ବାଲେଶ୍ୱର ଜିଲ୍ଲା ମହୋତ୍ସବ କୋଶମ୍ଭ-୨୦୨୪ ର ଦ୍ଵିତୀୟ ସନ୍ଧ୍ୟା
ବାଲେଶ୍ୱର, (ସରୋଜ ପଣ୍ଡା):ଜାନୁଆରୀ ତା ୧୧ ରିଖରେ ଉଦ୍ଘାଟିତ ହୋଇଥିବା ବାଲେଶ୍ୱର ଜିଲ୍ଲା ମହୋତ୍ସବ କୋଶମ୍ଭ-୨୦୨୪ ର ଆଜି ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ, ବାଲେଶ୍ୱର, ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦାନ କରିଥିଲେ। ଫକୀର ମୋହନ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବାଲେଶ୍ୱରର ରେଜିଷ୍ଟ୍ରାର ଶ୍ରୀମତୀ ମନୋରମା ଭୂୟାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜ଼ିଲ୍ଲାପରିଷଦର ଉପସଭାପତି ଶ୍ରୀମତୀ ଅନଶୁୟା ପ୍ରଧାନ, ଜଳେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ମାନସ ଜେନା, ଜଳେଶ୍ୱର ପୌରପାଳିକା ଅଧ୍ୟକ୍ଷ ଶ୍ରୀ ପ୍ରତୀପ କୁମାର ପ୍ରଧାନ, ବାହାନଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଶ୍ୱନାଥ ମିଶ୍ର ଓ ରେମୁଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ରାଉତ, ପ୍ରମୁଖ ମଞ୍ଚାସୀନ ଥିଲେ I ବାଲେଶ୍ୱର ଜିଲ୍ଲା ମହୋତ୍ସବ କୋଶମ୍ଭ-୨୦୨୪ ର ‘ଜାତୀୟ ଯୁବ ଦିବସ’ କେନ୍ଦ୍ରିତ ଆଜିର କାର୍ଯ୍ୟକ୍ରମରେ ଯୁବଶକ୍ତିକୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଯୁବପିଢିଙ୍କ ନିମନ୍ତେ ବିଭିନ୍ନ କର୍ମଶାଳାର ଆୟୋଜନ କରାଯାଇଥିଲା I ବୈଷୟିକ ଦକ୍ଷତା ଜଡ଼ିତ କର୍ମଶାଳାରେ ସରକାରୀ ପଲି ଟେକ୍ନିକାଲ୍ ଏବଂ ସରକାରୀ ଆଇଟିଆଇର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇ ବ୍ୟବହାରିକ କୌଶଳ ଉପରେ ଜ୍ଞାନ ଅର୍ଜନ କରିଥିଲେ I ତତ୍ସହିତ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଓ ସକ୍ଷମ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ‘ଡ୍ରଗ୍ ସଚେତନତା’ କର୍ମଶାଳାରେ ମଧ୍ୟ ଏହି ଛାତ୍ରଛାତ୍ରୀମାନେ ଯୋଗଦେଇ ନିଶାଦ୍ରବ୍ୟର କ୍ଷତିକାରକ ପ୍ରଭାବ ଏବଂ ଡ୍ରଗ୍ ମୁକ୍ତ ସମାଜର ପ୍ରତିପୋଷଣର ଗୁରୁତ୍ୱ ବିଷୟରେ ଶିକ୍ଷା ଲାଭ କରିଥିଲେ I ଦ୍ଵିତୀୟ ସନ୍ଧ୍ୟାରେ ଆକର୍ଷଣୀୟ ମଞ୍ଚ ଉପସ୍ଥିତି ଏବଂ ହୃଦୟ ସ୍ପର୍ଶୀ ସୁଫି ସଙ୍ଗୀତ ସହିତ ବାଲେଶ୍ୱରବାସୀଙ୍କୁ ଏକ ନିଆରା ଅନୁଭୂତି ଭେଟି ଦେଇଥିଲା ଜାତୀୟସ୍ତରର ପ୍ରଖ୍ୟାତ ‘ହମ୍ ସୁଫି’ ବ୍ୟାଣ୍ଡ I ସେହି ଭଳି ବାଲେଶ୍ୱରର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ I ଆଜିର ମହାସମାରୋହକୁ ବାଲେଶ୍ୱରର ଜନସାଧାରଣମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଉପଭୋଗ କରିଥିଲେ I


