ଜେଏମଆଇ ଛାତ୍ରଙ୍କୁ ପୋଲିସ୍ର ଗୁଳିଚାଳନା ବିରୁଦ୍ଧରେ ବିକ୍ଷୋଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଜନସ୍ୱାର୍ଥ ବିରୋଧୀ ନାଗରିକତା ସଂଶୋଧନ ଆଇନ୍ ୨୦୧୯ ଏବଂ ଏନ.ଆର.ସି. ବିରୁଦ୍ଧରେ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗତକାଲି ପ୍ରତିବାଦ କରୁଥିବା ବେଳେ ପୋଲିିସ୍ ବର୍ବର ଭାବେ ଗୁଳିଚାଳନା କରିବା ଘଟଣାରେ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର ଭାବେ ଆହତ ହେବା, ଛାତ୍ରଛାତ୍ରୀମାନଙ୍କୁ ପୁରୁଷ ପୋଲିସ୍ର ଦୁର୍ବ୍ୟବହାର କରିବା, କ୍ୟାମ୍ପସ ପରିସରରେ ପୋଲିସ୍ ଅଧ୍ୟାପକ, ଷ୍ଟାଫ ଓ ଲାଇବ୍ରେରୀରେ ଅଧ୍ୟୟନ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିବା ଘଟଣା ବିରୁଦ୍ଧରେ ତଥା ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ପୋଲିସ୍ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଏ.ଆଇ.ଡ଼ି.ଏସ୍.ଓ. ଭୁବନେଶ୍ୱର ସିଟି କମିଟି ତରଫରୁ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ଧର୍ମର ଆଧାରରେ ପ୍ରଣିତ ସିଟିଜେନ୍ସ ଆମେଣ୍ଡମେଣ୍ଟ ଆକ୍ଟ ୨୦୧୯ ଓ ଏନ୍.ଆର.ସି. ବାତିଲ୍ କରିବା ତଥା ଜନସାଧାରଣଙ୍କ ଐକ୍ୟକୁ ନଷ୍ଟ କରିବା ପାଇଁ ବିଭେଜନକାରୀ ନୀତି ପ୍ରତ୍ୟାହାର କରିବାକୁ ସଂଗଠନ ତରଫରୁ ଦାବି କରାଯାଇଛି । ଏହି ବିକ୍ଷୋଭରେ ଏ.ଆଇ.ଡ଼ି.ଏସ୍.ଓ. ସିଟି କମି୍ଟି ସଭାପତି ନସିମ ସରକାର, ସମ୍ପାଦକ ସ୍ୱସ୍ତିସଙ୍ଗୀତା ଦଳାଇ, ରେଖା ଦଣ୍ଡପାଟ, ପଲ୍ଳୀ ମଲ୍ଲିକ, ମନୋଜ ପାତ୍ର ଓ ସଂଗଠନ ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ପ୍ରମୁଖ ପ୍ରତିବାଦ କରି ବକ୍ତବ୍ୟ ପ୍ରଦାନ କରିଥିଲ ।