ଅଦିନିଆ ବର୍ଷାରେ ଉଜୁଡ଼ା ଫସଲ ପାଇଁ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସମାଜବାଦୀ ପାର୍ଟିର ଦାବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଗତ ଦୁଇ ତିନିଦିନ ହେଲା ରାଜ୍ୟରେ ଲାଗି ରହିଥିବା ଅଦିନିଆ ବର୍ଷା ଯୋଗୁ ପନିପରିବା ସମେତ ବାଦାମ, ବିରି, ମୁଗ, କୋଳଥ ଆଦି ଫସଲ ଉଜୁଡ଼ି ଯାଇଛି । ଋଣ କରି ରବି ଫସଲ କରିଥିବା ଚାଷୀର ମୁଣ୍ଡରେ ଚଡ଼କ ପଡ଼ିଛି । କିପରି ଋଣ ଶୁଝିବ, ସେହି ଚିନ୍ତାରେ ରାଜ୍ୟର ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଆଗାମୀ ୧୫ ଦିନ ଭିତରେ ଉଜୁଡ଼ା କ୍ଷେତର ଆକଳନ କରି କ୍ଷୟକ୍ଷତି ରିପୋର୍ଟ ମୁତାବକ ଚାଷୀଙ୍କୁ ଏକର ପିଛା ସର୍ବନିମ୍ନ ୨୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ସମାଜବାଦୀ ପାର୍ଟି ଦାବି କରିଛି ।ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ସାଧାରଣତଃ ଖରିଫ ଧାନଚାଷ ପରେ ରାଜ୍ୟର ଚାଷୀମାନେ ବିରି, ମୁଗ, କୋଳଥ, ଚିନାବାଦାମ ଭଳି ଡାଲି ଓ ତୈଳବୀଜ ଫସଲ ଚାଷ ଉପରେ ନିର୍ଭର କରନ୍ତି । ଏହାବ୍ୟତୀତ ବହୁ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀମାନେ ପନିପରିବା, କାକୁଡ଼ି, ତରଭୁଜ, ଫୁଟି, ଟମାଟୋ ଆଦି ଚାଷ କରି ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି । କିନ୍ତୁ ଅଦିନିଆ ଝଡ଼ିବର୍ଷା ଯୋଗୁ ଚାଷୀମାନଙ୍କ ଏହିସବୁ ଫସଲ ଉଜୁଡ଼ି ଯାଇଛି । ଉଜୁଡ଼ା କ୍ଷେତକୁ ଦେଖି ରାଜ୍ୟର ଚାଷୀକୂଳ ମୁଣ୍ଡରେ ହାତଦେଇ ବସିଛନ୍ତି । କେମିିତି ଋଣ ଶୁଝିବେ, ସେହି ଚିନ୍ତା ଚାଷୀଙ୍କୁ ଘାରିଛି । ତେଣୁ ସ୍ୱତନ୍ତ୍ର ରିଲିଫ କମିଶନର ତୁରନ୍ତ ଉଜୁଡ଼ି ଯାଇଥିବା ଚାଷର ଆକଳନ କରି ୧୫ ଦିନ ଭିତରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଆବଶ୍ୟକ ପଡ଼ିଲେ ସ୍ୱତନ୍ତ୍ର ରିଲିଫ କମିଶନର, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ଅନୁମତି ନେଇ ଚାଷୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କ୍ଷତିପୂରଣ ଦେବାକୁ ସମାଜବାଦୀ ପାର୍ଟି ଦାବି କରିଛି ।


