ଗାଜଲବାଡ଼ି ଘାଟିରେ ଅଟକିଲା ଭାରୀଯାନ: ରାଜପଥ ସମ୍ପ୍ରସାରଣ ପାଇଁ ବିଭିନ୍ନ ମହଲରୁ ଦାବୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିରେ ବାରମ୍ବାର ଭାରୀଯାନ ଅଟକି ଯାଉଛି। ଫଳରେ ଦାରିଙ୍ଗବାଡ଼ିଠାରୁ ବ୍ରହ୍ମପୁର, ଭଞ୍ଜନଗର, ସୋରଡ଼ା ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ପ୍ରକାଶ ଯେ, ଏକ ଯନ୍ତ୍ରପାତି ବୋଝେଇ ଟ୍ରକ୍‌ ୫୯ ନଂ ଜାତୀୟ ରାଜପଥର ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲା। ତେବେ ଗାଜଲବାଡ଼ି ଘାଟି ବୁଲାଣି ରାସ୍ତାରେ ଟ୍ରକ୍‌ଟି ବୁଲେଇ ନ ପାରି ସିଧା ଚାଲିଯାଇଥିଲା ଚାଳକର ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରକ୍‌ଟି ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲା। ଏବେ ଟ୍ରକ୍‌ଟି ଉକ୍ତ ବୁଲାଣି ରାସ୍ତାରେ ନା ଆଗକୁ ନା ପଛକୁ ହୋଇପାରୁଛି ଫଳରେ ଅଟକି ରହିଛି। ଉକ୍ତ ଘାଟି ରାସ୍ତାରେ ଏକାଧିକ ଗାଡ଼ି ଅଟକି ରହିଛି। ଫଳରେ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଖବର ପାଇ ସୋରଡ଼ା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘାଟିରେ ଫସି ରହିଥିବା ଟ୍ରକ୍‌ଟିକୁ ହଟେଇବାକୁ ଚେଷ୍ଟା କରୁଛନ୍ତି। ପ୍ରକାଶ ଯେ, ଜାତୀୟ ରାଜପଥ ବିଭାଗ ପକ୍ଷରୁ ଉଭୟ କନ୍ଧମାଳ ଓ ଗଞ୍ଜାମର ଘାଟି ରାସ୍ତା ଆରମ୍ଭ ପୂର୍ବରୁ ଭାରୀଯାନ ଉକ୍ତ ରାସ୍ତା ଦେଇ ଯାତାୟାତ ପାଇଁ ବାରଣ କରାଯାଇ ସାଇନ୍‌ବୋର୍ଡରେ ଉଲ୍ଲେଖ କରାଯାଇଥିଲେ ସୁଦ୍ଧା ଭାରୀଯାନଗୁଡ଼ିକ ଅମାନିଆ ହେଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏଥିପ୍ରତି ବିଭାଗ ଦ୍ୱାରା କଟକଣା ବୃଦ୍ଧି କରାଯାଉ କିମ୍ବା ଶୀଘ୍ର ରାଜପଥ ସମ୍ପ୍ରସାରଣ କରାଯାଉ ବୋଲି ସାଧାରଣରେ ଦାବି ହେଉଛି। ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଏନେଇ ବାରମ୍ବାର ଜାତୀୟ ରାଜପଥ ବିଭାଗକୁ ଅବଗତ କରାଇଥିଲେ ସୁଦ୍ଧା ବିଭାଗ ନୀରବ ରହୁଛି। ଆଗାମୀ ଦିନରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଓ ସୋରଡ଼ା ବିଧାୟକଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯିବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଥିବା କୁହାଯାଇଛି। କେନ୍ଦ୍ର ସରକାର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିକୁ ସମ୍ପ୍ରସାରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ପ୍ରତିବାଦରେ ଏହି ଆନ୍ଦୋଳନ କରାଯିବ। କନ୍ଧମାଳ ଜିଲାର ଲାଇଫ୍‌ଲାଇନ୍‌ କୁହାଯାଉଥିବା ଏହି ଘାଟି ଉପରେ ରାୟପୁରଠାରୁ ଗୋପାଳପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ କରାଯାଉଥିବା ବେଳେ ବିପଦପୂର୍ଣ୍ଣ ଗାଜଲବାଡ଼ି ଘାଟିକୁ ସମ୍ପ୍ରସାରଣରେ ବିଳମ୍ବ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ଖବର ଲେଖ।ହେବା ସୁଦ୍ଧା ଘାଟିରେ ଗାଡ଼ିଗୁଡିକ ଅଟକି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ