ସକରାତ୍ମକ ଖବର ପରିବେଷଣର ଆବଶ୍ୟକତା ଶୀର୍ଷକ ଆଲୋଚନାଚକ୍ର
ଯାଜପୁର:ଗଣମାଧ୍ୟମ ପ୍ରତିନିଧିମାନେ ସମ୍ବାଦ ପରିବେଷଣ ସମୟରେ ସତ୍ୟତା ଓ ନିରପେକ୍ଷତା ଉପରେ ଅନୁଶୀଳନ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ସାଧାରଣଲୋକଙ୍କ ବିଶ୍ୱସନୀୟତା ବଜାୟ ରଖିବାରେ ସମର୍ଥ ହୋଇପାରିବେ । ସାଂପ୍ରତିକ ସମୟରେ ସକରାତ୍ମକ ଖବର ପରିବେଷଣର ଗୁରୁତ୍ୱ ବଢିଛି । ଏକ ନକରାତ୍ମକ ଘଟଣାକୁ ସକରାତ୍ମକ ଢଙ୍ଗରେ ପରିବେଷଣ କରିପାରିଲେ ଏହାର ଯଥେଷ୍ଟ ପ୍ରଭାବ ରହିବ ବୋଲି ଅତିଥିମାନେ ଏଠାରେ ମତବ୍ୟକ୍ତ କରିଛନ୍ତି । ଯାଜପୁର ଜିଲ୍ଲା କୁଆଖିଆସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ଭବନଠାରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ‘ସକରାତ୍ମକ ଖବର ପରିବେଷଣର ଆବଶ୍ୟକତା’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଘ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରକୁ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କୋରେଇ ବିଧାୟକ ଅଶୋକ କୁମାର ବଳ, ବରୀ ବିଧାୟିକା ସୁନନ୍ଦା ଦାସ, ଯାଜପୁର ଏସପି ଚରଣ ସିଂ ମୀନା, ବରିଷ୍ଠ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ବର୍ତମାନ ସମୟରେ ଏଭଳି ବିଷୟବସ୍ତୁର ଆଲୋଚନା ହେବା ପ୍ରାସଙ୍ଗିକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ବିସ୍ମୟ ବାଳକ ବିରଜା ଶଙ୍କର ପାଢି, ସାମ୍ବାଦିକ ବିଶ୍ୱଜିତ୍ ଦାସ, ସୁବାସ ଚନ୍ଦ୍ର ଧଳ, ଇନ୍ଦ୍ରମଣି ନାୟକ, ସନ୍ଦୀପ୍ତ ରାୟ, ପ୍ରିୟରଂଜନ କର ପ୍ରମୁଖଙ୍କୁ ଅତିଥିମାନେ ମାନପତ୍ର ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସାଧାରଣ ସଂପାଦକ ପୂର୍ଣ୍ଣଚନ୍ଦ୍ର ଶତପଥୀ ବିବରଣୀ ପାଠ କରିଥିବା ବେଳେ ସଂଗଠନ ସଂପାଦକ ଅମୂଲ୍ୟ ବରାଳ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ସରିତା ପୃଷ୍ଟି ସଭା ସଂଚାଳନା କରିଥିବା ବେଳେ ସାମ୍ବାଦିକ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଦେଇଥିଲେ । ଏହି ଆଲୋଚନାଚକ୍ରରେ ଯାଜପୁର ଜିଲ୍ଲା ସମେତ କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଆଦି ଜିଲ୍ଲାରୁ ଶତାଧିକ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ ।