ଗଣମାଧ୍ୟମ ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି
ଜାମ୍ମୁକାଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଟିଭି ନ୍ୟୁଜ୍ ଚ୍ୟାନେଲରେ ଖବର ପରିବେଷଣ ନେଇ ଭାରତ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ଏହି ଘଟଣା ସମ୍ପର୍କୀତ ସମ୍ବାଦ ଉପରେ ସତର୍କତାର ସହ ଖବର ପରିବେଷଣ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ବିଷୟବସ୍ତୁ ଚୟନ ଦିଗରେ ମଧ୍ୟ ଚ୍ୟାନେଲ କର୍ତ୍ତୃପକ୍ଷ ବିଶେଷ ଭାବେ ଧ୍ୟାନ ଦେବାକୁ କୁହାଯାଇଛି । ଅନ୍ୟ ପରାମର୍ଶଗୁଡିକ ମଧ୍ୟରେ ହିଂସାକୁ ପ୍ରୋତ୍ସାହିତ କରିବା କିମ୍ବା ଉସୁକାଇବା ସମ୍ଭାବନା ଥିବା ବିଷୟ ପ୍ରସାରଣ ନକରିବା ଦିଗରେ ମଧ୍ୟ ଚ୍ୟାନେଲ କର୍ତ୍ତୃପକ୍ଷ ସତର୍କ ରହିବେ ବୋଲି ଏଥିରେ କୁହାଯାଇଛି । ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁନଥିବା, ଆଇନ୍ ଶୃଙ୍ଖଳା ବ୍ୟବସ୍ଥାର ଉଲ୍ଲଂଘନ କରୁନଥିବା ଭଳି ସମ୍ବାଦ ପରିବେଷଣ କରିବାକୁ ଚ୍ୟାନେଲଗୁଡିକୁ ପରାମର୍ଶ ଦିଆଯାଇଛି । ଏଥିସହ ଭିନ୍ନଭିନ୍ନ ସମୟରେ ଜାରି କରାଯାଉଥିବା ମାର୍ଗଦର୍ଶିକା ଅନୁସାରେ ଖବର ପରିବେଷଣ କରିବା ପାଇଁ ସରକାର ସମସ୍ତ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲକୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏପ୍ରକାର ପରିସ୍ଥିତିରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ଚ୍ୟାନେଲଗୁଡିକ ପାଇଁ କେବଳ ଟେଲିଭିଜନ ନେଟୱାର୍କ (ନିୟନ୍ତ୍ରଣ) ଅଧିନିୟମ ୧୯୯୫କୁ ପାଳନପୂର୍ବକ ବିଷୟବସ୍ତୁ ସ୍ଥିର କରିବା ଏବଂ ସମ୍ବାଦ ପରିବେଷଣ କରିବାକୁ ମାର୍ଗଦର୍ଶିକା ଜାରି କରାଯାଇଥାଏ ।