ଗଜପତିରେ ଆନ୍ତଃରାଜ୍ୟ 2 ଜଣ ସୁନା ଚେନ ଲୁଟେରା ଗିରଫ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଗୁରାଣ୍ଡି ଥାନା ଅଞ୍ଚଳରେ ସୁନା ଚେନ ଲୁଟ କରୁଥିବା 2 ଜଣ ଆନ୍ତଃରାଜ୍ୟ ଲୁଟେରା ଦଳକୁ ଧରିଛି ଗୁରାଣ୍ଡି ପୁଲିସ. ବିଶେଷ କରି ଗୁରାଣ୍ଡି ଥାନା ଅଞ୍ଚଳରେ ସେମାନେ ଦିନ ଦିପହରରେ ମହିଳାଙ୍କଠାରୁ ଝାମ୍ପି ନେଉଥିଲେ ସୁନା ଗହଣା। ଗତ ମାର୍ଚ୍ଚ ମାସ ଠାରୁ ଗୁରାଣ୍ଡି ପୁଲିସର ନିଦ ହଜାଇ ଦେଇଥିଲେ ଏହି ଆନ୍ତଃରାଜ୍ୟ ଲୁଟେରା | ଗିରଫ ଦୁଇ ଲୁଟେରା ହେଲେ ବ୍ରହ୍ମପୁର ଗଜପତି ନଗର ସପ୍ତମ ଲାଇନର ସୁଜିତ କୁମାର ପାଢ଼ୀ (୪୪) ଏବଂ ଗଣପତି ନଗରର ବାଳକୃଷ୍ଣ ସାହୁ(୪୨) । ଗୁରାଣ୍ଡି ଥାନା ତରଫରୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦିଆ ଯାଇଛି ଯେ ଏହି 2 ଜଣଙ୍କ ଗଜପତି ଜିଲ୍ଲା ସମେତ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ ଲୁଟପାଟ କରୁଥିଲେ । ସେମାନେ ଏକୁଟିଆ ଯାଉଥିବା ମହିଳାଙ୍କୁ କରୁଥିଲେ । ମହିଳାମାନେ ପରିଧାନ କରିଥିବା ସୁନା ଅଳଙ୍କାର ଝାମ୍ପି ଚମ୍ପଟ ମାରୁଥିଲେ । ଉଭୟଙ୍କ ନାମରେ ୧୫ରୁ ଉର୍ଦ୍ଧ୍ବ ଅପରାଧୀକ ମାମଲା ରହିଥିବା ବେଳେ ଗଜପତିର ଗୁରଣ୍ଡି କାଶୀନଗର ଏବଂ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ମୋଟ ୭ ଲୁଟପାଟ ମାମଲା ରୁଜୁ ହୋଇଛି | ଗୁରାଣ୍ଡି ଥାନାରେ ୪, ପାରଳା ଆଦର୍ଶ ଥାନାରେ ୨ ଏବଂ କାଶୀନଗର ଥାନାରେ ଗୋଟିଏ ମାମଲା ରହିଛି। ଦୁଇ ଲୁଟେରାଙ୍କ ଠାରୁ ୩ ସୁନା ମଙ୍ଗଳ ସୁତ୍ର, ଗୋଟିଏ ସେଟ୍ କାନ ରିଙ୍ଗ୍, ୫ ସୁନା ଚେନ୍, ଗୋଟିଏ ମୋବାଇଲ ସେଟ୍ ଏବଂ ଗୋଟିଏ ନକଲି ପଞ୍ଜୀକୃତ ବାଇକ ଉଦ୍ଧାର ହୋଇଥିବା ଏସଡିପିଓ ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି I ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନେ ଆଉ କେଉଁ କେଉଁ ଘଟଣାରେ ସମ୍ପୃକ୍ତ ରହିଛନ୍ତି ସେ ନେଇ ପୁଲିସ ତଦନ୍ତ କରୁଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର, ଏସ୍ଆଇ ବଳରାମ ବେହେରା ପ୍ରମୁଖଙ୍କ ସହ ଅନ୍ୟ କର୍ମଚାରୀ ଉପସ୍ଥିତଥିଲେ I


