ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ଆନୁକୁଲ୍ୟରେ ୩୯ତମ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ଶିଶୁ ହସିଲେ ଦୁନିଆ ହସେ”ବୁଧବାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଂଚାୟତର ତନାର ଗ୍ରାମସ୍ଥିତ ପଂଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଓଷ୍ଟାର ସଭାପତି ବଟକୃଷ୍ଣ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ମୁଖ୍ୟବକ୍ତା ଭାବେ ଜିଲ୍ଲା ଓଷ୍ଟାର ସମ୍ପାଦକ ତପନ କୁମାର ସିଂ, ବିଶିଷ୍ଟ ଅତିଥି ଭାବେ ରାଜ୍ୟ ଓଷ୍ଟାର ସମ୍ପାଦକ ନିର୍ମଳ କୁମାର ନାୟକ, ସମ୍ମାନୀତ ଅତିଥି ଭାବେ ପଂଚାୟତ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନ୍ଦିତା ରାଉତରାୟ, ଓଡିଶା ମାଧ୍ୟମିକ ଶିକ୍ଷକ ସଙ୍ଘର ଜିଲ୍ଲା ଶାଖାର ଯୁଗ୍ମ ସମ୍ପାଦକ ପ୍ରଣବ କୁମାର ଜେନା ପ୍ରମୁଖ ଯୋଗଦେଇ ଏଭଳି ପ୍ରତିଯୋଗୀତାର ଆୟୋଜନ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ ହୋଇପାରୁଛି ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷକ ପ୍ରତାପ କୁମାର ପତି ଅତିଥି ପରିଚୟ ପ୍ରଦାନ ଶିକ୍ଷକ ଅଲେଖ ଚନ୍ଦ୍ର ମହାନ୍ତି ସଭା ସଂଚାଳନ କରିଥିବା ବେଳେ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ଓଷ୍ଟା ପକ୍ଷରୁ ବରିଷ୍ଠ ଓ କନିଷ୍ଟ ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତର୍କ,ସଂଗୀତ,ଚିତ୍ରାଙ୍କନ,ଆବୃତ୍ତି,ଗଳ୍ପଲିଖନ,କବିତା ରଚନା,ଏକକ ଅଭିନୟ,ଏକକ ନୃତ୍ୟ,ସାଧାରଣ ଜ୍ଞାନ,କୁଇଜ ପ୍ରଭୃତି ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିଲା । ଅପରାହ୍ନରେ ବ୍ଲକ ଓଷ୍ଟାର ସଭାପତି ବଟକୃଷ୍ଣ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ ଗୁରୁ ଜନ୍ମଦାତ୍ରୀ ପିତାମାତା ଓ ଦ୍ୱିତୀୟ ଗୁରୁ ବିଦ୍ୟାଳୟର ଶୀକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ଉଚିତ ସମ୍ମାନ ଓ ଭକ୍ତି କରିଲେ ଜୀବନରେ ଜଣେ ଜଣେ ଭଲ ମଣିଷ ହୋଇପାରିବେ ବୋଲି କହିଥିଲେ । ଏତଦବ୍ୟତିତ ଶିକ୍ଷକ,ଶିକ୍ଷୟତ୍ରୀମାନେ ନିଷ୍ଠା ଓ ଆନ୍ତରିକତାର ସହିତ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ରାଜ୍ୟ ଓଷ୍ଟାର ସମ୍ପାଦକ ତ୍ରୈଲୋକ୍ୟ ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପର୍ଶୁରାମ ସ୍ୱାଇଁ, କେନ୍ଦ୍ରାପଡା ଜିଲ୍ଲା ଓଷ୍ଟା କାର୍ଯ୍ୟକାରିଣି ସଭ୍ୟ ରମେଶ ଚନ୍ଦ୍ର ସାହୁ , କୋରୋ ସରପଂଚ ତଅପୋଇ ମଲ୍ଲିକ, ସାମ୍ବାଦିକ ପରେସ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତି୍ୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବୀତରଣ କରାଯାଇଥିଲା । ତନାର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରାଉତରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାଜକିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଅଲେଖ ଚନ୍ଦ୍ର ମହାନ୍ତି ଓ ତନାର ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀମାନେ ଉତ୍ସବ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ,ଦ୍ୱିତିୟ ଓ ତୃତିୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆସନ୍ତା ୨୪ ଓ ୨୫ତାରିଖରେ ରାଜକନିକା ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ ।