ଗଞ୍ଜାମ ଜିଲ୍ଲାର ସର୍ପ ଉଦ୍ଧାରକଙ୍କୁ ନେଇ ‘ସାପ ଏକ ଅସ୍ତ୍ର ନୁହେଁ’ କର୍ମଶାଳା

ଖଲିକୋଟ, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲାର ସମସ୍ତ ସର୍ପ ଉଦ୍ଧାରକାରୀ ମାନଙ୍କୁ ନେଇ ଖଲ୍ଲିକୋଟ ଅନ୍ତର୍ଗତ ନାରାୟଣୀ ମନ୍ଦିର ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସ୍ନେକ ହେଲ୍ପ ଲାଇନ ପକ୍ଷରୁ ଆୟୋଜିତ ‘ସାପ ଏକ ଅସ୍ତ୍ର ନୁହେଁ’ କର୍ମଶାଳାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୩୦ ରୁ ଉର୍ଦ୍ଧ ସର୍ପ ଉଦ୍ଧାରକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ବନରକ୍ଷୀ ସନ୍ତୋଷ ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟରେ ସାପକୁ ନେଇ ହେଉଥିବା ଅପରାଧ ଉପରେ ଆଲୋଚନା ହୋଇଥିଲା । ସାରା ରାଜ୍ୟରେ ସାପକୁ ନେଇ ଘଟୁଥିବା ଅପରାଧ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ହିଁ କେବଳ ଦୁଇଟି ଘଟଣାରେ ୨ ମହିଳା ଓ ଜଣେ ଶିଶୁକନ୍ୟା କୁ ହତ୍ୟା କରାଯାଇଛି । ଯାହାକୁ ନେଇ ସମସ୍ତ ଦିଗରୁ ଚିନ୍ତା କରିବା ସହ ଏ ନେଇ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି । ଏହା ସହ ଆଗାମୀ ଦିନରେ ସାରା ଜିଲ୍ଲାରେ ଯେଉଁମାନେ ସାପ ଧରୁଛନ୍ତି ସେମାନଙ୍କୁ ସଚେତନ କରିବା ସହ ଅପରାଧ କରିବା ଉଦ୍ଦେଶ୍ୟରେ ସାପକୁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତି ହୋଇଥିଲା । ସେହିପରି ଜିଲ୍ଲାରେ ବିଶେଷ କରି ଦଣ୍ଡ ନୃତ୍ୟ ସମୟରେ ଯାତ୍ରା ପେଣ୍ଡାଲ ମାନଙ୍କରେ ହେଉଥିବା ସାପ ଖେଳକୁ ରୋକ୍ ଲଗାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା କୁ ନିଷ୍ପତି ନିଆଯାଇଛି । ଏହା ସହ ଅପରାଧ ନିୟନ୍ତ୍ରଣ ରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ପୋଲିସ ଓ ପ୍ରଶାସନ କୁ ସହାୟତା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସେହିପରି ଆଗାମୀ ଦିନରେ ପ୍ରତି ଜଙ୍ଗଲ ବିଟ ଅଞ୍ଚଳରେ ଥିବା ଦଣ୍ଡ ନୃତ୍ୟ କମିଟି କୁ ସଚେତନତା କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ କହିଥିଲେ । ସ୍ନେକ ହେଲ୍ପ ଲାଇନ ଦକ୍ଷିଣ ଓଡ଼ିଶା ସଂଯୋଜକ ସ୍ଵାଧୀନ ସାହୁଙ୍କ ପୋରୋହିତ୍ୟ ରେ ଆୟୋଜିତ ଏଇ କାର୍ଯ୍ୟକ୍ରମରେ ସଦସ୍ୟ ସନ୍ଦୀପ ସେଠୀ, ପୂର୍ଣ୍ଣ ଚନ୍ଦ୍ର ଦାସ, ସିଲକା ସଲୋନି, ଭି କାଜଲ ପାତ୍ର, ରାଜେଶ ସୁତାର, ମିହିର ପଣ୍ଡା, ସ୍ଵପ୍ନାଲୋକ ମିଶ୍ର, ତାରା ପ୍ରସାଦ ଦାସ, ଭି ରାମା ପାତ୍ର, ହରିଶ ପାଢ଼ୀ, ନବଘନ ସ୍ୱାଇଁ, ରାମ ଚନ୍ଦ୍ର ସାହୁ, ଗୌରୀ ସାହୁ, ରଞ୍ଜିତ ରଣାଙ୍କ ସମେତ ବହୁ ସଦସ୍ୟ ଓ ସର୍ପ ଉଦ୍ଧାରକାରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ