳ ହୋଇ ଦୁଇ ଦୁଇଟି ଭତ୍ତା ପାଇ ଆସୁଛନ୍ତି । ତେଣୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି । ଏ ସମ୍ପର୍କରେ ବିଡିଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ରସିଭି କରିନଥିଲେ । ଏ ସମ୍ପର୍କରେ କଳା ଓ ସଂସ୍କୃତି ସଂଘର ଉପ ସଭାପତି ଦିବାକର ବାରିକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଅଭିଯୋଗର ସତ୍ୟତା ଥାଇପାରେ, ଯେ କେହି ବ୍ୟକ୍ତି ଆସି ୨୦ଟଙ୍କା ଦାଖଲ କରି ନାମ ପଞ୍ଜିକୃତ କରିଦେଇ ପାରୁଛନ୍ତି । କିନ୍ତୁ ଯେତେବେଳେ କଳାକାର ଭତ୍ତା ପାଇଁ ଚୟନ କରାଗଲା ସେତେବେଳେ ଆମକୁ କିଛି ପଚରା ଗଲା ନାହିଁ କି ଜିଲ୍ଲା ସଂସ୍କୃତି ସଂଘକୁ ମଧ୍ୟ ପଚରାଗଲା ନାହିଁ । ତେଣୁ ଭତ୍ତା ପାଉଥିବା କଳାକାର ମାନଙ୍କ ପ୍ରମାଣପତ୍ର ପୁନଃ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇ ପାରନ୍ତା ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ