ପାନୀୟ ଜଳ ପାଇଁ ଗ୍ରାମବାସୀ ଙ୍କ ଆନ୍ଦୋଳନ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ଖଇରପଙ୍କ ଗ୍ରାମରେ ଉତ୍କଟ ପାନୀୟ ଜଳ ସମସ୍ୟା ର ସ୍ଥାୟୀ ସମାଧାନ ନେଇ ଗୁରୁବାର ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି। ଗ୍ରାମବାସୀ ଙ୍କ ପକ୍ଷରୁ ସକାଳ ସାଢେ ୯ ଟାରୁ ସାଢେ ୧୦ ଟା ୧ ଘଣ୍ଟା ବ୍ୟାପୀ ଦିଗପହଣ୍ଡି – ନୂଆପଡ଼ା ମୁଖ୍ୟ ରାସ୍ତା କୁ ଅବରୋଧ କରାଯାଇଥିଲା। ରାସ୍ତା ଅବରୋଧ ଯୋଗୁଁ ରାସ୍ତା ରେ ଗାଡ଼ି ଚଳାଚଳ ବନ୍ଦ ଥିଲା। ଟାୟାର ଜାଳି ଗ୍ରାମବାସୀ ରାସ୍ତା ଅବରୋଧ ଯୋଗୁଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ନୂଆପଡ଼ା ଫାଣ୍ଡି ପୋଲିସ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ଜିଦ୍ ରେ ଅଟଳ ରହିଥିଲେ। ଗ୍ରାମବାସୀ ଓ ପୋଲିସ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗ୍ରାମରେ ୧୮୦ ପରିବାରର ୬୦୦ ରୁ ଉର୍ଦ୍ଧ୍ବ ଲୋକ ବସ ବାସ କରି ଆସୁଛନ୍ତି । ଏପରିକି ଗ୍ରାମରେ ୩ ଟି ନଳକୂପ ରହିଥିବା ବେଳେ ସେଥିରୁ ୨ ଟି ଅଚଳ ହୋଇପଡିଛି । ଗ୍ରାମରେ ପାନୀୟଜଳ ପ୍ରକଳ୍ପ ନଥିବାରୁ ଗ୍ରାମବାସୀ ମାନେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ରହୁଛନ୍ତି । ଏନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ଆଜିଯାଏଁ ଗ୍ରାମରେ ପାନୀୟ ଜଳର ସମାଧାନ ହୋଇ ପାରୁନଥିବା ଗ୍ରାମବାସୀ କହିଛନ୍ତିି । ନିର୍ବାଚନ ଆସିଲେ ମାଳମାଳ ନେତା ଗ୍ରାମ କୁ ଆସି ଖୁବଶୀଘ୍ର ଗ୍ରାମରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ପରେ ପ୍ରତାରଣା କରୁଥିବା ଅଭିଯୋଗ ହୋଇଛି। ଯାହାଫଳରେ ଗୁରୁବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ହାଣ୍ଡି ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ସରପଞ୍ଚ ତପନ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିବା ଜଣାପଡିଛି ।


