ନବୀନ ବାବୁ ସଦାସର୍ବଦା ଉଠାଦୋକାନୀଙ୍କ ସହିତ ଅଛନ୍ତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶୁକ୍ରବାର ଦିନ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ୨୯ତମ ପ୍ରତିଷ୍ଠା ଉତ୍ସବ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଧାୟକ ଶ୍ରୀଯୁକ୍ତ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଦାସର୍ବଦା ଉଠାଦୋକାନୀମାନଙ୍କ ସହିତ ଅଛନ୍ତି । ମହାମାରୀ କରୋନା ସମୟରେ ଉଠାଦୋକାନୀମାନଙ୍କ ବହୁ ସମସ୍ୟାର ସମାଧାନ କରିଥିବା ବେଳେ ଏବେ ଭେଣ୍ଡିଂଜୋନ ପାଇଁ ୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ବ୍ୟତୀତ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ୱାର୍ଡ଼ରେ ଭେଣ୍ଡିଂଜୋନ କରିବା ପାଇଁ ସ୍ଥିର କରିଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼, ନବୀନ ସ୍ୱାସ୍ଥ୍ୟ କାର୍ଡ଼ ମାଧ୍ୟମରେ ବହୁ ଗରୀବ ବ୍ୟକ୍ତିମାନେ ଉପକୃତ ହେବେ ।ମୁଖ୍ୟବକ୍ତା ଭାବରେ ମହାସଂଘର ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁ ଯୋଗଦେଇ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଉଠାଦୋକାନୀ ମାନଙ୍କ ପାଇଁ ସାହାଯ୍ୟ ଓ ସହଯୋଗର ହାତ ବଢାଇଛନ୍ତି । କିନ୍ତୁ ବଡ଼ ଦୁଃଖର କଥା ଯେଉଁ ହିସାବରେ ଭୁବନେଶ୍ୱର ସମେତ ଓଡ଼ିଶାରେ ଭେଣ୍ଡିଂଜୋନ ତିଆରି ହେବା କଥା ତାହା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । କିଛି ଅସାଧୁ ସରକାରୀ କର୍ମଚାରୀମାନଙ୍କ ଆନ୍ତରିକତାର ଅଭାବ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଯେଉଁ ଜାଗା ଗୁଡ଼ିକରେ ଉଠାଦୋକାନୀମାନେ ଦୋକାନ କରିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ଆଇନ ଅନୁଯାୟୀ ସେହି ଜାଗାଗୁଡ଼ିକୁ ଭେଣ୍ଡିଂଜୋନ ହିସାବରେ ଘୋଷଣା କରିବାକୁ ଶ୍ରୀ ସାହୁ ନିବେଦନ କରିଛନ୍ତି । ଶେଷରେ ମହାସଂଘର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ ଷ୍ଟ୍ରିଟ ଭେଣ୍ଡର୍ସ ୱେଲଫେୟାର ବୋର୍ଡ଼ ଗଠନ କରାଯାଉ, ଉଠାଦୋକାନୀମାନଙ୍କ ପରିଚୟ ପତ୍ରକୁ ଦୀର୍ଘମିଆଦି କରାଯାଉ, ଯେଉଁ ଉଠାଦୋକାନୀମାନଙ୍କୁ ଆଇ କାର୍ଡ଼ ମିଳିଛି, ଭେଣ୍ଡିଂଜୋନ ଦେବା ପର୍ଯ୍ୟନ୍ତ ସେହି ଜାଗାରେ ବ୍ୟବସାୟ କରିବା ପାଇଁ ଅନୁମତି ପ୍ରଦାନ କରାଯାଉ, ଯେଉଁ ଅଞ୍ଚଳରେ ଯେଉଁ ଉଠାଦୋକାନୀମାନେ ବ୍ୟବସାୟ କରୁଛନ୍ତି, ସେହି ଅଞ୍ଚଳରେ ସେମାନଙ୍କୁ ଥଇଥାନ କରାଯାଉ, ଯେପର୍ଯ୍ୟନ୍ତ ଷ୍ଟ୍ରିଟ୍ ଭେଣ୍ଡର୍ସ ୱେଲଫେୟାର ବୋର୍ଡ଼ ଗଠନ କରାନଯାଇଛି, ସେ ପର୍ଯ୍ୟନ୍ତ ଉଚ୍ଛେଦ ବନ୍ଦ କରାଯାଉ, ଭେଣ୍ଡିଂଜୋନରେ ଯେଉଁ ଦୋକାନୀମାନଙ୍କୁ ହୋଟେଲ ପାଇଁ ଅନୁମତି ଦିଆଯାଇଛି, ସେମାନଙ୍କୁ ଅଧିକ ଜାଗା ଯୋଗାଇ ଦିଆଯାଉ, ସହରର ପ୍ରତ୍ୟେକ ୱାର୍ଡ଼ ମୁଖ୍ୟ ସ୍ଥାନଗୁଡ଼ିକରେ ଭେଣ୍ଡିଂଜୋନ ସ୍ଥାପନ କରାଯାଉ, ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭେଣ୍ଡିଂଜୋନ ସ୍ଥାପନ କରାଯାଉ, ପ୍ରତ୍ୟେକ ଭେଣ୍ଡିଂଜୋନରେ ଗୋଟିଏ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଗୋଟିଏ ଲେଖାଏଁ ଦୋକାନ ଗୃହ କରି ଦୁଇଟି ଗ୍ରୁପ୍‌କୁ ଦୁଇଟି ଦୋକାନ ଗୃହ ପ୍ରଦାନ କରାଯାଉ, ଯେଉଁ ଜାଗାରେ ଭେଣ୍ଡିଂଜୋନ କରାଯିବ, ସେଠାରେ ଜଣେ ଭିନ୍ନକ୍ଷମ ଓ ଜଣେ କିନ୍ନରଙ୍କୁ ଦୁଇଟି ଦୋକାନ ଗୃହ ପ୍ରଦାନ କରାଯାଉ, ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଉଠାଦୋକାନୀମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଆର୍ଥିକ ସହାୟତା ପ୍ରଦାନ କରାଯାଉ, ଯେଉଁ ଦୋକାନଗୁଡ଼ିକୁ ଏଲ୍‌ଓଆର ପ୍ରଦାନ କରାଯାଇଛି, ସେମାନଙ୍କୁ ଆଇ କାର୍ଡ଼ରେ ପରିବର୍ତ୍ତନ କରାଯାଉ, ଯେଉଁ ଜାଗାରେ ଭେଣ୍ଡିଂଜୋନ ତିଆରି ହେବ, ସେଠାରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ମାଧ୍ୟମରେ ଦୋକାନଗୁଡ଼ିକୁ ଚିହ୍ନଟ କରାଯାଇ ଥଇଥାନ କରାଯାଉ, ନୂତନ ଭାବରେ ତିଆରି ହେବାକୁ ଥିବା କିଓସ୍କୋ ଗୁଡ଼ିକ ସମାନ ଭାବରେ ତିଆରି କରି ସମାନ ଭାବରେ ଟ୍ୟାକ୍ସ ନିଆଯାଉ ଏବଂ ପୂର୍ବରୁ ତିିଆରି ହୋଇଥିବା କିଓସ୍କୋ ଗୁଡ଼ିକ ବଡ଼ ଥିବା ଘରଠାରୁ ଅଧିକ ଏବଂ ଛୋଟ ଥିବା ଘରଠାରୁ କମ୍ ଟଙ୍କା ଆଦାୟ କରାଯାଉ ୧୪ଦଫା ସମ୍ବଳିତ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ଏହି ପ୍ରସ୍ତାବଟି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ୱ ଉଠାଦୋକାନୀ ସଂଘର ସଭାପତି, ସମ୍ପାଦକ, ୫୦ଟି ଭେଣ୍ଡିଂଜୋନର ସଭାପତି, ସମ୍ପାଦକ ଯୋଗ ଦେଇଥିଲେ । ସୂର୍ଯ୍ୟମଣି ସାହୁ, ନିରଞ୍ଜନ ପାଣ୍ଡେ, ମହମ୍ମଦ କଇମ୍ ଖାନ, କେ.ଆର ଖାନ ଅନମୋଲ, ଲଲାଟ କୁମାର ଓଝା, ବସନ୍ତ କୁମାର, ବିପିନ ଜେନା, ଶୁଭଲକ୍ଷ୍ମୀ ମହାନ୍ତି, ମନୋଜ କୁମାର ସାହୁ, ପ୍ରଶାନ୍ତ କୁମାର ନାୟକ, ସସ୍ମିତା ସାହୁ, ଭାରତୀ ସେଠୀ, ପ୍ରଦୀପ ସାହୁ, ସତ୍ୟଶ୍ରୀ ସୌମ୍ୟସୁନ୍ଦର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ସୁଦର୍ଶନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ