ନିମାପଡା ରେ ତେଜିଲା ବିଜେଡ଼ି ଟିକେଟ ବିବାଦ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ଆସନରେ ବିଜେଡି ଦଳୀୟ ବିଧାୟକ ସମୀର ରଞ୍ଜନ ଦାଶ ଙ୍କ ବଦଳରେ ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେଇଛି । ଯାହାକୁ ନେଇ ବିଜେଡି ନେତା ଓ କର୍ମୀ ମାନେ ଏକାଠି ହୋଇ ନିଷ୍ପତ୍ତି ବଦଳାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଗତକାଲି ପଞ୍ଚମ ପର୍ଯ୍ୟାୟରେ ବିଜେଡି ନିଜର ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ତେବେ ନିମାପଡ଼ା ଆସନ ପାଇଁ ନିରାଶ ହୋଇଛନ୍ତି ୩ ଥର ର ବିଧାୟକ ସମୀର ରଞ୍ଜନ ଦାଶ। ଦଳ ଏଥର ନିମାପଡ଼ା ପାଇଁ ଗତ କିଛି ଦିନ ତଳେ ବିଜେପି ଦଳ ତ୍ୟାଗ କରି ବିଜେଡ଼ି ରେ ଯୋଗ ଦେଇଥିବା ନେତା ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେଇଛି । ଯାହାକୁ ନେଇ ନିମାପଡ଼ାରେ ବିଜେଡି ସଂଗଠନରେ ଅସନ୍ତୋଷର ବହ୍ନି ଜଳି ଉଠିଛି । ନିମାପଡ଼ାରେ ମେଳି ବାନ୍ଧି ସମୀର ରଞ୍ଜନ ଦାଶ ଙ୍କ ସମର୍ଥକ ମୁଖ୍ୟମନ୍ତ୍ରୀଙ୍କୁ ନିମାପଡ଼ା ଟିକେଟ ନେଇ ପୁନଃ ବିଚାର ପାଇଁ ଦାବି କରିଛନ୍ତି ।ଆଜି ନିମାପଡ଼ା ଗ୍ରୀନଲ୍ୟାଣ୍ଡ କଲ୍ୟାଣ ମଣ୍ଡପରେ ଏ ନେଇ ଏକ ଦଳୀୟ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ନିମାପଡ଼ା ,ଗୋପ ଓ ନିମାପଡ଼ା ଏନ ଏ ସି ର ଅଧ୍ୟକ୍ଷ ,ସରପଞ୍ଚ, ସମିତି ସଭ୍ୟ , ଜିଲ୍ଲା ପରିଷଦ ,ବିଭିନ୍ନ ପଞ୍ଚାୟତ ଓ ବ୍ଲକର ଦଳୀୟ ସଭାପତି, ମହିଳା ସଙ୍ଗଠନ ର ନେତୃତ୍ଵ ମାନେ ସାମିଲ ହୋଇ ବିଜେଡି ସୁପ୍ରିମୋ ନିମାପଡ଼ାରେ ଟିକେଟକୁ ନେଇ ପୁନଃ ବିଚାର କରନ୍ତୁ ବୋଲି ଦାବି ରଖିଛନ୍ତି । ନିମାପଡ଼ାରେ ବିଜେଡି ସଙ୍ଗଠନକୁ ସମୀର ଦାଶ ଏକଜୁଟ କରି ରଖିଥିଲା ବେଳେ କିଭଳି ସମୀରଙ୍କ ପ୍ରତି ଅନ୍ୟାୟ କରି ଦିଲ୍ଲୀପ ନାୟକଙ୍କୁ ଟିକେଟ ପ୍ରଦାନ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ନିମାପଡ଼ା ବ୍ଲକ ବିଜେଡି ସଭାପତି ଅଶୋକ ସାହୁ। ଆସନ୍ତା ୨୦ ତାରିଖରେ ନିମାପଡ଼ା ରେ କୋଡିଏ ହଜାର ସମର୍ଥକଙ୍କୁ ଧରି ଶକ୍ତି ପ୍ରଦର୍ଶନ କରି ବିଜେଡି ସୁପ୍ରିମୋ ଙ୍କ ଉପରେ ଚାପ ପକାଇବା ପାଇଁ ସମୀରଙ୍କ ସମର୍ଥକ ପ୍ରତିବାଦ ସଭା ଆୟୋଜନ କରିବାର ଯୋଜନା ରହିଛି । ଯଦି ବିଜେଡ଼ି ଟିକେଟ ପ୍ରଦାନ ର ପୁନଃ ବିଚାର ନ କରେ ତେବେ ସମୀର ଙ୍କ ହଜାର ହଜାର ସମର୍ଥକ ଦଳ ତ୍ୟାଗ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଘଟଣା ସମଗ୍ର ନିମାପଡ଼ା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ବିଜେଡ଼ି ଦଳ ଏବେ ହରଡ ଘଣା ରେ। ଯଦି ଟିକେଟ ପରିବର୍ତ୍ତନ କରେ ତେବେ ଦିଲ୍ଲୀପ ନାୟକ ଓ ତାଙ୍କ ସମର୍ଥକ ମାନେ ବିଜେଡ଼ି କୁ ସମର୍ଥନ କରିବେ ନାହିଁ। ଯଦି ଦିଲ୍ଲୀପ ନାୟକ ପ୍ରାର୍ଥୀ ରୁହନ୍ତି ତେବେ ସମୀର ଙ୍କ ସମର୍ଥକ ଏଠାରେ ଦଳୀୟ ପ୍ରାର୍ଥୀ ଙ୍କୁ ହରାଇବାର ସତ ଚେଷ୍ଠା କରିବେ। ଦେଖାଯାଉ ବିଜେଡ଼ି ସୁପ୍ରିମୋ କଣ ନିଷ୍ପତ୍ତି ଗ୍ରହଣ କରୁଛନ୍ତି।


