ଘୋଡାହାଡ ନଦୀ ପାଲଟିଛି ଆବର୍ଜନା କୁଣ୍ଡ , ପ୍ରଶାସନର ଦୃଷ୍ଟି ପଡିବ କେବେ ?

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅନେକ ସମୟରେ ସ୍ୱଚ୍ଛ ଭାରତ ପାଇଁ ଆସୁଥିବା ଅର୍ଥ ଖର୍ଚ୍ଚ ହେଉଛି କିନ୍ତୁ ପରିବେଶ ,ଜଳାଶୟ ଓ‌ ନଦୀ ବି ପ୍ରଦୂଷିତ ହେବାର ଦେଖାଯାଉଛି। ସେଭଳି ଘଟଣା ଦେଖିବାକୁ ମିଳିଛି । ହିଞ୍ଜିଳିକାଟୁ ପୈରାଞ୍ଚଳ ସ୍ଥିତ ଏମସିସି କେନ୍ଦ୍ର ତଥା ଭଗବତୀ ମନ୍ଦିର ନିକଟ ଘୋଡାହାଡ ନଦୀରେ । ଘୋଡାହାଡ ନଦୀ ହିଞ୍ଜିଳିକାଟୁର ଜୀବନ ରେଖା କହିଲେ ଅତ୍ୟୁକ୍ତି ହେବ ନାହିଁ। ନଦୀଟି ଆବର୍ଜନା କୁଣ୍ଡ ପାଲଟିଛି। ହିଞ୍ଜିଳିକାଟୁ ପୌରାଞ୍ଚଳର ବିଭିନ୍ନ ସ୍ଥାନରୁ ସଂଗୃହୀତ ସମସ୍ତ ଅଳିଆ ଆବର୍ଜନାକୁ ନେଇ ନଦୀ ମଧ୍ୟରେ ପକାଯାଉଛି। ନଦୀଟି ଆବର୍ଜନା କୁଣ୍ଡ ପାଲଟିବା ଯୋଗୁଁ ସ୍ନାନ କଲେ ଦେହ ହାତ କୁଣ୍ଡେଇ ହେବା ସହ ବିଭିନ୍ନ ଚର୍ମ ରୋଗ ହେଉଛି। ଏପରିକି ନଦୀର ଜଳ ବର୍ତ୍ତମାନ ପରିସ୍ଥିତିରେ ଜହର ପାଲଟିବା ଦେଖିବାକୁ ମିଳିଛି। ହିଞ୍ଜିଳିକାଟୁ ପୌରପରିଷଦ ଏକ ନମ୍ବର ମାନ୍ୟତାପ୍ରାପ୍ତ କୌଶଳ ଆପଣାଇବା ସହ ଏମସିସି ଓ ଆବର୍ଜନା ପୃଥକୀ କରଣ କରିବାକୁ ସରକାରୀ ଅର୍ଥ ଖର୍ଚ୍ଚ ହୋଇସାରିଛି। ସଂପୃକ୍ତ ପ୍ରୟୋଗଶାଳା ଦେଖିବାକୁ ନେତା ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ପ୍ରସାଶନିକ ଅଧିକାରୀ ମାନେ ଏହାକୁ ବୁଲି ଦେଖିଥିଲେ।ଅଥଚ ବାସ୍ତବରେ ବିଫଳତା ବୋଲି ସାଧାରଣରେ ଆଲୋଚନା ହେଉଛି। ହିଞ୍ଜିଳିକାଟୁ ପୌରାଞ୍ଚଳର ୨୧ଗୋଟି ୱାର୍ଡରୁ ପ୍ରତ୍ୟହ ସକାଳ ଓ ସନ୍ଧ୍ୟା ସମୟରେ ଟ୍ରାକ୍ଟର ଯୋଗେ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରି ନଦୀ ମଧ୍ୟରେ ପକାଯାଉଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ ବାହାରୁ ଅନେକ ଟ୍ରକ ଓ ଅଟୋ ଯୋଗେ ବିଭିନ୍ନ କମ୍ପାନୀ ର ଅଦରକାରୀ ଓ ଏକ୍ସପାଏରି ପୁଟି ପାଉଡର, କେମିକାଲ ଡବା,ଧଳା ସିମେଣ୍ଟ,ବୋତଲ ଆଦି କୋର୍ଟ ନିକଟରେ ଘୋଡାହଡ ନଦୀରେ ପକାଉଛନ୍ତି। ଅଥଚ ଟ୍ରାକ୍ଟର ଯୋଗେ ଅନ୍ୟ ଆବର୍ଜନା କୁଣ୍ଡରୁ ଆବର୍ଜନା ସଂଗ୍ରହ ହେଉଥିବା କାହାର ଦୃଷ୍ଟି ଗୋଚର ହେଉନଥିବା ଅଭିଯୋଗ ହେଉଛି। ସହରର ଆବର୍ଜନା ରେ ସମ୍ପୂର୍ଣ୍ଣ ଭାବେ ପ୍ରଦୁଷିତ ହୋଇଯାଇଛି ଏହାର ପାଣି।ନଦୀଜଳ ପ୍ରଦୁଷିତ ହେବାରୁ ରକ୍ଷା ପାଇବା ପାଇଁ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପଦକ୍ଷେପ ନେବାକୁ ଦାଵି ହେଉଛି।ଯଥାଶିଘ୍ର ଘୋଡାହାଡ ନଦୀ ପ୍ରଦୁଷଣ ମୁକ୍ତ କରିବା ପାଇଁ ପଦକ୍ଷେପ ନନେଲେ ଆଗକୁ ଘୋଡାହାଡ ନଦୀ ତାର ସତା ହରାଇବ । ଜିଲ୍ଲା ସ୍ତରରେ ସ୍ୱାଚ୍ଛ ଭାରତ ତଦାରଖ କରୁଥିବା ଅଧିକାରୀ ଓ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ