ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ପୂର୍ବତନ ଅଧ୍ୟକ୍ଷଙ୍କ ବିରୋଧରେ ତଦନ୍ତ ନିର୍ଦେଶ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ବିରୋଧରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଭାଗୀୟ ତଦନ୍ତ କରାଯିବାକୁ ନିର୍ଦେଶ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା କଲେଜ ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ସହକାରୀ ପ୍ରଫେସର ଡଃ. ପ୍ରଦୀପ୍ତ କୁମାର ଦାଶ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିକଟରେ କରିଥିବା ଅଭିଯୋଗକୁ ଭିତ୍ତି କରି ସ୍ୱତନ୍ତ୍ର ଶାସନ ସଚିବ ପ୍ରମୋଦ କୁମାର ମିଶ୍ର ଅଭିଯୋଗର ତଦନ୍ତ ପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ନିର୍ଦେଶକଙ୍କୁ ଏହି ନିର୍ଦେଶ ଦେଇଛନ୍ତି । ସହକାରୀ ପ୍ରଫେସର ଡଃ. ଦାଶଙ୍କ ଅଭିଯୋଗ ଅନୁଯାୟୀ ବର୍ତ୍ତମାନର କଲେଜ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ ନାମରେ ୬୭/୨୦୧୪ରେ ଏକ ଭିଜିଲାନ୍ସ ମାମଲା ବିଚାରାଧୀନ ଥିବା କଥା ତତ୍କାଳୀନ କଲେଜ ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ତ୍ରିପାଠୀ କଲେଜ ପରିଚାଳନା ପରିଷଦରେ କର୍ମଚାରୀ ପ୍ରତିନିଧି ଭାବେ ରଖାଯିବାକୁ କରିଥିବା ସୁପାରିଶରେ ଉଲ୍ଲେଖ କରିଥିଲେ । ଫଳରେ ଶ୍ରୀ ବେହେରା କଲେଜ ପରିଚାଳନା ପରିଷଦର ସଦସ୍ୟ ହୋଇପାରିନଥିଲେ । କିନ୍ତୁ ପୁନର୍ବାର କିପରି ଶ୍ରୀ ବେହେରାଙ୍କ ନାମରେ ଭିଜିଲାନ୍ସ ମାମଲା ବିଚାରାଧୀନ ଥିବା ସତ୍ୱେ ସମସ୍ତ ସରକାରୀ ଆଇନର ଉଲ୍ଲଙ୍ଘନ କରି ତାଙ୍କୁ କଲେଜ ଅଧ୍ୟକ୍ଷ କରାଯିବାକୁ ତତକାଳୀନ କଲେଜ ଅଧ୍ୟକ୍ଷ ଡଃ. ତ୍ରିପାଠୀ ତାଙ୍କ ନାମ ସୁପାରିଶ କଲେ । ଏଭଳି ବେନିୟମ କାର୍ଯ୍ୟ କରିବା ପଛରେ ପୂର୍ବତନ କଲେଜ ଅଧ୍ୟକ୍ଷ ଡଃ. ତ୍ରିପାଠୀଙ୍କ ମନ୍ଦ ଉଦେଶ୍ୟ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି । ଡଃ. ତ୍ରିପାଠୀ ଅବସର ନେବା ପୂର୍ବରୁ କଲେଜ ଅଧ୍ୟକ୍ଷ ପଦ ପାଇଁ ଗୋପାଳ ବେହେରାଙ୍କ ନାମ ସୁପାରିଶ କରିଥିବା ବେଳେ ସେଥିରେ ଶ୍ରୀ ବେହେରାଙ୍କ ନାମରେ ଭିଜିଲାନ୍ସ ମାମଲା ଥିବା କଥା ଉଲ୍ଲେଖ କରିନଥିଲେ ବୋଲି ଡଃ. ଦାସ ଅଭିଯୋଗ କରିଛନ୍ତି । ଏଥିସହିତ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡଃ. ତ୍ରପାଠୀଙ୍କ ନାମରେ ଅର୍ଥ ତୋଷରପାତକୁ ନେଇ ଉଚ୍ଚଶିକ୍ଷା ବିଭାଗରେ ଅନେକ ଗୁଡିଏ ଅଭିଯୋଗ ସେତେବେଳେ ହୋଇଥିଲା । ସେହି ଅନୁଯାୟୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅର୍ଡିଟ କରାଯାଇ ଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ବେଳେ ଡଃ. ତ୍ରିପାଠୀ ଶ୍ରୀ ବେହେରାଙ୍କୁ ଅନ୍ୟାୟୋଚିତ ଭାବରେ ଅଧ୍ୟକ୍ଷ ପଦରେ ବସାଇ ଦେଇ ତାଙ୍କ ଅବସରଗ୍ରହଣ ପରେ ବେଆଇନ ଭାବେ ନିଜର ଫାଇନାଲ ପେନସନ କରାଇ ନେବାକୁ ସମସ୍ତ ବ୍ୟବସ୍ଥା କରିଥିଲେ । କିନ୍ତୁ ଅଧ୍ୟାପକ ଡଃ. ଦାଶଙ୍କ ଅଭିଯୋଗ ପରେ ଡଃ. ତ୍ରିପାଠୀଙ୍କ ପେନସନ ପେପର ଙ୍କଟ୍ରୋଲର ଅଫ ଆକାଉଣ୍ଟସରୁ ଉଚ୍ଚ ଶିକ୍ଷା ବିଭାଗକୁ ଫେରି ଆସିଥିବା ସମ୍ପର୍କରେ ସେ ସୂଚନା ଅଧିକାର ଆଇନରେ ତଥ୍ୟ ହାସଲ କରିଥିବା କହିଛନ୍ତି । ତେଣୁ ଏସମସ୍ତ ଘଟଣାର ବିଧିବଦ୍ଧ ତଦନ୍ତ କରାଯିବାକୁ ଡଃ. ଦାଶ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତିକରି ଉଚ୍ଚଶିକ୍ଷା ବିଭାଗ ଘଟଣାର ତଦନ୍ତ ନିର୍ଦେଶ ଦେଇଥିବା ଜଣାପଡିଛି ।


