ସ୍ୱାଧୀନତାର ୭୭ ବର୍ଷ ପରେ ସୁଦ୍ଧା ଗଜପତିର ଝୁଲା ସାହି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଅଧୀନରେ ଥିବା ପୁଟୁରୁପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଝୁଲାସାହି ଗାଁ। ଯେଉଁଠି ଏବେବି ସରକାରଙ୍କ ବହୁମୁଖୀ ବିକାଶ ଯୋଜନା ପହଞ୍ଚି ପାରିନି। ସ୍ୱାଧୀନତାର ୭୭ ବର୍ଷ ପରେ ବି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଲୋକେ ବହୁ ଦୁଃଖ କଷ୍ଟ ପାଉଥିବା ଅଭିଯୋଗ କରିଛନ୍ତି. ଏହି ଝୁଲା ସାହି ଗ୍ରାମବାସୀଙ୍କୁ ସବୁଦିନିଆ ରାସ୍ତା ସାତସପନ ପାଲଟିଛି. ସିଧାସଳଖ ରାସ୍ତା ନ ଥିବାରୁ ଲୋକେ ପାଦ ଚଲାରେ ବହୁ ସମୟ ଅତିକ୍ରାନ୍ତ କରି ଶରୀରକୁ କଷ୍ଟ ଦେଇ ଯିବାକୁ ପଡୁଛି. ଗ୍ରାମର ଲୋକଙ୍କୁ ସରକାରୀ ସାମଗ୍ରୀ ଚାଉଳ, ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଆଦି ପାଇଁ ଅନେକ କି.ମି ଦୂର ଚାଲି ଯିବାକୁ ପଡିଥାଏ। ସରକାର ଗରୀବ ଆଦିବାସୀଙ୍କ ପାଇଁ ଅନେକ ବହୁମୁଖୀ ଯୋଜନା କରିଛନ୍ତି ବୋଲି ଗାଁ ଠୁ ସହର ପର୍ଯ୍ୟନ୍ତ ବିକାଶର ଡିଣ୍ଡିମ୍ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ତାହାର ଓଲଟା ଦେଖିବାକୁ ମିଳିଛି। ଉକ୍ତ ସମସ୍ୟା ସମ୍ପର୍କରେ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ କରି ଥକି ପଡିଲେଣି ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା କହିଛନ୍ତି ଝୁଲାସାହି ଗ୍ରାମବାସୀ। ଗ୍ରାମରେ ଅଙ୍ଗନୱାଡ଼ି ନାହିଁ। ସାହି ଠାରୁ ଅନେକ କିମି ଦୂର ଜଙ୍ଗଲ ପାହାଡ଼ ପରେ ପ୍ରାଥମିକ ବିଦ୍ୟାଳୟ। ଦୁର୍ଗମ ପାଦଚଲା ରାସ୍ତା ଯୋଗୁଁ ଅନେକ ଛାତ୍ର-ଛାତ୍ରୀଙ୍କ ପାଠପଢ଼ା ପ୍ରାଥମିକ ଶିକ୍ଷା ପରେ ପାଠରେ ଡୋରି ବନ୍ଧା ହୋଇଯାଏ। ତଥାପି କିଛି ପିଲାମାନେ ନିଜ ଜୀବନକୁ ବାଜି ଲଗାଇ ଖାଲ ଖମା ରାସ୍ତାରେ ଅନେକ କିମି ଚାଲି ପାଠ ପଢ଼ିବାକୁ ଯାଆନ୍ତି। ଗାଁ କୁ ୧୦୮, ୧୦୨ ଆମ୍ବୁଲାନ୍ସ କି ଦମକଳ ଗାଡ଼ି ଯିବାର ପ୍ରଶ୍ନ ଉଠୁନି। ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଲେ କିମ୍ବା ଗର୍ଭବତୀଙ୍କ ଗର୍ଭ ଯନ୍ତ୍ରଣା ହେଲେ ଅନେକ କିମି ଖଟିଆରେ ବୁହା ହୋଇ ଥାନ୍ତି ରୋଗୀ। ଗ୍ରାମର ସମସ୍ତ ପରିବାର ଦିନ ମଜୁରିଆ ହୋଇଥିବା ବେଳେ କେହି କେହି ଅନ୍ୟର କାମ ଧନ୍ଦା କରି ଜୀବିକା ନିର୍ବାହ କରୁଥିବା ବେଳେ, ଅନେକ ଲୋକ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ନିଜ ଜୀବିକା ନିର୍ବାହ କରନ୍ତି। ତେବେ ଏହି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ପାଇଁ ଭଗବାନ ହିଁ ଭରଷା। ଯଦି, ସରକାର ଓ ପ୍ରଶାସନ ଗ୍ରାମବାସୀ ମାନଙ୍କ ସମସ୍ୟାର ସମାଧାନ ନ କରନ୍ତି ତାହାଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଦେଖିବାକୁ ବାକି ରହିଲା କେବେ ଜିଲ୍ଲା ପ୍ରଶାସନର ଓ ବ୍ଲକ ପ୍ରଶାସନର ଶୁଭ ଦୃଷ୍ଟି ପଡ଼ିବ ଏବଂ କେବେ ବ୍ୟବସ୍ଥା ସୁଧୁରିବ ଓ ଅଞ୍ଚଳର ଦୁଃଖ ଓ ଦୁର୍ଦ୍ଦଶା ଦୂର ହେବ ସେହି ଆଶାରେ ବସିଛନ୍ତି ଏହି ଝୁଲାସାହି ଗ୍ରାମବାସୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ