ପୁଣି ଗଜପତିରେ ଦାଦନ ଯାତନା:. ଗୋଆରେ ୪ ମହଲା କୋଠାରୁ ଖସିପଡ଼ି ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ପୁଣି ଦାଦନଙ୍କ ଯାତନା ଦୃଷ୍ଟିକୁ ଆସିଛି. ପେଟପାଟଣା ପାଇଁ ନିଜ ଭିଟାମାଟିକୁ ଛାଡି ଗୋଆରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଗଜପତିର ଶ୍ରମିକ ୪ ମହଲା କୋଠା ଉପରୁ ଖସିପଡ଼ି ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗୋଆରେ। ଘଟଣାରୁ ପ୍ରକାଶ ଏହି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ବଡ଼ସିନ୍ଧବା ପଞ୍ଚାୟତ ଜାମଢ଼ିଅ ଗ୍ରାମ କୋନାଳ ସାହିର ତରଙ୍ଗା ଦଳବେହେରାଙ୍କ ପୁଅ ଗଣେଶ ଦଳବେହେରା(୩୨) ତିନି ମାସ ପୂର୍ବେ ଦାଦନ ଖଟିବାକୁ ଗୋଆ ଯାଇଥିଲେ । ସେଠାରେ କୋଠା ନିର୍ମାଣ କାମରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ୪ ମହଲା ଅଟ୍ଟାଳିକାରେ ରାତ୍ର ଯାପନ କରିଥିବା ବେଳେ ଗତକାଲି ରାତି ପ୍ରାୟ ତିନିଟାରେ ତାଙ୍କୁ ପରିସ୍ରା ଲାଗିବାରୁ ଶୌଚ଼ାଳୟକୁ ଯିବା ସମୟରେ ଅସାବଧାନତା ଯୋଗୁଁ ଗୋଡ଼ ଖସିଯିବାରୁ ୪ ମହଲା ଛାତରୁ ତଳକୁ ଖସି ପଡ଼ିଥିଲେ । ପାଖରେ ଥିବା ସାଙ୍ଗସାଥିମାନେ ସଙ୍ଗେସଙ୍ଗେ ଗଣେଶକୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତାଙ୍କର ମୁଣ୍ଡକୁ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଶବକୁ କିପରି ଗୋଆରୁ ଗ୍ରାମକୁ ଅଣାଯାଇପାରିବା ଚିନ୍ତାରେ ଅଛନ୍ତି ପରିବାରବର୍ଗ ଓ ଗ୍ରାମବାସୀ । ମୃତ ଦାଦନ ଶ୍ରମିକଙ୍କ ପରିବାର ଲୋକେ ଗରୀବ ଶ୍ରେଣୀର ହୋଇଥିବାରୁ ଶବକୁ କିପରି ଗାଁକୁ ଅଣାଯିବ ସେ ସଂପର୍କରେ ଲିଖିତ ଭାବେ ଜିଲ୍ଲାପାଳ, ସାଂସଦ ଓ ପାରଳାଖେମୁଣ୍ଡି ବିଧାୟକ ଓ ତହସିଲଦାରଙ୍କୁ ନିବେଦନ କରିଛନ୍ତି ପରିବାର ସଦସ୍ୟ ଓ ଗ୍ରାମବାସୀ । ଘଟଣା ନେଇ ବ୍ରହ୍ମପୁର ସଂସାଦ ପ୍ରଦୀପ କୁମାର ପାଣିଗ୍ରାହୀ ଜାଣିବା ପରେ ତତକ୍ଷଣାତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୋଆରୁ ମୃତଦେହ ଅଣାଯିବା ପାଇଁ ଅନୁରୋଧ କରିବାରେ ମୃତଦେହକୁ ଗଜପତି ଜିଲ୍ଲାର ଦାଦନ ଶ୍ରମିକଙ୍କ ଗ୍ରାମକୁ ଅଣାଯିବା ପାଇଁ ବିହିତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ମିଳିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ