ପ୍ରଭାବୀ ରୂପାୟନ ନିମନ୍ତେ ପ୍ରମୁଖ ବିଷୟବସ୍ତୁକୁ ନେଇ ଅନୁଷ୍ଠିତ ହେବ ୭ଟି ୱେବିନାର

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଜି-୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମାର କାର୍ଯ୍ୟକାରିତାରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନୀତି ଆୟୋଗର ଉପାଧ୍ୟକ୍ଷ, ଜି-୨୦ ସେର୍ପା, ଜି-୨୦ ମୁଖ୍ୟ ସଂଯୋଜକ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଆର୍ଥିକ ବ୍ୟାପାର ବିଭାଗ (ଡିଇଏ) ଏବଂ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ବର୍ତ୍ତମାନ ଜାରି ରହିଥିବା ପ୍ରୟାସର ଅଂଶବିଶେଷ ସ୍ୱରୂପ ବିଭିନ୍ନ ଅଂଶୀଦାର ମନ୍ତ୍ରଣାଳୟ ନେତୃତ୍ୱରେ ସମସ୍ତ ସମ୍ପୃକ୍ତ ବିଭାଗକୁ ସାମିଲ କରି ସାତଟି ୱେବିନାର ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ୱେବିନାରଗୁଡ଼ିକ (୧) ସୁଦୃଢ଼, ଦୀର୍ଘସ୍ଥାୟୀ, ସନ୍ତୁଳିତ ଓ ସମାବେଶୀ ଅଭିବୃଦ୍ଧି, (୨) ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) (୩) ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି, (୪)ଏକବିଂଶ ଶତାବ୍ଦୀ ପାଇଁ ବହୁପକ୍ଷୀୟ ଅନୁଷ୍ଠାନ, (୫) ବୈଷୟିକ ପରିବର୍ତ୍ତନ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, (୬) ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଏବଂ (୭) ଆତଙ୍କବାଦ ଓ ବେଆଇନ ଅର୍ଥ କାରବାର ମୁକାବିଲା ବିଷୟ ଉପରେ ଆୟୋଜନ କରାଯିବ ।  ଏହାବ୍ୟତୀତ ନୂଆଦିଲ୍ଲୀ ନେତାଙ୍କ ଘୋଷଣାର ପ୍ରଭାବଶାଳୀ କାର୍ଯ୍ୟକାରିତା ସମ୍ପର୍କରେ କ୍ଷେତ୍ର ବିଶେଷଜ୍ଞଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ପାଇଁ ସାରା ଦେଶର ବିଭିନ୍ନ ବୁଦ୍ଧିଜୀବୀ ମଣ୍ଡଳୀ ବା ଥିଙ୍କ୍ ଟ୍ୟାଙ୍କଙ୍କୁ ସମ୍ପୃକ୍ତ କରିବା ପାଇଁ ଏକ ସେମିନାରର ଯୋଜନା କରାଯାଉଛି। ଏହି ଘୋଷଣାପତ୍ରର କାର୍ଯ୍ୟକାରିତାକୁ ନିୟମିତ ତଦାରଖ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଅନୁଧ୍ୟାନ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ ବୋଲି ପ୍ରମୁଖ ଶାସନ ସଚିବ କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଜି-୨୦ ଭର୍ଚୁଆଲ ବା ଆଭାସୀ ଶିଖର ସମ୍ମିଳନୀ ଆୟୋଜନ ଲାଗି ପ୍ରସ୍ତାବ ଦେଇଥିଲେ । ଏହି ଆଭାସୀ ଶିଖର ସମ୍ମିଳନୀ ଆୟୋଜନର ପ୍ରସ୍ତୁତି ଉପରେ ମଧ୍ୟ ପ୍ରମୁଖ ସଚିବ ଆଜିର ବୈଠକରେ ଆଲୋଚନା କରିଥିଲେ । ମୁଖ୍ୟ ଶିଖର ସମ୍ମିଳନୀ ପରେ ପ୍ରଥମ ଥର ପାଇଁ କୌଣସି ଦେଶ ଏଭଳି ଆଭାସୀ ଶିଖର ସମ୍ମିଳନୀ ଆୟୋଜନ କରିବେ, ତେଣୁ ସମସ୍ତ ସଦସ୍ୟ ରାଷ୍ଟ୍ର ଏବଂ ଅତିଥି ଦେଶମାନଙ୍କୁ ତୁରନ୍ତ ସୂଚନା ପ୍ରଦାନ ଉପରେ ପ୍ରମୁଖ ସଚିବ ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ବୈଦେଶିକ ସଚିବ ବିନୟ କ୍ୱାତ୍ରା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ଆସନ୍ତା ନଭେମ୍ବରରେ ହେବାକୁ ଥିବା ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ଜି-୨୦ ନେତାମାନଙ୍କ ଘୋଷଣାନାମାର ସଫଳ ରୂପାୟନ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଏବଂ ବିକାଶ ଓ କଲ୍ୟାଣ କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ସମର୍ପଣ ଉପରେ ବୈଠକରେ ଆଲୋକପାତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ