ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ଏଥିରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଡି.ଏସ୍.ଏସ୍.ଓ ପବିତ୍ର କୁମାର ଦାସ, ବିଡିଓ ପ୍ରଦୀପ କୁମାର ସେଠୀ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ସମାଜସେବୀ ସେକ୍ ଜଲାଲଉଦ୍ଦୀନ ଅତିଥି ଭାବେ ଯୋଗ ଦେଇଥିଲେ । ସ।।ମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାର ତଥା ଭଦ୍ରକ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଶିବିରରେ ମୋଟ ୧୭୪ ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରେ ଶାରୀରିକ ଭିନ୍ନକ୍ଷମ ୪୧, ମାନସିକ ୬୪, ଶ୍ରବଣ ବାଧିତ ୨୮, ଦୃଷ୍ଟି ବାଧିତ ୩୪ ଓ ୧୪ ବର୍ଷ ପର୍ଯ୍ୟନ୍ତ ୭ ଜଣ ସ୍କୁଲ ପିଲା ଅନ୍ତର୍ଭୁକ୍ତ ଥିଲେ । ଶିବିରର ବିଭିନ୍ନ ବିଭାଗ ଦାୟୀତ୍ୱରେ ଡା. ଏସ୍.ଅଲ୍ଲୀ, ଡା. ଅମୂଲ୍ୟ କୁମାର ଦାସ, ଡା. ସନ୍ତୋଷ କୁମାର ସିଂହ, ଡା.ଜ୍ୟୋତି ରଂଜନ ଦାଶ, ଡା.ବୈଦନାଥ ଓଝା ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରି ଚିହ୍ନଟ କରିଥିବା ବେଳେ ଅଫିସ ଆସିଷ୍ଟାଣ୍ଟ ଜ୍ଞାନ ରଂଜନ ବେହେରା, ଅଡିଓଲୋଜିଷ୍ଟ ଶ୍ରୀକାନ୍ତ କୁମାର ପ୍ରଧାନ, ସାଇକୋଲୋଜିଷ୍ଟ ସ୍ୱାଧିନ କୁମାର ମୁଦୁଲି ସହଯୋଗ କରିଥିଲେ । ଶିବିର ପରିଚାଳନାରେ ବି.ଏସ୍.ଏସ୍.ଓ ପ୍ରକାଶ ସାହୁ, ଜୁନିୟର ଆସିଷ୍ଟାଣ୍ଟ ପଦ୍ମିନୀ ସିଂ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଲକିପ୍ରଭା ଜେନା, ପିଇଓ ନିଶାକର ଖୁଣ୍ଟିଆ, ପ୍ରଫୁଲ୍ଲ ପଣ୍ଡା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବଟକୃଷ୍ଣ ମହାନ୍ତି, ପୂର୍ବତନ ସରପଞ୍ଚ ଅଶୋକ ମହାନ୍ତିଙ୍କ ସମେତ ସମସ୍ତ ପିଇଓ, ଜିଆରଏସ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ଆଜି ପ୍ରତିକୂଳ ପାଗ ଥିବା ସତ୍ତେ ବହୁ ଭିନ୍ନକ୍ଷମ ଏହି ଶିବିରକୁ ଆସିଥିବାର ଦେଖାଯାଇଥିଲା ।


