ହରି ହର ଙ୍କ ଅପେକ୍ଷା ରେ ଐତିହାସିକ ସଭାମଣ୍ଡପ
ପବିତ୍ର ଫଗୁ ଦଶମୀ ତିଥି ଠାରୁ ସାରା ରାଜ୍ଯ ରେ ଆରମ୍ଭ ହୋଇଯାଇଛି ଦୋଳ ଉତ୍ସବ। ରାଧା କୃଷ୍ଣ ଓ ହରି ହର ଠାକୁର ସ୍ୱ ସ୍ୱ ବିମାନ ରେ ଗାଁ ଗାଁ, ଘର ଘର ବୁଲି ଦ୍ୱାରୀ ଭୋଗ ଖାଉଛନ୍ତି। ସାରା ରାଜ୍ୟ ରେ ବିଭିନ୍ନ ସ୍ଥାନରେ ଠାକୁର ମାନଙ୍କ ବସିବା ପାଇଁ ଦୋଳ ବେଦୀ ରହିଥିବାବେଳେ ଏକ ମାତ୍ର ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ପ୍ରାଚୀ ଉପତ୍ୟକାର ତୁଳସୀପୁର ପଞ୍ଚାୟତ ସାନହୁଲି ଗ୍ରାମ ର ରତ୍ନବଟ ଠାରେ ରହିଛି ଦୋଳ ମଣ୍ଡପ ଯାହାର ନାମ ସଭାମଣ୍ଡପ।ପ୍ରାୟ ୫୦ଫୁଟ ଲମ୍ବ ଓ ୨୫ ଫୁଟ ଓସାର ର ଏହି ମଣ୍ଡପ ଟି ଖାରବେଳ ଙ୍କ ସମୟ ର କୀର୍ତ୍ତି ବୋଲି ଗବେଷକ ମାନେ କୁହନ୍ତି। ମଣ୍ଡପ ଟି ବର୍ଷ ସାରା ଖାଲି ପଡ଼ୁଥିବା ବେଳେ ଏକ ମାତ୍ର ଦୋଳ ପୂର୍ଣ୍ଣିମା ପ୍ରାତଃ ରେ ଭେଟ ପଡ଼ିଆ ଠାରେ ହରି ହର ଭେଟ ଉତ୍ସବ ଅନୁଷ୍ଠିତ ହେବାପରେ ଏହି ମଣ୍ଡପ ଉପରେ ହରି ପ୍ରଭୁ ମାଧବାନନ୍ଦ, ରାଧାକାନ୍ତ ଓ ହର ପ୍ରଭୁ ଅମରେଶ୍ୱର, ବନ୍ଦେଶ୍ୱର ଏକତ୍ର ବସି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଦୋଳ ପୂର୍ଣ୍ଣିମା ତିଥି ରେ ଏକତ୍ର ହରି ହର ଙ୍କୁ ଦର୍ଶନ କଲେ ପୁନଃଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ଏଣୁ ବର୍ଷ ସାରା ଶୁନଶାନ ପଡ଼ୁଥିବା ଭେଟପଡ଼ିଆ ଓ ସଭାମଣ୍ଡପ ଦୋଳ ଉତ୍ସବ ରେ ଚଳଚଞ୍ଚଳ ହୋଇପଡ଼ିଥାଏ ବୋଲି କହିଛନ୍ତି ରତ୍ନବଟ ର ପୂଜକ ରାଜକିଶୋର ଶତପଥି। ଏବେ ସେହି ଐତିହାସିକ ସଭାମଣ୍ଡପ ହରି ହର ଠାକୁର ଙ୍କୁ ଅପେକ୍ଷା କରି ରହିଛି।
ସନ୍ତୋଷ ଦାଶ। ନିମାପଡ଼ା। ପୁରୀ।
୯୪୩୯୩୬୧୮୮୮


