ଦୁର୍ଗାପୂଜା ଶାନ୍ତିକମିଟିର ବିଶେଷ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସ୍ଥାନୀୟ ଟାଉନ୍ହଲ୍ ସ୍ଥିତ ନୃତ୍ୟ-ସଂଗୀତ-କଳା ମନ୍ଦିର ପ୍ରାଙ୍ଗଣରେ ବାଲେଶ୍ୱର ଦୁର୍ଗାମୂର୍ତ୍ତି ଭଷାଣୀ ଶାନ୍ତିପୂର୍ଣ୍ଣ ଭାବେ କରାଇବା ପାଇଁ ସମସ୍ତ ପୂଜା କମିଟିର ସଭାପତି/ସଂପାଦକ ଓ ସଭ୍ୟମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଭଷାଣୀ ସମୟରେ ପ୍ରଶାସନର ସ୍ୱେଚ୍ଛାଚାରିତା କାର୍ଯ୍ୟାନୁଷ୍ଠାନ ଓ କମିଟି ଭିତରେ ମନାନ୍ତରକୁ ସୁଚାରୁ ରୂପେ ସମାଧାନ କରିବା ପାଇଁ ଏକ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି କମିଟିର ନାମ ‘ବାଲେଶ୍ୱର ସିନେମା ଛକ ଦୁର୍ଗାପୂଜା ଶାନ୍ତି କମିଟି’ ରଖାଯାଇଥିଲା । ଉକ୍ତ କମିଟିର ୫ବର୍ଷିଆ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ଉକ୍ତ କମିଟିର ସଭାପତି ଭାବେ ଶ୍ରୀଯୁକ୍ତ ପଦ୍ମଲୋଚନ ଲେଙ୍କା, ଉପସଭାପତି ଛଚିନ୍ଦ୍ର ସାହୁ, ସୁବ୍ରତ କୁମାର ଦାସ- ସଂପାଦକ ଓ ରାମଚନ୍ଦ୍ର ନାଥଙ୍କୁ ଯୁଗ୍ମ ସଂପାଦକ ଏବଂ ସଭ୍ୟଭାବେ ହିମାଂଶୁ ଶେଖର ଦାସ, ଶ୍ରୀ ସୁଶାନ୍ତ କୁମାର ସାହୁ (କୁନା), ରାଜେଶ ସାହୁ, ରବିନାରାୟଣ କର, ନୱାଲ୍ ଅଗ୍ରୱାଲ୍, ବିକାଶ ପାତ୍ର, ସୁଶାନ୍ତ ସେଠୀ, ନରହରି ପାତ୍ର, ରବିନାରାୟଣ ମହାପାତ୍ରଙ୍କୁ ଚୟନ କରାଯାଇଥିଲା । ଉକ୍ତ କମିଟିର ଆବାହକ ନାରାୟଣ ଦତ୍ତଙ୍କୁ ମନୋନୀତ କରାଯାଇଥିଲା ।କମିଟିର ପ୍ରସ୍ତାବକ୍ରମେ ବିଗତ ୨ବର୍ଷ ଧରି ପ୍ରଶାସନ କମିଟିର ସଭ୍ୟମାନଙ୍କ ଉପରେ କରାଯାଇଥିôବା କପୋଳକଳ୍ପିତ କେଶ୍ ଉଠାଇବା ପାଇଁ ପ୍ରଶାସନକୁ ଅନୁରୋଧ କରାଯିବା ପାଇଁ ସ୍ଥିର ହୋଇଥିଲା । ଦ୍ୱିତୀୟରେ ମେଢ଼ ଭସାଣୀ ପାଇଁ କ୍ରମିକ ନମ୍ବର ସକାଳ ୮ଘଟିକା ଠାରୁ ଆରମ୍ଭ କରାଯିବା ପାଇଁ ଶାନ୍ତିକମିଟିରେ ଦାବି ରଖିବାପାଇଁ ପ୍ରସ୍ତାବ ରଖାଯାଇଥିଲା । ଏବଂ ସମସ୍ତ କମିଟିକୁ ଅବଗତ କରାଯାଇଥିଲା ଯେ ସେମାନେ ତାଙ୍କର ମେଢ଼ ରାସ୍ତାରେ ଛାଡ଼ି ପଳାଇଯାଉଥିବା ଯୋଗୁଁ ପଛ ମେଢ଼ ଆଗକୁ ଯିବାପାଇଁ ବାଧକ ସୃଷ୍ଟି ହେଉଥିବାରୁ କୌଣସି ମେଢ଼ ରାସ୍ତାରେ ଛାଡ଼ି ନ ଯିବାପାଇଁ ଅନୁରୋଧ କରାଯାଇଥିଲା । ପରବର୍ତ୍ତୀ ବୈଠକ ଆସନ୍ତା ରବିବାର ତା ୦୧-୧୦-୨୦୨୩ ସକାଳ ୯ ଘଟିକାରେ ସ୍ଥାନୀୟ ନୃତ୍ୟ ସଂଗୀତ କଳାମଣ୍ଡପ ଠାରେ ହେବାପାଇଁ ସ୍ଥିର କରାଯାଇଥିଲା ।