ପାଣ୍ଡିଆନ୍ଙ୍କ ୨୩ ବର୍ଷର ପ୍ରଶାସନିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ
ଭୁବନେଶ୍ବର, (ଯୁଗାବ୍ଦ ନ୍ୟୁଜ):ବରିଷ୍ଠ ଆଇଏଏସ୍ ଅଧିକାରୀ ଭି କାର୍ତ୍ତିକେୟ ପାଣ୍ଡିଆନ୍ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ଖବର ଆଜି ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି। ରାଜ୍ୟରେ ଦୁର୍ଗାପୂଜାର ମାହୋଲକୁ ଏହି ଖବର ବେଶ୍ ସରଗରମ କରିଛି। ପୂର୍ବରୁ ବିରୋଧୀ ଦଳଗୁଡ଼ିକ ବାରମ୍ବାର ଦାବି କରି ଆସୁଥିଲେ କି ଯଦି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତଗତ ସଚିବଙ୍କର ରାଜନୀତି କରିବାର ଅଛି ତେବେ ସେ ସରକାରୀ ଚାକିରିରୁ ଇସ୍ତଫା ଦେଇ ମଇଦାନକୁ ଆସନ୍ତୁ। କିନ୍ତୁ ଏହା ଯେ ଅକସ୍ମାତ ଘଟିବ ତାହା ଜନସାଧାରଣଙ୍କ କଳ୍ପନା ବାହାରେ ଥିଲା। ଏପରିକି ତଥ୍ୟାଭିଜ୍ଞ ମହଲ ମଧ୍ୟ ଏହି ଖବରକୁ ନେଇ ଚକିତ ହୋଇଛନ୍ତି। ଭି କେ ପାଣ୍ଡିଆନ୍ଙ୍କ ପରବର୍ତ୍ତୀ କାର୍ଯ୍ୟଧାରା କ’ଣ ରହିବ ତାହା ଆପାତତଃ ଜଣାଶୁଣା, ମାତ୍ର ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କର ୨୩ ବର୍ଷର କ୍ୟାରିୟରରେ ପୂଣ୍ଣଚ୍ଛେଦ ପଡ଼ିଯାଇଛି।ଶ୍ରୀ ପାଣ୍ଡିଆନ୍ଙ୍କ ସ୍ବେଚ୍ଛାକୃତ ଅବସରକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମଂଜୁର କରିବା ପରେ ତାଙ୍କର ୨୩ ବର୍ଷର ପ୍ରଶାସନିକ କ୍ୟାରିୟରରେ ଡୋରି ବନ୍ଧା ହୋଇଛି। ତାମିଲନାଡୁରେ ୧୯୭୪ ମେ’ ୨୯ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପାଣ୍ଡିଆନ୍ ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରୁ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ବିଷୟରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ପ୍ରଶାସନିକ ସେବାରେ କ୍ୟାରିୟର ଆରମ୍ଭ କରିଥିଲେ।ଶ୍ରୀ ପାଣ୍ଡିଆନ୍ ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ୨୦୦୦ ସେପ୍ଟେମ୍ବର ୭ରୁ ୨୦୦୨ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ତାଲିମ ନେଇଥିଲେ। ଆଇଏଏସ୍ ତାଲିମ ଶେଷ ହେଲା ପରେ ସେ ପ୍ରଥମେ କଳାହାଣ୍ଡିର ଧର୍ମଗଡ଼ରେ ଉପଜିଲ୍ଲାପାଳ ପଦବିରେ ନିଯୁକ୍ତ ହୋଇଥିଲେ। ସେ କଳାହାଣ୍ଡିରେ ୨୦୦୨ ଅଗଷ୍ଟ ୧ରୁ ୨୦୦୪ ଫେବ୍ରୁଆରି ୨୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୦୪ ମାର୍ଚ୍ଚ ୧ରୁ ଜୁନ୍ ୩୦ ଯାଏ ଓଡ଼ିଶା ନିର୍ବାଚନ ବିଭାଗରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଥିଲେ। ୨୦୦୪ ଜୁଲାଇ ୧ରୁ ୨୦୦୫ ଏପ୍ରିଲ ୩୦ ଯାଏଁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇଥିଲେ।୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ସେ ରାଜ୍ୟର ପ୍ରତି ଜିଲ୍ଲାକୁ ଗସ୍ତ କରିବା ସହ ଲୋକଙ୍କ ସମସ୍ୟାର ସମାଧାନ ଲାଗି ନିଜେ ସେମାନଙ୍କ ଗହଣକୁ ଯିବା ଘଟଣାକୁ ନେଇ ସେ ବିରୋଧୀ ଦଳର ସମାଲୋଚନାର ଶିକାର ହୋଇଥିଲେ। ଜନସାଧାରଣଙ୍କ ସୁଖଦୁଃଖ ବୁଝିବା ଲାଗି ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ସେ ପ୍ରତିଟି ସଭାରେ ବକ୍ତବ୍ୟ ରଖୁଥିଲେ। ମାତ୍ର ଏହା ଜଣେ ପ୍ରଶାସନିକ ଅଧିକାରୀ ପକ୍ଷରେ କେତେ ଯଥାର୍ଥ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ଆଜି ସେ ଯଦି ପ୍ରତ୍ୟକ୍ଷ ରାଜନୀତିକୁ ଆସନ୍ତି ତେବେ ଏସବୁ ପ୍ରଶ୍ନ ଆଉ ଉଠିବ ନାହିଁ। କାରଣ ତାଙ୍କର ପ୍ରଶାସନିକ ଅଧିକାରୀର କ୍ୟାରିୟରକୁ ସେ ସମାପ୍ତ କରିଛନ୍ତି।ସେହିପରି ଶ୍ରୀ ପାଣ୍ଡିଆନଙ୍କୁ ୨୦୦୫ ମେ’ ୧ରୁ ୨୦୦୭ ଏପ୍ରିଲ ୮ ଯାଏଁ ମୟୂରଭଂଜ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ସେ ଗଂଜାମ ଜିଲ୍ଲାପାଳ ଭାବେ ୨୦୦୯ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ କାମ କରିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିବା ପରେ ୨୦୧୧ ମେ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ। ଏହି ପଦବିରେ ଥିବା ସମୟରେ ତାଙ୍କର କ୍ଷମତା କ୍ରମଶଃ ବୃଦ୍ଧି ହୋଇଥିଲା ଓ କାର୍ଯ୍ୟ ପରିସର ବ୍ୟାପକ ହୋଇଥିଲା। ଏହାପରେ ୨୦୧୯ ମସିହାରେ ତାଙ୍କୁ ୫-ଟି ସଚିବ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲେ। ଏହାପରେ ସେ ଆହୁରି ଅଧିକ କ୍ଷମତାଶାଳୀ ହୋଇଉଠିଲେ। ଏଥିସହ ସେ ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଗଣିତ ହେଲେ।


