ସାଂସଦ ଖେଳ ମହାକୁମ୍ଭର ଶୁଭାରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆହ୍ଵାନ କ୍ରମେ ସାରା ଦେଶରେ ବିଜେପି ସାଂସଦ ମାନେ ପ୍ରତିବର୍ଷ ଖେଳ ମହାକୁମ୍ଭର ଆୟୋଜନ କରିଥାନ୍ତି, ସେହି କ୍ରମରେ ଆଜି ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ସାଂସଦ ଖେଳ ମହାକୁମ୍ଭର ଶୁଭାରମ୍ଭ ସ୍ଥାନୀୟ ପରମିଟ ପଡ଼ିଆରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଆଗାମୀ ୨୯ ତାରିଖରେ ଆୟୋଜିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣକମଳରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ଓ ପଣ୍ଡିତ ଗୋପାଳଚନ୍ଦ୍ର ମିଶ୍ର ବେଦ ଜ୍ୟୋତିର୍ବିଜ୍ଞାନ ବିଦ୍ୟାପୀଠର ଛାତ୍ର ମାନଙ୍କ ଦ୍ବାରା ବେଦପାଠ ଉପରାନ୍ତେ ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ ହୋଇଥଲା। ଏହା ପରେ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ସ୍ଵାଗତ ସଂଗୀତ ଗାନ କରିଥିଲେ।ଶ୍ରୀମତୀ ମମତା ମହାପାତ୍ର ସ୍ବାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ।ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ କେନ୍ଦ୍ର ଖେଳ ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଆଭାସି ମାଧ୍ୟମରେ ଯୋଗଦାନ କରିଥିଲେ। ମାନ୍ୟବର କେନ୍ଦ୍ରମନ୍ତ୍ରୀ ସାଂସଦଙ୍କ ଦ୍ଵାରା ଆୟୋଜିତ ଖେଳ ମହାକୁମ୍ଭର ଭୂୟସୀ ପ୍ରଶଂସା କରିଥିବା ବେଳ ସାଂସଦଙ୍କ ନିରାଡମ୍ବର ଜୀବନଶୈଳୀ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଥିଲେ। ସେ ଆହୁରି କହିଥିଲେ ଯେ ନିର୍ବାଚନ ପରେ ସେ ବ୍ୟକ୍ତିଗତ ଭାବେ ବାଲେଶ୍ଵର ଆସିବେ ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ। ମୁଖ୍ୟ ଅତିଥି ରୂପେ ପଦ୍ମଶ୍ରୀ ପ୍ରଫେସର ଦମୟନ୍ତୀ ବେଶ୍ରା ଆନୁଷ୍ଠାନିକ ଭାବେ ଖେଳ ମହାକୁମ୍ଭର ଶୁଭାରମ୍ଭ କରି କହିଥିଲେ ଖେଳ କେବଳ ଏକ ଜିତିବା ହାରିବାର ପ୍ରତିଯୋଗୀତା ନୁହେଁ, ଏହା ମାଧ୍ୟମରେ ବ୍ୟକ୍ତିର ଉଭୟ ଶାରୀରିକ ଓ ମାନସିକ ବିକାଶ ହେବା ସହିତ ସମାଜରେ ଭାତୃତ୍ବର ବନ୍ଧନ ସୃଷ୍ଟି କୟିଥାଏ। ସମ୍ମାନୀତ ଅତିଥିଭାବେ ଜିଲ୍ଲା ଏଥେଲେଟିକ୍ ଆସୋସିଏସନର ଉପସଭାପତି ଅଜୟ ମିଶ୍ର ଯୋଗଦାନ କରି ଆୟୋଜକ ମାନଙ୍କୁ ପ୍ରଶଂସା କରି କହିଥିଲେ ଯେ ଏଥେଲେଟିକ୍ ଆସୋସିଏସନ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବ। ସଭାରେ ସଭାପତିତ୍ବ କରୁଥିବା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ଉଦଯାପନୀ ଭାଷଣରେ କହିଥିଲେ ଯେ ମୋବାଇଲ ବ୍ୟବହାର ଯୋଗୁଁ କିଶୋର କିଶୋରୀ ଠାରୁ ଯୁବକମାନେ ଖେଳପଡ଼ିଆରୁ ଦୂରେଇ ଯାଉଛନ୍ତି, ଏହି ଭଳି ଖେଳ ପ୍ରତିଯୋଗୀତା ହେଲେ ପିଲା ଠାରୁ ଯୁବାବର୍ଗଙ୍କର ଶାରିରୀକ ଓ ମାନସିକ ବିକାଶ ହେବ। ଖେଳ ସମାଜକୁ ଏକତ୍ରିତ କରିଥାଏ, ଖେଳ ମଧ୍ୟରେ କୌଣସି ଭେଦଭାବ ଥାଏ। ସେ ଆହୁରି କହିଥିଲେ ଯେ ଆଧୁନିକ ଖେଳ ଯୋଗୁ ଭାରତର ପାରମ୍ପାରିକ ଖେଳ ଗୁଡ଼ିକର ଲୋକପ୍ରିୟତା ହ୍ରାସ ପାଉଛି, ଆମମାନଙ୍କୁ ସେସବୁକୁ ଗୁରୁତ୍ବ ଦେଇ ତାର ଅଧିକ ପ୍ରଚାର ପ୍ରସାର ଦିଗରେ କାମ କରିବାକୁ ପଡ଼ିବ। ୧୦ ଦିନ ବ୍ୟାପୀ ଏହି ଖେଳ କାର୍ଯ୍ୟକ୍ରମରେ ସଂସଦୀୟ କ୍ଷେତ୍ରର ସମସ୍ତ ବ୍ଲକ୍ ମାନଙ୍କରେ ମୋଟ ୨୫ ହଜାରରୁ ଊର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ। ଆଜିର ଏହି ଉଦଘାଟନୀ ଉତ୍ସବରେ ସମସ୍ତ ବ୍ଲକର ଖେଳାଳୀଙ୍କ ପ୍ରତନିଧି ମାନେ ଅଂଶଗ୍ରହଣ କରିଥିଲେ। ନାଟ୍ୟକାର ପ୍ରଦୀପ କୁମାର ମିଶ୍ର ମଞ୍ଚ ଆହ୍ବାନ ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥଲେ, ସରସ୍ଵତୀ ଶିଶୁ ମନ୍ଦିର ବାଲିଆର ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ବ୍ଯାଚ ପ୍ରଦାନ କରିଥଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ମାଣିକଖମ୍ବ ସରସ୍ୱତୀ ଶିଶୁ ମନ୍ଦିର ଓଡ଼ଶୀ, ଲେଜିମ୍ ଓ ଡ଼ମ୍ବେଲ୍ ନୃତ୍ୟ ପରିବେଷଣ କରିଥିବା ବେଳ ‘ଶ୍ରୀକୃଷ୍ଣ ନୃତ୍ଯନାଟିକା’ ସିଦ୍ଧି ବିନାୟକ ସ୍କୁଲ ଦ୍ଵାରା ଓ ବ୍ୟାଣ୍ଡ ବାଦ୍ୟ ସରସ୍ବତୀ ଶିଶୁ ମନ୍ଦିର ବାଲିଆ ଦ୍ଵାରା ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ମାଣିକଖମ୍ବ, ବାଲିଆ, ନୀଳଗିରି ଓ ରେମୁଣା ସରସ୍ୱତୀ ଶିଶୁ ମନ୍ଦିରର ଷୋଘ ଟିମ ଯୋଗଦାନ କରିଥିଲେ। ଆଇନଜୀବୀ କିରଣ କୁମାର ମହାରଣାଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ ପରେ ଜାତୀୟ ସଂଗୀତ ଗାନ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ କରିଥିଲେ।


