ମାସୁଦ୍ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପ୍ରସଙ୍ଗ ଜାତିସଂଘରେ ଚିଠା ପ୍ରସ୍ତାବ, ଆମେରିକା-ଚୀନ୍ ମୁହାଁମୁହିଁ

ନୂଆଦିଲ୍ଲୀ(ଏଜେନ୍ସି): ଜାତିସଂଘ ସୁରକ୍ଷା ପରିଷଦରେ ଆତଙ୍କୀ ମାସୁଦ୍ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପ୍ରସଙ୍ଗରେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଏକାଠି ହୋଇଥିବା ବେଳେ ଜାତିସଂଘରେ ଏନେଇ ଚିଠା ପ୍ରସ୍ତାବ ଆଗତ କରିବାକୁ ଚିନ୍ତା କରୁଛନ୍ତି । ଦୁଇ ସପ୍ତାହ ତଳେ ଚୀନ୍ ଏହାକୁ ବିରୋଧ କରିବା ପରେ ଶେଷରେ ଜାତିସଂଘର ପ୍ରମୁଖ ଦେଶ ଏକାଠି ହୋଇ ଏବେ ଏହି ପ୍ରସ୍ତାବକୁ ପାରିତ କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି । ଅନ୍ୟପକ୍ଷେ ଚୀନ୍ ଏହି ମାମଲାରେ ଆମେରିକାକୁ କଡା ଭାଷାରେ ଭର୍ତ୍ସନା କରିଛି । ଚୀନ୍ କହିଛି ଯେ, ଆମେରିକା ଜାତିସଂଘରେ ଏକଚାଟିଆ ଭାବେ ନିଷ୍ପତ୍ତି ନେବାକୁ ଚେଷ୍ଟା କରୁଛି । ଏହା ଅତ୍ୟନ୍ତ ଆମେରିକା ସରକାରଙ୍କ ଅତ୍ୟନ୍ତ କଦର୍ଯ୍ୟ ଚିନ୍ତାଧାରା । ଅନ୍ୟପକ୍ଷେ ଆମେରିକା ପକ୍ଷରୁ ଏହାର କଡା ଜବାବ ଦିଆଯାଇ କୁହାଯାଇଛି ଯେ, ଆତଙ୍କବାଦୀ ମାସୁଦ୍ ଆଝାର ପ୍ରସଙ୍ଗରେ ଯଥେଷ୍ଟ ପ୍ରମାଣ ହସ୍ତଗତ ହୋଇସାରିଛି । ଫଳରେ ମାସୁଦ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରାଯିବା ପ୍ରକ୍ରିୟାକୁ ଆଉ ଅଧିକ ଦିନ ବିଳମ୍ବ କରିବା ଉଚିତ୍ ହେବ ନାହିଁ । ଯେଉଁ ଦେଶ ଏହି ପ୍ରସ୍ତାବରେ ରାଜିନହେବ ତାକୁ ବାଦ୍ ଦିଆଯାଇ ବହୁମତରେ ଏହି ପ୍ରସ୍ତାବକୁ ଜାତିସଂଘରେ ପାରିତ କରାଯିବ ।
ପ୍ରାପ୍ତ ସୂଚନାନୁସାରେ ଆମେରିକା ଏହି ପ୍ରସଙ୍ଗରେ ବ୍ରିଟେନ ଓ ଫ୍ରାନ୍ସ ସହଯୋଗରେ ଏକ ଚିଠା ପ୍ରସ୍ତୁତ କରିଛି । ୧୫ ଜଣିଆ ସୁରକ୍ଷା ପରିଷଦରେ ମାସୁଦ ଆଝାରକୁ ଆତଙ୍କବାଦୀ ବୋଲି ଘୋଷଣା ହେବା ସହ ତା’ର ବିଦେଶ ଗସ୍ତ ଉପରେ ପ୍ରତିବନ୍ଧକ, ସମସ୍ତ ସମ୍ପତ୍ତି ଜବତ କରିବା ସାଙ୍ଗକୁ କୂଟନୈତିକ ସ୍ତରରେ ଆଲୋଚନା କରିବା ଉପରେ ମଧ୍ୟ ନିଷେଧାଦେଶ ଜାରି ପାଇଁ ଏଥିରେ ପ୍ରସ୍ତାବ ରହିଛି । ଚଳିତବର୍ଷ ଫେବୃଆରୀ ୧୪ରେ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ମାସୁଦ ଆଝାରର ପ୍ରମୁଖ ଭୂମିକା ଥିବା ପ୍ରମାଣ ମିଳିଛି । ଏଥିରେ ଭାରତର ୪ଠ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ଏହାପରେ ଭାରତ-ପାକିସ୍ତାନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଥିବାବେଳେ କୂଟନୀତି ମାଧ୍ୟମରେ ଆଝାରକୁ ଆତଙ୍କବାଦୀ ଘୋଷଣା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଭାରତର ଏହି ଆଭିମୂଖ୍ୟକୁ ଆମେରିକା, ଦକ୍ଷିଣ କୋରିଆ, ବ୍ରିଟେନ, ଫ୍ରାନ୍ସ ସମେତ ଅନେକ ଦେଶ ସମର୍ଥନ କରୁଥିବା ବେଳେ ଜାତିସଂଘରେ ନିଜ ଭିଟୋ କ୍ଷମତା ପ୍ରୟୋଗ କରି ଚୀନ୍ ଏହାକୁ ବିରୋଧ କରିଆସୁଛି । ତେବେ ନିକଟରେ ହସ୍ତଗତ ହୋଇଥିବା ଏକ ସୂଚନାନୁସାରେ ମାସୁଦ୍ ଆଝାର ପ୍ରସଙ୍ଗରେ ଜାତିସଂଘରେ ଆଗତ ହେବାକୁ ଯାଉଥିବା ପ୍ରସ୍ତାବକୁ ସର୍ତ୍ତମୂଳକ ସମର୍ଥନ କରିବାକୁ ପାକିସ୍ତାନ ଏବେ ଚୀନ୍କୁ କହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ