ବାଲେଶ୍ୱରରେ ପାଳିତ ହେଲା ବିଶ୍ୱ ଏଡସ୍ ଦିବସ- ୨୦୨୩

ବାଲେଶ୍ୱର, (ସରୋଜ ପଣ୍ଡା) : ସ୍ଥାନୀୟ ୟୁକୋ ବ୍ୟାଙ୍କସ୍ଥିତ ଆତିଥ୍ୟ କନଭେନସନ୍ ହଲ୍ ଠାରେ ଆଜି ସକାଳ ଘ. ୧୦.୩୦ ସମୟରେ ଜିଲ୍ଲା ଏଡସ୍ ନିରାକରଣ ଏବଂ ନିୟନ୍ତ୍ରଣ ୟୁନିଟ୍ ଏବଂ ଜିଲ୍ଲା ବିକାଶ ସମନ୍ୱୟ ଏବଂ ମନିଟରିଂ କମିଟି ଆନୁକୂଲ୍ୟରେ ବିଶ୍ୱ ଏଡସ୍ ଦିବସ- ୨୦୨୩ ଉପଲକ୍ଷେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି I ଏହି ସଭାରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଦୁଲାଳସେନ୍ ଜଗଦ୍ଦେବ, ଡି.ଏନ.ଓ (ଏଚଆଇଭି/ଏଡସ୍), ବାଲେଶ୍ୱର ଡ଼. ସଶାଙ୍କ ଶେଖର ଚୌଧରୀ, ଡି.ପି.ଏମ- ଜିଲ୍ଲା ଏଡସ୍ ନିରାକରଣ ଏବଂ ନିୟନ୍ତ୍ରଣ ୟୁନିଟ୍ ଶ୍ରୀମତୀ ରଶ୍ମିତା ମହାନ୍ତି, ସି.ଏସ.ଓ ଶ୍ରୀ ପତିତପାବନ ବାରିକ ଓ ଡି.ଏ.ପି- ଜିଲ୍ଲା ଏଡସ୍ ନିରାକରଣ ଏବଂ ନିୟନ୍ତ୍ରଣ ୟୁନିଟ୍ ଶ୍ରୀ ଦେବାଶିଷ ରଣା ପ୍ରମୁଖ ମଞ୍ଚାସୀନ ଥିଲେ I ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଦୁଲାଳସେନ୍ ଜଗଦ୍ଦେବ ସ୍ୱାଗତ ଭାଷଣ ଦେଇ ଏଡସ୍ ନିରାକରଣରେ ଜନ ସଚେତନତାର ପ୍ରମୁଖ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ I ସମ୍ମାନିତ ଅତିଥି ଭାବେ ତଥା ସଭାର ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏଡସ୍ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ସଚେତନତା ସୃଷ୍ଟି ତଥା ଏକ ସହାୟକ ପରିବେଶ ପ୍ରତିପାଦନ କରିବା ପାଇଁ ସାମୂହିକ ପ୍ରତିବଦ୍ଧତାକୁ ଦର୍ଶାଇ ଥିଲେ I ତତ୍ସହିତ ସଚେତନତା ଓ ସାମାଜିକ ପ୍ରତିବନ୍ଧତା ଦୂର ହିଁ ଏଡସ୍ ନିରାକରଣର ମୁଖ୍ୟ ମାଧ୍ୟମ ବୋଲି ମତ ଦେଇଥିଲେ I ଚଳିତ ବର୍ଷ ବିଶ୍ୱ ଏଡସ୍ ଦିବସର ବିଷୟବସ୍ତୁ ହେଉଛି ‘ନେତୃତ୍ୱ ନିଅନ୍ତୁ ସମ୍ପ୍ରଦାୟ’ I ଏକ ଏଡସ୍ ମୁକ୍ତ ଭବିଷ୍ୟତ ସୃଷ୍ଟି କରିବା ଏବଂ ସ୍ୱାସ୍ଥ୍ୟ, ଦୟା ଏବଂ ଅନ୍ତର୍ଭୂକ୍ତିକୁ ପ୍ରାଧାନ୍ୟ ଦେଉଥିବା ସମାଜ ଗଠନ ପାଇଁ ସାମୂହିକ ନିଷ୍ଠାର ଗୁରୁତ୍ୱ ଉପରେ ଡି.ଏନ.ଓ (ଏଚଆଇଭି/ଏଡସ୍), ବାଲେଶ୍ୱର ଡ଼. ସଶାଙ୍କ ଶେଖର ଚୌଧରୀ ତାଙ୍କର ବିସ୍ତୁତ ବକ୍ତବ୍ୟ ରଖିଥିଲେ I ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ରଙ୍ଗୋଲି, ଓଡ଼ିଶୀ ନୃତ୍ୟ, ଦସ୍ତଖତ ଅଭିଯାନ ଓ କୁଇଜ୍ ର ଆୟୋଜନ କରାଯାଇଥିଲା I ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ, ଏ.ଏନ.ଏମ, ଅଙ୍ଗନବାଡି କର୍ମକର୍ତ୍ତା ଓ ଆଶା ଦିଦିଙ୍କୁ ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I ପରିଶେଷରେ ଡି.ପି.ଏମ-ଏନ.ଏଚ.ଏମ ଶ୍ରୀ ଅନିଲ କୁମାର ମହାନ୍ତି ଉପସ୍ଥିତ ଅତିଥିଙ୍କୁ ସେମାନଙ୍କର ମୂଲ୍ୟବାନ ଉପଦେଶ ପାଇଁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ଶେଷ କରିଥିଲେ I ଏହି ଦିବସ ଉପଲକ୍ଷେ ସ୍ୱାସ୍ଥ୍ୟ ବିଭାଗର ତାଲିମ ପ୍ରାପ୍ତ କର୍ମୀ ଓ ଛାତ୍ରଛାତ୍ରୀ ଏକ ପଦଯାତ୍ରାରେ ନଗର ପରିକ୍ରମା କରି ସଚେତନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ