ଗଜପତିରେ ଆମ ଓଡିଶା ନବୀନ ଓଡିଶା ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ଗଜପତି ଜିଲ୍ଲାକୁ ୭୪.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି, ଅନେକ ମଠ, ମନ୍ଦିର, ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ କ୍ଷେତ୍ର, ସେତୁ, ସଡକ, ମହିମା ପୀଠ ସାମିଲ ହୋଇଛି । ଜିଲ୍ଲା ସମସ୍ତ ସାତ ଗୋଟି ବ୍ଲକର ୧୪୯ ଗୋଟି ପଞ୍ଚାୟତକୁ ଅନ୍ତର୍ଭୁକ୍ତ ହୋଇଛି । ସାତ ଗୋଟି ବ୍ଲକ ସଦର ମହକୁମା ଠାରେ ବିପୁଳ ଜନସମାଗମ, ଲୋକଙ୍କ ମଧ୍ୟରେ ଭରପୁର ଉତ୍ସାହ ଦେଖିବାକୁ ମିଳିଥିଲା । ମୋହନାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉପସ୍ଥିତ ରହି ପ୍ରତିନିଧିତ୍ବ କରିଥିଲେ । ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଆଗରୁ କେବେ ଏତେ ପ୍ରକଳ୍ପ, ଏତେ ଶୀଘ୍ର ଆସି ନଥିଲା । ଏହି ପ୍ରକଳ୍ପ ଗୁଡିକ ବିଶେଷ କରି ଅପହଞ୍ଚ ଇଲାକାରେ ଆସି ଆଜି ପହଞ୍ଚିଛି ବିକାଶ । ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୧ତମ ଦିନରେ ଆଜି ଗଜପତି ଜିଲ୍ଲା ସମେତ କନ୍ଧମାଳ ଓ ଅନୁଗୋଳ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ଗଜପତି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି ୭୪.୫୦ କୋଟି ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ମୋହନା ଓ ପାରଳାଖେମୁଣ୍ଡି । ଏହିସବୁ ନିର୍ବାଚନମଣ୍ଡଳୀର ୭ଟି ବ୍ଲକ୍ର ୧୪୯ଟି ଗ୍ରାମ ପଞ୍ଚାୟତରେ ୧୬୬୨ଟି ପ୍ରକଳ୍ପ ହେବ । ଗଜପତି ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ସଂସ୍କୃତି ସହିତ ଆଧୁନିକତାର ସମନ୍ଵୟ ହିଁ ବିକାଶର ଆଦର୍ଶ ମାର୍ଗ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ସେ ପୁଣି କହିଲେ ଯେ ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା। ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ। ୱର୍କ୍ସ ହବ୍ (ୱର୍କ୍ସ ହୂବ ) ହେବ । ବ୍ୟାଙ୍କିଙ୍ଗ ସୁବିଧା ମିଳିବ । ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ସ୍କୁଲ ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ । ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ । ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ଏବେ ଓଡିଶାରେ ଗାଁ ଲୋକମାନେ ବିକାଶର ପ୍ରକୃତ ଭାଗିଦାର ହୋଇଛନ୍ତି। ସେମାନଙ୍କ ଦାବୀ, ସେମାନଙ୍କ ଅନୁରୋଧ ଅନୁଯାୟୀ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଅନୁମୋଦନ କରିଛନ୍ତି। ଆମେ ସମସ୍ତେ ମିଶି ଗାଁର ବିକାଶ କରିବୁ, ଭଲ କାମ କରିବୁ, ଶୀଘ୍ର କରିବୁ ଓ ସ୍ୱଚ୍ଛତାର ସହ କରିବୁ । ସେ ପୁଣି କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି । ଏଥିରେ ସେ ମା’ମାନଙ୍କ ପାଇଁ ୫ଟି ଉପହାର ଦେଇଛନ୍ତି। ୫ ଟଙ୍କାରେ ଆହାର, ୫ ଟଙ୍କାରେ ଲକ୍ଷ୍ମୀ ବସ, ମମତାରେ ୫ ହଜାର ଟଙ୍କା, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ, ମା’ ମାନଙ୍କ ପାଇଁ ଆଉ ୫ ଲକ୍ଷ ଟଙ୍କା ଦିଆଯାଉଛି ବୋଲି ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ । ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଗଜପତି ଜିଲ୍ଲାଗସ୍ତ ପରେ ମୋହନା ନିର୍ବାଚନ ମଣ୍ଡଳୀରେ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୫.୨୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ରହିଛି ଛେଳିଗଡ ଜଳସେଚନ ପ୍ରକଳ୍ପର ପାରିପାର୍ଶ୍ୱିକ ଉନ୍ନତିକରଣ । ଏଥିପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରେ ଫଳ ଓ ପନିପରିବା ପ୍ରକ୍ରିୟାକରଣ ୟୁନିଟ, ଟ୍ରାଇବଲ ପାର୍କ (ତ୍ରିବାଲ ପାର୍କ ), ଗ୍ରାମାଞ୍ଚଳ ବଜାର କେନ୍ଦ୍ର, ପର୍ଯ୍ୟଟନ ପ୍ରକଳ୍ପ, ଲିଙ୍ଗୋଦରା ଶିବ ମନ୍ଦିର ଉନ୍ନତିକରଣ, ୫ଟି ଲାଇବ୍ରେରୀ, କପିଳେଶ୍ୱର ଶିବ ମନ୍ଦିର ଓ ଛେଳିଗଡ ଶିବ ମନ୍ଦିର ପରିସର ଉନ୍ନତିକରଣ ଇତ୍ୟାଦି । ଜିରାଙ୍ଗ ବୌଦ୍ଧ ପୀଠ ପାଇଁ ୨.୬୮ କୋଟି ଟଙ୍କା, ମାଙ୍କଡଡିଆଁ ଜଳପ୍ରପାତ ପର୍ଯ୍ୟଟନ କ୍ଷେତ୍ର ସମେତ ୭ଟି ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ ସାମିଲ ହୋଇଛି। ଏହ ଦ୍ୱାରା ପର୍ଯ୍ୟଟନ ଶିଳ୍ପର ବ୍ୟାପକ ପ୍ରସାର ହେବ। ନୂଆଗଡରେ ୩ଟି ଏସଟି ହୋଷ୍ଟେଲ ଓ ୨ଟି ଏସଟି ଗାର୍ଲ ହୋଷ୍ଟେଲ ପାଇଁ ୧୮ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ପ୍ରକଳ୍ପ ସାମିଲ ହୋଇଛି । ସେହିପରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭୮.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ଗୁମ୍ମାଠାରେ ଏକ ନୂଆ ସରକାରୀ ଡିଗ୍ରୀ କଲେଜ ଓ ଗୁମା ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ଉନ୍ନିତ କରିବା ପାଇଁ ଅନୁମୋଦନ କରାଯାଇଛି। ପାରଳାଖେମୁଣ୍ଡି ବାଇପାସ୍ ରୋଡ ପାଇଁ ୫୪ କୋଟି ଟଙ୍କା ମଞ୍ଜୁର ହୋଇଛି। ୩ଟି ପୁଷ୍କରିଣୀର ଉନ୍ନତିକରଣ, ଜିଲ୍ଲା ସଂସ୍କୃତି ଭବନର ଉନ୍ନତିକରଣ, ଟାଉନ୍ ହଲ୍ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ ଓ ସ୍କଲ କଲେଜର ଉନ୍ନତିକରଣ ରହିଛି । ଏହିପରି ଗଜପତି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୪.୦୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ । ଏହି ଆଭାସୀ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସ୍ବାତୀ ଏସ୍ କୁମାର ପ୍ରମୁଖଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ ସମସ୍ତ ବ୍ଲକ ସଦର ମହକୁମା ଠାରେ ବ୍ଲକ ଅଧ୍ୟକ୍ଷ / ଅଧ୍ୟକ୍ଷା ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।