କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା ପ୍ରତିରୋଧ ସଚେତନତା କର୍ମଶାଳା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶ ଶ୍ରୀ ଦେବଦତ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା ପ୍ରତିରୋଧ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂମ୍ମାନିତ ଅତିଥିରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ସିଭିଲ ଜଜ ସିନିଅର ଡିଭିଜନ ଶ୍ରୀମତୀ ସୋମାଲିମା ମିଶ୍ର, ଏସଡିଜେମ୍. ଶ୍ରୀ ଅମିତ କୁମାର, ଜେ.ମ୍.ଏଫ.ସି. ସନ୍ଧ୍ୟା ସୁଚରିତା, ତାଲୁକ କମିଟିର ସଦଶ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଯୌନ ନିର୍ଯାତନା ଅଧିନିୟମ (ପୋଷ୍କ ନିୟମ) ଉପରେ ଆଲୋକପାତ କରାଯାଇଥିଲା । ଏହା ଭାରତର ସମ୍ବିଧାନର ଧାରା ୧4 ଓ ୧୫ ଅନୁଯାୟୀ ମହିଳାଙ୍କ ସମାନତାର ମୌଳିକ ଅଧିକାର ଓ ଧାରା ୨୧ ଅନୁଯାୟୀ ସମ୍ମାନର ସହ ଜୀବନ ବଞ୍ଚିବାର ଅଧିକାରର ଉଲଂଘନକୁ ରୋକିଥାଏ । ଏହି ପୋଷ ଅଧିନିୟମ ଅନୁଯାୟୀ ପ୍ରତ୍ୟେକ ସରକାରୀ ଓ ବେସରକାରୀ ନିଯୁକ୍ତିଦାତା ନିଜ ଅନୁଷ୍ଠାନରେ ଅଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାର ଆଇନଗତ ଆବଶ୍ୟକତା ରହିଛି । ଏହି ନିୟମ ନିଶ୍ଚିତ କରିବା ଯେ ମହିଳାମାନେ ସର୍ବସଧାରଣ କିମ୍ବା ବେସରକାରୀ ସ୍ଥାନରେ ସମସ୍ତ କାର୍ଯ୍ୟାସ୍ଥାନରେ ଯୌନ ଉତ୍ପୀଡ଼ନରୁ ସୁରକ୍ଷିତ ରହିବେ । ଲିଙ୍ଗଗତ ସମାନତା, ଜୀବନ ଏବଂ କାର୍ଯ୍ୟକ୍ଷେତ୍ରରେ ସମାନତା ପାଇଁ ସେମାନଙ୍କର ଅଧିକାର ହାସଲ କରିବାରେ ଏହା ସହାୟକ ହେବ । କର୍ମକ୍ଷେତ୍ରରେ ନିରାପତ୍ତା ଭାବନା ମହିଳାଙ୍କ କାର୍ଯ୍ୟରେ ଅଂଶଗ୍ରହଣକୁ ଉନ୍ନତ କରିବ । ଫଳସ୍ୱରୂପ ସେମାନଙ୍କର ଅର୍ଥନୈତିକ ଶସକ୍ତିକରଣ ଏବଂ ଅଭିବୃଦ୍ଧି ହେବ, ଯାହାକି ଏକ ସୁସ୍ଥ ରାଷ୍ଟ୍ର ଗଠନରେ ସହାୟକ ହେବ ବୋଲି ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶ ଓ ଉପଜିଲ୍ଲାପାଳ ଏବଂ ସମସ୍ତ ଅତିଥିବୃନ୍ଦ ସେମାନଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଳକା ମଞ୍ଜରୀ ପଟ୍ଟନାୟକ ସଂଯୋଜନା କରିଥିଲେ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଗୌରୀ ଶଙ୍କର ଶତପଥୀ ପୋଷ ଆକ୍ଟ ଉପରେ ଆଧାରିତ ଭଞ୍ଜନଗର ଲିଗାଲ ସର୍ଭିସ କମିଟି ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ ଜଣେଇବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଖଣ୍ଡର ସିଡିପି.ଓମାନେ ତଥା ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଗଣ, ବାର୍ଡ ସେକ୍ରେଟାରୀ ପ୍ରକାଶ ଚନ୍ଦ୍ର ସାହୁ ଓ ସମସ୍ତ ସାମ୍ବାଦିକ ଗଣ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ