କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଜିଲ୍ଲା କମିଟି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ବାଲେଶ୍ୱରରେ ପ୍ରତିଷ୍ଠା ପାଇଁ ସଂଗଠିତ ଉଦ୍ୟମ ଚଳାଇଥିବା କ୍ରିୟାନୁଷ୍ଠାନ ସମିତିର ଜିଲ୍ଲା କାର୍ଯ୍ୟକର୍ତ୍ତା ବୈଠକ ସୋମବାରଦିନ ତାରିଣୀ ନର୍ସିଂ ହୋମ୍ ନିକଟରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ. କେଶବ ଚରଣ ପଣ୍ଡାଙ୍‌କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ଅଭୟ ଚନ୍ଦ୍ର ମିଶ୍ର ଜିଲ୍ଲାର ସମସ୍ତ ବ୍ଲକ୍ ସ୍ତରରେ କୃଷକ ଓ ଏହି ଦାବିକୁ ସମର୍ଥନ କରୁଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ବୈଠକ ଓ କମିଟି ଗଠନ ହୋଇଥିବାର ଜଣାଇଥିଲେ । ଆସନ୍ତା ଅକ୍ଟୋବର ୮ ତାରିଖ ଦିନ ସୋର, ଖଇରା ଓ ସିମୁଳିଆ କମିଟିର ପ୍ରତିନିଧିମାନଙ୍କୁ ନେଇ ଏକ ମିଳିତ ବୈଠକ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ସାକ୍ଷାତ କରି ଜିଲ୍ଲାବାସୀଙ୍କର ଏହି ଦାବିପ୍ରତି ଅବଗତ କରାଇବା ସହ ଭୁବନେଶ୍ୱରରେ କୃଷି ମହାବିଦ୍ୟାଳୟର କୁଳପତିଙ୍କୁ ପ୍ରତିନିଧିମାନେ ସାକ୍ଷାତ କରିବେ । ଗତବର୍ଷଭଳି ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ମଣ୍ଡପମାନଙ୍କରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିକୁ ସମର୍ଥନ ଜଣାଇ ବ୍ୟାନାର ଟାଙ୍ଗିବା ପାଇଁ ଅନୁରୋଧ କରାଯାଇଛି । କୋଷାଧ୍ୟକ୍ଷ ଆୟବ୍ୟୟର ହିସାବ ଆଗତ କରିଥିଲେ । ସମିତିର ସଦସ୍ୟମାନେ ସେମାନଙ୍କର ଦେୟ ପ୍ରଦାନ କରିବାକୁ ବୈଠକରେ ନିବେଦନ କରାଯାଇଛି । ରାଜ୍ୟ ସରକାର ଜିଲ୍ଲାବାସୀଙ୍କ ବୃହତ୍ତର ସ୍ୱାର୍ଥଦୃଷ୍ଟିରୁ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଘୋଷଣା କରିବେ ବୋଲି ବୈଠକରେ ଆଶା ପ୍ରକାଶ ପାଇଛି । ନଚେତ୍ ଜିଲ୍ଲାବାସୀଙ୍କ ସମର୍ଥନରେ କ୍ରିୟାନୁଷ୍ଠାନ ସମିତି ଆସନ୍ତା ନୂତନ ବର୍ଷରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବ ବୋଲି ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ କରାଯାଇଛି ।ଏହି ବୈଠକରେ ସର୍ବଶ୍ରୀ ଅନନ୍ତ କୁମାର ଦତ୍ତ, ପ୍ରବୋଧ କୁମାର ପାତ୍ର, ଭାସ୍କର ଚନ୍ଦ୍ର ପାଢ଼ୀ, ଅନନ୍ତ ପଟ୍ଟନାୟକ, ହରନାରାୟଣ ମଢ଼ୁଆଳ, ନିରଞ୍ଜନ ପରିଡ଼ା, ଭୂପତି କୁମାର ପାତ୍ର, ଡ. କ୍ଷିତୀଶ୍ୱର ଦାସ, ଧୀରେନ୍ଦ୍ର ନାରାୟଣ ପ୍ରହରାଜ, କଲ୍ୟାଣୀ ନନ୍ଦ, ସରସ୍ୱତୀ ପଣ୍ଡା, ସଂଯୁକ୍ତା ବେହେରା ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୁରୁଷୋତ୍ତମ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ