ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ମା ପ୍ରକଳ୍ପ ଲୋକାର୍ପଣ ନିମନ୍ତେ ଗଞ୍ଜାମ ଜିଲ୍ଲାର ରଥ ପରିକ୍ରମା
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଓଡିଶା ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଦେବ ଭୂମି ରୂପେ ପରିଚିତ । ଜଗନ୍ନାଥ ସଂସ୍କୃତି ପାରଂପରିକ, ଧାର୍ମିକ, ଭାଷା, ଲୋକ ପରଂପରା ନୃତ୍ୟ ନାଟକ ମଧ୍ୟରେ ପର୍ଯ୍ୟବସିତ । ଜଗନ୍ନାଥ ସଂସ୍କୃତିର ମୌଳିକ ତତ୍ତ୍ବ ହେଉଛି ବିଭିନ୍ନତା ମଧ୍ୟରେ ଏକତା । ଏହା ସମସ୍ତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକତା ରଜ୍ଜୁରେ ବାନ୍ଧି ରଖେ । ଓଡିଶାରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ସୁରକ୍ଷା ଏବଂ ପ୍ରଚାର – ପ୍ରସାର , ଓଡିଶା ସରକାରଙ୍କ “ ଆମ ଓଡିଶା ନବୀନ ଓଡିଶା “ ଯୋଜନାର ଅନ୍ଯତମ ଅଂଶବିଶେଷ I ଏହି କ୍ରମରେ ଚଳିତ ମାସ ୧୭ ତାରିଖ ଦିନ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ନିର୍ମିତ ଐତିହାସିକ “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ“ର ଲୋକାର୍ପଣ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଐତିହାସିକ ମୂହୁର୍ତ୍ତରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ , ସମଗ୍ର ରାଜ୍ୟରୁ ଶ୍ରଦ୍ଧାଳୁ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନିମନ୍ତେ ନିମନ୍ତ୍ରଣ କରିଛନ୍ତି I ଏହି ମୂହୁର୍ତ୍ତକୁ ଅଧିକ ଭାବପୂର୍ଣ୍ଣ କରିବା ପାଇଁ ବିବିଧ ସାଂସ୍କୃତିକ ଓ ପ୍ରଚାରଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ, ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରପାଳିକା ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁଙ୍କଠାରୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଏବଂ ଗୁଆ ସଂଗ୍ରହ କରାଯାଇ ଶ୍ରୀ ମନ୍ଦିରକୁ ପ୍ରେରଣ କରାଯିବ । ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ଉପରୋକ୍ତ ସମସ୍ତ ଅଞ୍ଚଳରେ ରଥ ପରିକ୍ରମା ପୂର୍ବକ ପ୍ରତି ସାହି, ବସ୍ତିରୁ ଭକ୍ତିଭରା ଭାବପୂର୍ଣ୍ଣରେ ଭକ୍ତଗଣ ଚାଉଳ ଏବଂ ଗୁଆ ପ୍ରଦାନ କରୁଛନ୍ତି । ସମସ୍ତ ଅଞ୍ଚଳରେ ରଥ ଗୁଡିକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇ ଘଣ୍ଟ ମୃଦଙ୍ଗ ବାଦନପୂର୍ବକ ସଂକୀର୍ତ୍ତନ ମଣ୍ଡଳୀ ଜୟ ଜଗନ୍ନାଥ ସ୍ଲୋଗାନ ଏବଂ ହୁଳହୁଳୀରେ ପ୍ରତି ସାହି, ଛକ, ବଜାର ପରିକ୍ରମା କରୁଛି । ଭକ୍ତ ଗଣ ନିଜ ନିଜ ଗାଁ ଦାଣ୍ଡ ମାନଙ୍କରେ ନାନା ପ୍ରକାର ଝୋଟି, ରଙ୍ଗ ବେରଙ୍ଗର ରଙ୍ଗୋଲୀ, କୁମ୍ଭ ସ୍ଥାପନ କରି ଘଣ୍ଟ ତାଳ ବାଦ୍ୟରେ ରଥକୁ ସ୍ବାଗତ କରୁଥିବା ଦେଖାଯାଉଛି । ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୬ ତାରିଖ ଠାରୁ ଆରମ୍ଭ ହୋଇଛି ଏବଂ ଏହା ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଞ୍ଚଳ ପରିଭ୍ରମଣ କରି ଜଗନ୍ନାଥ ସଂସ୍କୃତି ସହିତ ଜଡିତ ବିବିଧ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ସମାପନ ହେବାର ବ୍ୟବସ୍ଥା କରାଯାଇଅଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଲୋକ ପ୍ରତିନିଧି, ସ୍ଥାନୀୟ ଜନ ସାଧାରଣ ଏବଂ ସରକାରୀ ଅଧିକାରୀଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ନିୟୋଜିତ ଅଛନ୍ତି ।


