ଦୁର୍ନୀତିକୁ ବିରୋଧ କରିବାରୁ କେନ୍ଦ୍ରାପଡା କଲେଜ ପ୍ରାଧ୍ୟାପକଙ୍କୁ ବଦଳି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଚାଲିଥିବା କୋଟି କୋଟି ଟଙ୍କାର ମହାଦୁର୍ନୀତିକୁ ବିରୋଧ କରିବାରୁ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡଃ. ସଞ୍ଜୀବ କୁମାର ମହାନ୍ତିଙ୍କୁ ଜଗତସିଂହପୁର ଜିଲ୍ଲାର ରାହାମାସ୍ଥିତ ଶାରଳା ଡିଗ୍ରୀ ମହାବିଦ୍ୟାଳୟକୁ ବଦଳି କରିଦିଆଯାଇଛି । ପ୍ରାଧ୍ୟାପକ ଡଃ. ମହାନ୍ତି ମହାବିଦ୍ୟାଳୟ ପରିଚାଳନା ପରିଷଦରେ ଶିକ୍ଷକ ପ୍ରତିନିଧି ଭାବେ ରହିଥିବା ବେଳେ ସେ ମହାବିଦ୍ୟାଳୟରେ ହେଉଥିବା ବିଭିନ୍ନ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ସହିତ ପରିଚାଳନା ପରିଷଦ ବୈଠକରେ ଦୁର୍ନୀତିକୁ ବିରୋଧ କରି ସେସବୁର ତଦନ୍ତ କରାଯିବାକୁ ପରିଷଦ ନିକଟରେ ଦାବି କରିଥାନ୍ତି । ଏତଦଭିନ୍ନ ଚଳିତମାସ ୩୦ତାରିଖରେ ବର୍ତ୍ତମାନର ଭାରପ୍ରାପ୍ତ କଲେଜ ଅଧ୍ୟକ୍ଷ ଅବସରଗ୍ରହଣ କରୁଥିବାରୁ ବରିଷ୍ଠତା ଭିତ୍ତିରେ ପରବର୍ତ୍ତି ବରିଷ୍ଠ ପ୍ରାଧ୍ୟାପକ ଭାବେ ଶ୍ରୀ ମହାନ୍ତି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟୀତ୍ୱ ନେଇଥାନ୍ତେ । ଦୁର୍ନୀତିକୁ ବିରୋଧ କରୁଥିବାରୁ ଏବଂ ତାଙ୍କ ପାଖରେ ଅନେକ ଗୁଡିଏ ଦୁର୍ନୀତିର ପ୍ରମାଣ ରହିଥିବାରୁ ଶ୍ରୀ ମହାନ୍ତିଙ୍କୁ କଲେଜର ଅଧ୍ୟକ୍ଷ ଭାବେ ଦାୟୀତ୍ୱ ଦେଲେ ପରବର୍ତ୍ତି ସମୟରେ ସେ ହୁଏତ କଲେଜ ମହାଦୁର୍ନୀତିର ତଦନ୍ତ କରାଇ ପାରନ୍ତି କିମ୍ବା ଉଚ୍ଚଶିକ୍ଷା ବିଭାଗକୁ ସେସବୁ ଦୁର୍ନୀତିର ତଦନ୍ତ ପାଇଁ ପତ୍ର ଲେଖିପାରନ୍ତି । ତେଣୁ ଶ୍ରୀ ମହାନ୍ତିଙ୍କୁ ୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇ ବଦଳି କରିଦିଆଯାଇଥିବା କଲେଜର ପୁରାତନ ଛାତ୍ର ପରମାନନ୍ଦ ମହାରଣା, ବାନାମ୍ବର ସାହୁ, ଦୈତାରୀ ସେଠୀ, ପ୍ରଦିପ ସାହୁ, ପ୍ରତାପ ମହାନ୍ତି, ବିଶ୍ୱଜିତ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି । କଲେଜରେ ହୋଇଥିବା ମହାଦୁର୍ନୀତିକୁ ଚାପିଦେବାକୁ ଏଭଳି ପ୍ରୟାସ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ଡଃ. ମହାନ୍ତିଙ୍କ ବଦଳି ସମ୍ପର୍କିତ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶନାମା ଗତକାଲି ଅର୍ଥାତ ୪ତାରିଖରେ ପ୍ରକାଶ ପାଇଥିବା ବେଳେ ତାଙ୍କୁ ଗତକାଲି ହିଁ ଭାରମୁକ୍ତ କରିଦିଆଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କେନ୍ଦ୍ରାପଡା କଲେଜରେ ୨୦ବର୍ଷରୁ ଅଧିକ କାଳ ରହିଥିବା ବହୁ ଅଧ୍ୟାପକ ଥିବା ବେଳେ ଆଇନ ଅନୁଯାୟୀ ସେମାନଙ୍କୁ ବଦଳି କରାନଯାଇ ପ୍ରାଧ୍ୟାପକ ଡଃ. ମହାନ୍ତି ଏହି କଲେଜରେ ମାତ୍ର ୨ବର୍ଷ ଚାକିରୀକାଳ ଶେଷ କରିଥିବା ବେଳେ କାହା ସ୍ୱାର୍ଥରେ ତାଙ୍କୁ ଏଠାରୁ ବଦଳି କରିଦିଆଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଚ୍ଚଶିକ୍ଷା ବିଭାଗ ଏସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ କଲେଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ପୁରାତନ ଛାତ୍ରମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ