ନାଉଗାଁ ବ୍ଲକରେ ଉପସ୍ଥାନ କମ୍ ରୁ ୪୦ ଗୋଟି ବିଦ୍ୟାଳୟ ବନ୍ଦ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ୪୦ଗୋଟି ବିଦ୍ୟାଳୟ ବନ୍ଦ ହୋଇ ରହିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିୟମାନୁସାରେ ଯେଉଁ ବିଦ୍ୟାଳୟରେ ୨୦ରୁ କମ୍ ଉପସ୍ଥାନ ରହିଥିବ ସେହି ବିଦ୍ୟାଳୟକୁ ବନ୍ଦ କରାଯାଇ ନିକଟସ୍ଥ ସର୍ବାଧିକ ଉପସ୍ଥାନ ଥିବା ବିଦ୍ୟାଳୟରେ ମିଶ୍ରଣ କରାଯିବ । ସେହି ନିୟମ ଅଧାରରେ ବିଭାଗ ପକ୍ଷରୁ ୪୦ଗୋଟି ବିଦ୍ୟାଳୟକୁ ବନ୍ଦ କରାଯାଇ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ବ୍ଳକ ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଥିବା ଜଣାଯାଇଛି । କିନ୍ତୁ ବ୍ଳକ ପ୍ରଶାସନର ମନୋମୁଖୀ କାର୍ଯ୍ୟ ଯୋଗୁ ରକ୍ଷଣାବେକ୍ଷଣା ତ ଦୁରର କଥା ଅନେକ ବନ୍ଦ ହୋଇ ରହିଥିବା ବିଦ୍ୟାଳୟ ଗୃହ ଗୁଡିକ ଠିକାଦାରଙ୍କ କବଜାରେ ରହିଥିବା ବେଳେ ଅନେକ ବିଦ୍ୟାଳୟକୁ ଗ୍ରାମବାସୀମାନେ ବ୍ୟବହାର କରୁଥିବା ଜଣାଯାଇଛି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବିଦ୍ୟାଳୟ ପ୍ରକୋଷ୍ଠ ନିର୍ମାଣ କରାଯାଇଥିବା ବେଳେ ଅନେକ ବିଦ୍ୟାଳୟରେ ଝରକା, କବାଟ ଭାଙ୍ଗି ଉଡି ଯାଇଥିବା ଦେଖିବାକୁ ମିଳିଛି । ଏପରିକି ବିଦ୍ୟାଳୟରେ ଥିବା ଟେବୁଲ ଓ ଚେୟାର ମଧ୍ୟ ବିଦ୍ୟାଳୟ ଗୃହରେ ନଥିବା ଜଣାଯଇଛି । ଅରିଓଦା ପ୍ରାଥମିକ ବିଦ୍ୟାଳୟ, ଚାନ୍ଦପୁରା ପ୍ରାଥମିକ ବିଦ୍ୟାଳୟ ଆଦିରେ ଠିକାଦାରମାନେ ଶ୍ରମିକ ରଖି କାର୍ଯ୍ୟ କରୁଥିବା ବେଳେ ଅନେକ ବିଦ୍ୟାଳୟ ଧାନ ବେପାରୀଙ୍କ କବଜାରେ ରହିଛି । ତେଣୁ ଏହି ସବୁ ବିଦ୍ୟାଳୟରେ ଶ୍ରମିକମାନଙ୍କୁ ରଖିବା ପାଇଁ କିଏ ନିର୍ଦ୍ଦେଶ ଦେଇଛି ତା ତଦନ୍ତ ସାପେକ୍ଷ । ପ୍ରଶାସନର ଉକ୍ତ ବିଦ୍ୟାଳୟ ପ୍ରତି ଦୃଷ୍ଟି ପଡୁ ନଥିବାରୁ ଅନେକ ବିଦ୍ୟାଳୟ ଗାଁ ପିଲାମାନଙ୍କର ନିଶାର ଆଡ୍ଡାସ୍ଥଳି ମଧ୍ୟ ପାଲଟିଛି । ତେଣୁ ବନ୍ଦ ହୋଇ ରହିଥିବା ବିଦ୍ୟାଳୟ ଗୁଡିକୁ ତାଲା ପକାଇ ବନ୍ଦ କରାଯିବା ସହିତ ପ୍ରଶାସନ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ କରିବାକୁ ଅନେକ ବୁଦ୍ଧିଜୀବି ମତବ୍ୟକ୍ତ କରିଛନ୍ତି । ଏବିଷୟରେ ଭାରାପ୍ରାପ୍ତ ବିଡିଓ ଦେବେନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ବନ୍ଦ ହୋଇ ରହିଥିବା ବିଦ୍ୟାଳୟ ଗୁଡିକୁ ତଦାରଖ କରିବା ପାଇଁ ଜିପିଇଓଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । କେଉଁ କାରଣ ପାଇଁ ବାହାର ଲୋକ ରହୁଛନ୍ତି ପଚାରି ବୁଝୁଛି ବୋଲି କହିଥିଲେ । ଏସଂର୍ପକରେ ଜିପିଇଓ ଦିନେଶ ରାୟଙ୍କୁ ପଚାରିବାରୁ ବନ୍ଦ ହୋଇଥିବା ବିଦ୍ୟାଳୟ ଗୁଡିକୁ ଉକ୍ତ ପଂଚାୟତର ସରପଂଚ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ