ପୋଲସରା ବ୍ଲକରେ ପଞ୍ଚାୟତରାଜ ଓ ଲୋକସେବା ଦିବସ
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ସଭା ଗୃହରେ ମାର୍ଚ୍ଚ ୫ ତାରିଖ ଦିନ ପଞ୍ଚାୟତରାଜ ଓ ଲୋକସେବା ଦିବସ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, ପୋଲସରା ବ୍ଲକ ଜିପିଓ ଓ ସିଡ଼ିପିଓ ମଞ୍ଚାସୀନ ଥିଲେ। ବିଡ଼ିଓ ଶ୍ରୀ ଜେନା ପଞ୍ଚାୟତରାଜ ଓ ଲୋକସେବା ଦିବସ ର ଉଦ୍ଦେଶ୍ୟ ବିଷୟରେ କହିବା ସହ ପୋଲସରା ବ୍ଳକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। ପୋଲସରା ବ୍ଲକକୁ ଏକ ଶ୍ରେଷ୍ଠ ବ୍ଲକରେ ଗଢିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ମାନ୍ୟବର ବିଧାୟକ ଶ୍ରୀ ସାହୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଓଡ଼ିଶାର ପ୍ରଗତି ପାଇଁ ଅବଦାନ ଓ ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କ ପାଇଁ ସଂରକ୍ଷଣ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ। ସେଥିପାଇଁ ବିଜୁବାବୁଙ୍କ ଜନ୍ମ ଦିବସକୁ ପଞ୍ଚାୟତ ରାଜ ଦିବସ ଭାବେ ପାଳନ କରିବାକୁ ଓଡିଶା ସରକାର ନିଷ୍ପତ୍ତି ଗ୍ରହଣ କରିଥିବା ପ୍ରକାଶ କରିଥିଲେ। ଏହି ଅବସରରେ ଉତ୍ତମ କାର୍ଯ୍ୟ କରିଥିବା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ମେମ୍ବର, ପିଇଓ, ଜିଆରଏସ ଓ ବ୍ଲକ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ।


