ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ୯ମ ଶ୍ରାଦ୍ଧୋତ୍ସବ ପାଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ସ୍ମୃତିଚାରଣ ସଭା ଓ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସମ୍ମାନ ଉତ୍ସବ-୨୦୨୪କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଯନ କରି ବିଶିଷ୍ଟ ଭାଷାତତ୍ତ୍ୱବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ ଯେ, ନୂତନ ଓଡ଼ିଶା ଭିତ୍ତିଭୂମିର ପ୍ରତିଷ୍ଠାତା ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ।ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ପ୍ରଜ୍ଞାପୁରୁଷ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯ମ ସ୍ମୃତିଚାରଣ ଉତ୍ସବ “ସ୍ମୃତିରେ ସ୍ମୃତିରେ ଜାନକୀ ବଲ୍ଲଭ” କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟାରେ ସତ୍ୟନଗରସ୍ଥିତ ହୋଟେଲ ରୟାଲ ସୁଟଠାରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ସ୍ଥାୟୀ ଅଧ୍ୟକ୍ଷ ଡଃ ବିମଳେନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ମୁଖ୍ୟ ଅତିଥି ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ ଯେ, ମୁଁ ୧୯୮୦ ମସିହା ପୂର୍ବର ଓଡ଼ିଶାକୁ ଦେଖିଛି ଓ ୧୯୮୦ ପରର ଓଡ଼ିଶାକୁ ଦେଖିଛି । ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୮୦ ମସିହାରେ ମୁଖ୍ୟମନ୍ତ୍ରୀ ହେଲା ପରେ ସେ ଆଧୁନିକ ଓଡ଼ିଶା ପାଇଁ ଏକ ଭିତ୍ତିପ୍ରସ୍ତର ପକାଇଥିଲେ । ଓଡ଼ିଶାରେ ଶିଳ୍ପ କହିଲେ ଆମ ପିଲେ ବାରଙ୍ଗ କାଚ କାରଖାନାକୁ କହୁଥିଲେ । କିନ୍ତୁ ଜାନକୀ ବାବୁ ତାଙ୍କର ଦୃଢ ସଂକଳ୍ପ ବଳରେ ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ଯେଉଁ ନିଷ୍ଠାର ସହ କାର୍ଯ୍ୟ କରିଥିଲେ ତାର ପଟ୍ଟାନ୍ତର ନାହିଁ । ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଉପରକୁ ଉଠିଥିଲା ।ମୁଖ୍ୟବକ୍ତା ପ୍ରଫେସର ଡଃ ହରେକୃଷ୍ଣ ଶତପଥି ସ୍ୱର୍ଗତ ପଟ୍ଟନାୟକଙ୍କୁ ଆଧୁନିକ ଓଡ଼ିଶାର ପ୍ରକୃତ ବିନ୍ଧାଣି କହିବା ସହ ତାଙ୍କୁ ଦୂରଦୃଷ୍ଟି ସମ୍ପନ୍ନ ଜନନେତା ବୋଲି କହିଥିଲେ । ଜଣେ ଉତ୍ତମ ପ୍ରଶାସକ ସହ ରାଜନୀତିରେ ଧର୍ମର ପ୍ରଭାବକୁ ସେ ତାଙ୍କ ଶାସନ ସମୟରେ ପ୍ରୟୋଗ କରି ଦେଖାଇଥିଲେ । ଶ୍ରୀ ଜଗନ୍ନାଥଙ୍କ ପ୍ରତି ଜଣେ ସମର୍ପିତ ପ୍ରାଣ ଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବଲାଙ୍ଗୀରର ପୂର୍ବତନ ବିଧାୟକ ରାଧାକାନ୍ତ ପଣ୍ଡା, ଭାଷା, ସାହିତ୍ୟ ପାଇଁ ଡଃ ବିଜୟାନନ୍ଦ ସିଂହ ଓ ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ରଙ୍କୁ ଚଳିତ ବର୍ଷର ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ମାନିତ ଅତିଥି ପୃଥିବଲ୍ଲଭ ପଟ୍ଟନାୟକ ତାଙ୍କ ବାପାଙ୍କ ଅସୀମ ଧୌର୍ଯ୍ୟର ଅବତାରଣା କରିଥିଲେ । ସଭାର ପ୍ରାରମ୍ଭରେ କୋଷାଧ୍ୟକ୍ଷ ଡଃ ବଦ୍ରୀନାଥ ପଟ୍ଟନାୟକ ଅତିଥି ପରିଚୟ, ସାଧାରଣ ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଓ ପ୍ରଫେସର ବୁଦ୍ଧଦେବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାନକୀ ବାବୁଙ୍କ ଉପରେ ହୋଇଥିବା ପ୍ରବନ୍ଧ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଡଃ ଶମ୍ଭୁନାଥ ପାଣିଗ୍ରାହୀ, ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା, ବରୁଣ ରାଜ ଓ ଲିନା ମିଶ୍ର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ