ଲାଖବିନ୍ଧା : ସାନ୍ତାଳୀ ସଂସ୍କୃତିର ପରିଚୟ
ଦଶରଥ ହେମ୍ବ୍ରମ୍
ସାନ୍ତାଳୀ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ପ୍ରତି ବର୍ଷ ମକର ସଙ୍କ୍ରାନ୍ତି ଦିନ ସାନ୍ତାଳ ସମ୍ପ୍ରଦାୟର ଲୋକମାନେ ଲାଖବିନ୍ଧା ପ୍ରତିଯୋଗିତା ସାନ୍ତାଳ ଗ୍ରାମଗୁଡିକରେ ଅନୁଷ୍ଠିତ କରାଯାଇଥାଏ । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ହେଲେ ଧନୁତୀରର ଆବଶ୍ୟକତା ଅଛି । ତେଣୁ ପ୍ରତ୍ୟେକ ସାନ୍ତାଳ ଲୋକମାନଙ୍କ ପାଖରେ ଧନୁତୀର ତିଆରି କରି ଘରେଘରେ ରଖିବାର ନିୟମ ରହିଛି । ଲାଖବିନ୍ଧାରେ କେବଳ ଧନୁତୀରକୁ ବ୍ୟବହାର କରାଯାଏ, ତାହା ନୁହଁ, ପ୍ରତି ସାନ୍ତାଳ ଲୋକ ଏହାକୁ ଧର୍ମୀୟ ଅସ୍ତ୍ର ଭାବରେ ବ୍ୟବହାର କରିଥାନ୍ତି । କିନ୍ତୁ ଏହି ସଙ୍କ୍ରାନ୍ତି ଦିନରେ ଗ୍ରାମର ମାଝୀଙ୍କ ସମେତ ଗ୍ରାମବାସୀଙ୍କର ଧନୁତୀର ପାରମ୍ପରିକ ପୂଜାର୍ଚ୍ଚନା କରାଯିବାର ପରମ୍ପରା ରହିଛି । ଯେତେଜଣ ଲାଖବିନ୍ଧା ପ୍ରତିଯୋଗିତାରେ ଭାଗ ନେବେ, ସେମାନେ ଧନୁତୀର ପୂଜାର୍ଚ୍ଚନାରେ ଉପସ୍ଥିତ ରହିବେ । ପରେ ଲାଖବିନ୍ଧା ପ୍ରତିଯୋଗିତା ଆରମ୍ଭ ହୁଏ । କିନ୍ତୁ ତା’ପୂର୍ବରୁ ଗ୍ରାମର ମାଝୀ ହାଳାମ ସବା ଆଗରେ ଧନୁତୀର ମାରିଥାନ୍ତି । ଏହା ପରେ ସେହି ଗ୍ରାମରେ ଥିବା ଅନ୍ୟମାନେ ଏହି ପ୍ରତିଯୋଗିତାରେ ସାମିଲ ହୁଅନ୍ତି । ଯିଏ ଲକ୍ଷ୍ୟସ୍ଥଳରେ ତୀର ଭେଦ କରି ପାରିଲା, ସେହି ଦିନରେ ତାଙ୍କୁ ବିଜେତା ବୋଲି ଘୋଷଣା କରାଯାଏ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସାନ୍ତାଳୀ ପାରମ୍ପାରିକ ପୋଷାକରେ ସମ୍ମାନିତ କରାଯାଏ । ତା’ପରେ ସେମାନଙ୍କୁ କାନ୍ଧରେ କାନ୍ଧେଇ ମାଝୀଙ୍କ ରାଚା(ବାରଣ୍ଡା)କୁ ଅଣାଯାଏ । ବର୍ଷର ଏହି ତିନି ଜଣ ଶ୍ରେଷ୍ଠ ଧନୁର୍ଦ୍ଧାରୀ ସେମାନଙ୍କ ପରିଚୟ ପାଇବା ପରେ ସେମାନଙ୍କୁ କଂସା ଥାଳି ଉପରେ ଗୋଡ଼ ରଖି ପାଣିରେ ଧୋଇ ବନ୍ଦାପନା କରି ସ୍ୱାଗତ କରାଯାଏ ।ସାନ୍ତାଳୀ ସଂସ୍କୃତି ଓ ପରମ୍ପରା ଅନୁସାରେ ଧନୁତୀର, ଖଣ୍ଡା, ବର୍ଛା, ଟାଙ୍ଗୀ, ଶିଙ୍ଘତୂରୀ, ତ୍ରିଶୂଳ, ବଇଁଶି, କେନ୍ଦେରା ଆଦି ଧର୍ମୀୟ ଅସ୍ତ୍ରଶସ୍ତ୍ର ଭାବରେ ଆଦିମ କାଳରୁ ପୂଜାର୍ଚ୍ଚନା କରାଯାଉଛି । ଏହାଦ୍ୱାରା ଜୀବନ ରକ୍ଷା ପାଇଥାଏ ବୋଲି ସାନ୍ତାଳ ଲୋକମାନଙ୍କ ବିଶ୍ୱାସ ରହିଥିବାରୁ ଏସବୁ ବ୍ୟବହାର କରିଥାନ୍ତି । ସୃଷ୍ଟି ଆରମ୍ଭରେ ସାନ୍ତାଳମାନେ ଦିନେ ବଣ, ଜଙ୍ଗଲ, ପାହାଡ, ପର୍ବତରେ ରହି ଧନୁତୀର ସାହାଯ୍ୟରେ ବନ୍ୟଜନ୍ତୁ ଶିକାର କରି ଜୀବନ ନିର୍ବାହ କରୁଥିଲେ । ସାନ୍ତାଳୀ ପୁରାଣରୁ ଜଣାଯାଏ, ପ୍ରାଚୀନ ଯୁଗରେ ସାନ୍ତାଳମାନେ ବସବାସ କରୁଥିବା ସମୟରେ ବିଭିନ୍ନ ଜୀବଜନ୍ତୁମାନଙ୍କ ଆକ୍ରମଣରେ ଶିକାର ହେଉଥିଲେ । ଏହି ଆକ୍ରମଣରୁ ରକ୍ଷା ପାଇବା ପାଇଁ ସେମାନେ ସେମାନଙ୍କ ଦେବତା ମାରାଂବୁରୁଙ୍କୁ କାକୁତି ମିନତୀ ହୋଇ ପ୍ରାର୍ଥନା କରିଥିଲେ । ମାରାଂବୁରୁ ସେମାନଙ୍କର ଦୁଃଖ, ଯନ୍ତ୍ରଣାକୁ ହୃଦୟଙ୍ଗମ କରିପାରି ପରାମର୍ଶ ଦେଲେ ଯେ, କିଛି ଦୂରରେ ଥିବା ଏକ ଜଙ୍ଗଲର ଶାଳ ଗଛ ମୂଳରେ ଏକ ପ୍ରକାର ଅସ୍ତ୍ର ରଖା ଯାଇଛି, ତାହା ଖୋଜି ଆଣି ବ୍ୟବହାର କରି ନିଜକୁ ହିଂସ୍ରଜନ୍ତୁ କବଳରୁ ରକ୍ଷା କରିପାରିବ । ଏହି ଅସ୍ତ୍ରର ନାମ ଥିଲା ‘ଧନୁତୀର’ । ଭାରତ ଇତିହାସରେ ମଧ୍ୟ ଏକଥା ବି ଲେଖା ଯାଇଛି ଯେ, ମଣିଷମାନଙ୍କର ସର୍ବପ୍ରଥମ ଅସ୍ତ୍ରଶସ୍ତ୍ର ଥିଲା ଧନୁତୀର । ତେଣୁ ଧନୁତୀର ଆଦିମ ମଣିଷର ଏକାଧାରରେ ରକ୍ଷାକର୍ତ୍ତା, ପ୍ରାଣଦାତା, ପାଳନକର୍ତ୍ତା କହିଲେ ଅତ୍ୟୁକ୍ତି ହେବନାହିଁ । ବୋଧହୁଏ, ସେହି ଦିନଠାରୁ ସାନ୍ତାଳ ଜନଜାତିମାନେ ଧନୁତୀରକୁ ପବିତ୍ର ପୀଠ ‘ଜାହରଗାଳ’ରେ ରଖି ପୂଜାପାଠ କରି ଆସିବାର ସଂସ୍କୃତି ଓ ପରମ୍ପରା ରହିଛି ।ଲାଖବିନ୍ଧା ପ୍ରତିଯୋଗିତା କେବଳ ସାନ୍ତାଳ ସମ୍ପ୍ରଦାୟରେ ସୀମିତ ନୁହଁ, ଅନ୍ୟ ସମ୍ପ୍ରଦାୟରେ ମଧ୍ୟ ଏହି ପ୍ରତିଯୋଗିତା ଦେଖିବାକୁ ମିଳିଥାଏ । କିମ୍ବଦନ୍ତୀ ଅନୁସାରେ, ପୁରାତନ କାଳରୁ ଦଶହରା ବିଜୟ ଦଶମୀରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ରାଜକୀୟ ପରମ୍ପରା ଅନୁସାରେ ଏହି ଦିନ ଧୂମ୍ଧାମରେ ପାଳନ ହୋଇଥାଏ । ରାଜାମାନେ ପାରମ୍ପରିକ ବସ୍ତ୍ର ପିନ୍ଧି ନିଜର ପାଟ ପଟୁଆର, ଘୋଡ଼ା, ହାତୀ ଓ ସୈନ୍ୟସାମନ୍ତଙ୍କ ସହ ଶୋଭାଯାତ୍ରାରେ ବାହାରି ଲାଖବିନ୍ଧା ସ୍ଥାନକୁ ଯାଇଥାନ୍ତି । ସେଠାରେ ଧନୁତୀର ରଖି ପୂଜାର୍ଚ୍ଚନା କରାଯାଏ । ତା’ପରେ ରାଜାମାନେ ଲାଖକୁ ଲକ୍ଷ୍ୟ କରି ତୀର ମାରିଥାନ୍ତି । ଏହା ବିଜୟଯାତ୍ରା କିମ୍ବା ରାଜ୍ୟଜୟର ପ୍ରତୀକ ଭାବେ ରାଜତନ୍ତ୍ର ଶାସନରୁ ପାଳନ ହୋଇଆସୁଅଛି । ତେବେ ଏନେଇ ସାନ୍ତାଳୀ ଲୋକଗଳ୍ପରୁ ଜଣାଯାଏ ଯେ, ଏକ ରାଜ୍ୟରେ ଜଣେ ସୁଦକ୍ଷ ରାଜା ଥିଲେ । ସେ ଧନୁର୍ବିଦ୍ୟାରେ ଖୁବ ନିଖୁଣ, ହରାଇବା ତ ଦୂରର କଥା ତାଙ୍କ ସହିତ ଯୁଦ୍ଧ କରିବାର ସାହସ କାହାରି ପାଖରେ ନଥିଲା । ରାଜ୍ୟ ଅଧିନରେ ଥିବା ସିଞ୍ଜବୀର ଓ ମାନବୀର ତଳେ ଏକ ବୃହତ ପାହାଡ଼ରେ ଗୋଟିଏ କାରିନାଗିନ ସାପ ରହୁଥିଲା । ତା’ସହିତ ରାଜାଙ୍କ ରାଣୀର ଅନୈତିକ ସମ୍ପର୍କ ସ୍ଥାପନ ହୋଇଥିଲା । ଏ କଥା ନେଇ ରାଜା ସଂପୂର୍ଣ୍ଣ ଅଜ୍ଞ ଥିଲେ । ସମୟ ପାଇଲେ ରାଜା ପ୍ରଜାମାନଙ୍କ ସହିତ ଜଙ୍ଗଲକୁ ଶିକାର କରିବାକୁ ଯାଆନ୍ତି । ସେହି ସ୍ଥାନକୁ ଶିକାର କରିବାକୁ ନଯିବା ପାଇଁ ରାଜାଙ୍କୁ ରାଣୀ ଅନୁରୋଧ କରନ୍ତି । ରାଣୀଙ୍କ ଏଭଳି କଥାକୁ ନେଇ ରାଜା ଚିନ୍ତିତ ହେଲେ, ଏହାର ସତ୍ୟତା ଜାଣିବା ପାଇଁ ପରଦିନ ପ୍ରଜାମାନଙ୍କୁ ନେଇ ସେହି ସ୍ଥାନକୁ ଶିକାର କରିବାକୁ ବାହାରିଲେ । ପହଞ୍ôଚବା ପୂର୍ବରୁ ସତକୁ ସତ ସେହି ବୃହତ କାରିନାଗିନ ସାପ ସେଇ ସ୍ଥାନରୁ ବାହାରିଲା । ଏମାନଙ୍କୁ ଆକ୍ରମଣ କରିବା ପାଇଁ ସେ ଅଗ୍ରସର ହେଲା । ପ୍ରଜାମାନେ ଏହାକୁ ଦେଖି ଭୟରେ ଥରିଲେ, ରାଜାଙ୍କ ନିକଟକୁ ଧାଇଁ ଆସିଲେ । ସାପକୁ ଲକ୍ଷ୍ୟକରି ରାଜା ଧନୁତୀର ଚଳାଇଲେ । କାରିନାଗିନ ସାପ ଟଳିପଡ଼ିଲା । ପ୍ରଜାମାନେ ତା’କୁ ଟାଙ୍ଗୀ ଓ ଖଣ୍ଡାରେ ଖଣ୍ଡ ଖଣ୍ଡ କରି ହାଣି ସେହି ସ୍ଥାନରୁ ଫେରି ଆସିଲେ । ଏକଥା ରାଜା ଆସି ରାଣୀଙ୍କୁ କହିବାରୁ ମନେ ମନେ ରାଣୀ ଖୁବ୍ କାନ୍ଦିଲେ । ରାତିସାରା ଶୋଇ ପାରିଲେ ନାହିଁ ।


