ରାସ୍ତା ହେଲା ମୁଖ୍ୟ ସମସ୍ୟା ଆଶାଦିଦିଙ୍କୁ ମିଳିଲାନି ଆମ୍ବୁଲାନ୍ସ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳ ଗଦାପୁର ପଞ୍ଚାୟତ ନିଲାକ୍ଲିଉଠାରୁ ସିକବାଡ଼ିକୁ ସବୁଦିନିଆ ପକ୍କା ରାସ୍ତାଟିଏ ନାହିଁ। ଯାହା ଫଳରେ ଉକ୍ତ ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ଭାର ସାହାଯ୍ୟରେ ପ୍ରାୟ ୩ କିମି ରାସ୍ତା ବୋହି ନିଆଯାଇ ଥିବା ବିଷୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି l ଘଟଣାରୁ ପ୍ରକାଶ ଯେ, ନିଲାକ୍ଲିଉ ଗ୍ରାମର ଗର୍ଭବତୀ ମହିଳା ଶିବାଜିନି ମୁଠାମାଝିଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକ ଓ ଗ୍ରାମବାସୀ ଏକ ଭାର ସାହାଯ୍ୟରେ ଗଦାପୁରକୁ ଆଣିବା ପାଇଁ ପ୍ରାୟ ୩ କିମି ପାହାଡିଆ ଜଙ୍ଗଲ ରାସ୍ତାରେ ବୋହି ଆଣିଥିଲେ। ଗୋଟିଏ ପଟେ ଶିବାଜିନିଙ୍କ ପ୍ରସବ ଯନ୍ତ୍ରଣା ଯୋଗୁ ଚିତ୍କାର କରୁଥିବା ବେଳେ ଅତି ଦୟନୀୟ ଅବସ୍ଥାରେ ତାଙ୍କୁ କୌଣସି ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଉଥିବା ଭିଡିଓ ଭାଇରାଲ ହେଉଛି। ତେବେ ଏହି ଗର୍ଭବତୀ ମହିଳା ଜଣକ ଆଉ କିଏ ନୁହଁନ୍ତି, ଗର୍ଭବତୀ ମହିଳାଙ୍କୁ ସବୁବେଳେ ସହାୟତା କରୁଥିବା ଆଶାଦିଦି। ଯାହାକି ଅଞ୍ଚଳରେ ଏହାକୁ ନେଇ ଉଦବେଗ ଦେଖାଯାଇଛି। ଘଟଣାଟି ମଙ୍ଗଳବାର ଭୋର ସମୟର ବୋଲି କୁହାଯାଉଛି। ନିଲାକ୍ଲିଉ ଗ୍ରାମର ଶିବାଜିନି ଆଶା ଦିଦି ଭାବେ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି। ତେବେ ସେ ନିଜେ ଗର୍ଭବତୀ ଥିବାରୁ ମଙ୍ଗଳବାର ପ୍ରସବ ଯନ୍ତ୍ରଣା ହୋଇଥିଲା। ତାଙ୍କ ଅଞ୍ଚଳରେ ଭଲ ରାସ୍ତାଟିଏ ନ ଥିବା ବେଳେ ମୋବାଇଲ ଟାୱାର ମଧ୍ୟ ନାହିଁ। ଫଳରେ ତାଙ୍କୁ ୩ କିମି ବୋହିକି ନେବା ପରେ ଶିକବାଡିଠାରୁ ଏକ ଅଟୋ ଯୋଗେ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କର ପ୍ରସବ ସୁରୁଖୁରୁରେ ହୋଇଥିଲା ଓ ପରେ ଡାକ୍ତର ଶିବାଜିନିଙ୍କୁ ଘରକୁ ପଠାଇ ଦେଇଥିଲେ। କେବଳ ଶିବାଜିନି ନୁହଁନ୍ତି, ଏଭଳି ଅଞ୍ଚଳରେ ଅନେକ ମହିଳା ପ୍ରସୂତି ପାଇଁ ହଟହଟା ଭୋଗୁଥିବା ଉକ୍ତ ଅଞ୍ଚଳର ଜିଲା ପରିଷଦ ସଦସ୍ୟା ଦୀପିକା ମାଝି କହିଛନ୍ତି। ଶିବାଜିନିଙ୍କ ସ୍ବାମୀ ଦିଅପିଲ ମାଝି ମଧ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଯେ, ତାଙ୍କ ଗ୍ରାମକୁ ପକ୍କା ରାସ୍ତା ଟିଏ କରାଯାଉ। ଯେମିତି ତାଙ୍କ ସ୍ତ୍ରୀ ଯେମିତି କଷ୍ଟ ପାଇଲେ ଆଉ କେହି ଯେମିତି ସେଭଳି କଷ୍ଟ ନ ପାଆନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ