ପ୍ରସ୍ତାବିତ ନେରେଡି ବ୍ୟାରେଜ ଯୁଗ୍ମ ଅନୁଧ୍ୟାନ କମିଟିକୁ ଅଞ୍ଚଳବାସୀଙ୍କ ବିରୋଧ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଆନ୍ଧ୍ରପ୍ରଦେଶର ସ୍ୱାର୍ଥ ପାଇଁ ପ୍ରସ୍ତାବିତ ନେରେଡି ବ୍ୟାରେଜ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ଆସିଥିବା ଯୁଗ୍ମ ଅନୁଧ୍ୟାନ କମିଟିକୁ ଅଞ୍ଚଳବାସୀଙ୍କ ତୀବ୍ର ବିରୋଧ ଯୋଗୁଁ ଅନୁଧ୍ୟାନ ନକରି ଆନ୍ଧ୍ରରୁ ଆସିଥିବା ସମସ୍ତ ଆନ୍ଧ୍ର ଅଧିକାରୀ ଫେରି ଯାଇଥିବା ସୂଚନା ମିଳିଛି. ବଂଶଧାରା ନଦୀରେ
ଆନ୍ଧ୍ରପ୍ରଦେଶ ପକ୍ଷରୁ ପ୍ରସ୍ତାବିତ ନେରେଡି ବ୍ୟାରେଜ୍ ନିର୍ମାଣକୁ ନେଇ ପୁଣି ଗଜପତି ଜିଲ୍ଲାର କାଶୀନଗର ବ୍ଲକ ସୀମାବର୍ତ୍ତୀ ଅଞ୍ଚଳର ଚାଷୀ ଓ ଜନ ସାଧାରଣଙ୍କ ଠାରେ ପୁଣି ବିରୋଧ ତେଜିଛି। ଏହି ବ୍ୟାରେଜ୍ ନିର୍ମାଣସ୍ଥଳ ଅନୁଧ୍ୟାନ ପାଇଁ ଗତକାଲି ଅପରାହ୍ନରେ କାଶୀନଗର ବ୍ଲକର ବଂଶଧାରା ନଦୀ କୂଳରେ ଥିବା ଆନ୍ଧ୍ର -ଓଡ଼ିଶା ଯୁଗ୍ମ କମିଟିର ସମସ୍ତ ଅଧିକାରୀମାନଙ୍କୁ ଅଞ୍ଚଳବାସୀ ପ୍ରବେଶ କରାଇ ନ ଦେବାରୁ ସମସ୍ତ ଅଧିକାରୀ ସେଠାରୁ ଫେରିଯାଇଥିବା ଜଣାପଡ଼ିଛି। ଉଭୟ ଆନ୍ଧ୍ର ଓ ଓଡ଼ିଶା ପ୍ରଶାସନିକ ଅଧୂକାରୀଙ୍କ ଯୁଗ୍ମ ଅନୁଧ୍ୟାନକୁ ସ୍ଥାନୀୟ ଲୋକଙ୍କ ଏହି ତୀବ୍ର ବିରୋଧ ଆଗାମୀ ଦିନରେ କେଉଁ ରୂପ ଧାରଣ କରିବ ସେ ନେଇ ବିଭିନ୍ନ ଆଶଙ୍କା ପ୍ରକାଶ ପାଉଛି. ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଞ୍ଚଳରେ ଗ୍ରାମସଭା ଓ ପଲ୍ଲୀସଭାର ମତାମତକୁ କୌଣସି ଭାବେ ଗୁରୁତ୍ୱ ଦିଆ ନ ଯାଇ କେବଳ ଆନ୍ଧ୍ରର ସ୍ୱାର୍ଥ ପାଇଁ ଏକତରଫା ଭାବେ ନେରେଡି ବ୍ୟାରେଜ ନିର୍ମାଣ ନିଷ୍ପତ୍ତି ଯୋଗୁଁ ଓଡ଼ିଶାର ଗଜପତି ଜିଲ୍ଲା ଚାଷୀଙ୍କ ବିଶେଷ କ୍ଷତି ହେବ ବୋଲି କାଶୀନଗର ଅଞ୍ଚଳବାସୀ ଅଭିଯୋଗ କରି କହିଛନ୍ତି ଏହି ନେରେଡି ବ୍ୟାରେଜ ପାଇଁ ଓଡିଶାର 106 ଏକର ଚାଷ ଜମି ଅଧିଗ୍ରହଣ ପାଇଁ ଆନ୍ଧ୍ର ଷଡ଼ଯନ୍ତ୍ର କରିଛି. ଏହାଛଡା ଏହି ବ୍ୟାରେଜରେ ସଂରକ୍ଷିତ ଜଳ ଉପରେ ମଧ୍ୟ ଓଡିଶାର କାଶୀନଗର ଅଞ୍ଚଳର ଚାଷୀମାନଙ୍କ ସେପରି ଅଧିକାର ରହିବ ନାହିଁ. କେବଳ ଆନ୍ଧ୍ରର ସ୍ୱାର୍ଥ ଲାଗି କାଶୀନଗର ଅଞ୍ଚଳର ଚାଷୀଙ୍କ ବହୁ କ୍ଷତି ଘଟିବ.ତେଣୁ ଏହି ନେରେଡି ବ୍ୟାରେଜ ନିର୍ମାଣକୁ ବର୍ତ୍ତମାନ ଭଳି ଆଗାମୀ ଦିନରେ ମଧ୍ୟ ବିରୋଧ ଜାରି ରହିବ ବୋଲି କାଶୀନଗର ବ୍ଲକର ବଂଶଧାରା ନଦୀ ତଟର ଚାଷୀ ଏବଂ ଅଞ୍ଚଳବାସୀମାନେ ଏକତ୍ରିତ ଭାବେ ମତପୋଷଣ କରିଛନ୍ତି.


