କୃଷି ବିଭାଗରେ ୫-ଟି ତାଲିମ କର୍ମଚାରୀ ଅନୁପସ୍ଥିତ, କୃଷି ମନ୍ତ୍ରୀ କ୍ଷୁବ୍ଧ

ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ମୋ ସରକାର ଓ ୫-ଟି ଲାଗୁ ପରେ ଏବେ ଆରମ୍ଭ ହୋଇଛି କର୍ମଚାରୀମାନଙ୍କୁ ଏ ସଂକ୍ରାନ୍ତରେ ପ୍ରଶିକ୍ଷଣ । ବିଭାଗୀୟ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ପ୍ରଶିକ୍ଷଣ ଶିବିରରେ ପହଞ୍ଚିଥିବାବେଳେ ଅଧିକାଂଶ କର୍ମଚାରୀଙ୍କ ଅନୁପସ୍ଥିତ ଦେଖି ହତ୍ବାନକ ହୋଇଯାଇଥିଲେ । ଅନେକ କର୍ମଚାରୀ ଏହାକୁ ଏକ ଛୁଟି ମଉକା ଭାବି ଏଠାକୁ ନଆସି ଛୁ ମାରିଥିଲେ । ଏହି ତାଲିମ ଶିବିରଟି ସ୍ଥାନୀୟ ରେଳବାଇ ଅଡିଟୋରିୟମରେ ଆୟୋଜିତ ହୋଇଥିଲା । କର୍ମଚାରୀମାନଙ୍କୁ ଉପସ୍ଥିତ ପାଇଁ କୁହାଯାଇଥିବାବେଳେ ତାଲିମ ଦେବାକୁ ଅନେକ ବି ବିଶେଷଜ୍ଞ ଆସିଥିଲେ । ହେଲେ ମନ୍ତ୍ରୀ ଡକ୍ଟର ସାହୁ ପହଞ୍ଚିଲା ବେଳକୁ କେତେକ କର୍ମଚାରୀ ଅନୁପସ୍ଥିତ । ମନ୍ତ୍ରୀ ଭାବିଥିଲେ ଏମାନେ ବିଳମ୍ବରେ ଆସିବେ । ହେଲେ କାହାର ଦେଖା ଦର୍ଶନ ନମିଳିବାରୁ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେମାନଙ୍କ ପାଖକୁ ଫୋନ୍‍ ଗଲା । ଫୋନ୍‍ ପାଇ କିଛି କର୍ମଚାରୀ ଧଡପଡ ହୋଇ ଆସି ପହଞ୍ଚିଲେ । ହେଲେ ଆଉ କିଛି କର୍ମଚାରୀ ଗାଲୁ ପେଲି ରହିଗଲେ । ତାଲିମ ଶିବିରକୁ ଛୁଟି ମଉକା ଭାବି ଖସିଗଲେ । ତାଲିମ ଶିବିରରେ କର୍ମଚାରୀଙ୍କ ଏଭଳି କାରବାର ଦେଖି ମନ୍ତ୍ରୀ ଅନୁପସ୍ଥିତ ଥିବା କିଛି କର୍ମଚାରୀଙ୍କ ତାଲିକା ଧରି ଫେରିଥିଲେ । ଏବେ ଏହି ତାଲିକା ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ତାହାକୁ ନେଇ କର୍ମଚାରୀଙ୍କ ଭିତରେ ଭାଳେଣି ପଡିଛି । କେବଳ ଏହି ତାଲିମ ଶିବିର ନୁହେଁ, କୃଷି ବିଭାଗର ନୂଆ ଦପ୍ତର ଠାରୁ ଆରମ୍ଭ କରି ରାଜଧାନୀରେ ବିଭାଗ ଅଧିନରେ ଥିବା ବହୁ ଦପ୍ତରରେ ଏଭଳି ଅବସ୍ଥା । କିଛି ଠକ କର୍ମଚାରୀ ଏଭଳି ସ୍ତରକୁ ଆସିଛନ୍ତି ଯେ ଏମାନଙ୍କ ପାଇଁ ଟିପ ମରା ଯବ କିମ୍ବା ସିସି ଟିଭି କିଛି କାମ କରୁନାହିଁ । ଏମାନେ ସଅଳ ଆସି ଯବରେ ଟିପ ମାରି ପଳାଉଛନ୍ତି । ମଝିରେ ଇଚ୍ଛା ହେଲେ ଦପ୍ତରକୁ ଆସୁଛନ୍ତି ନହେଲେ ଛୁଟି ସମୟରେ ଆସି ପୁଣି ଟିପ ଦେଇ ପଳାଉଛନ୍ତି । କୃଷି ବିଭାଗ ଓ ଦପ୍ତର ନୂଆ ଦପ୍ତରକୁ ଆସିବା ପରେ ଏଭଳି ଅବସ୍ଥା ହୋଇଥିବା ଲକ୍ଷ୍ୟ କରାଯାଉଛି । ତେବେ କର୍ମଚାରୀମାନେ କିଭଳି ଠିକଣା ସମୟରେ ଆସି ୫-ଟିକୁ କଡାକଡି ପାଳନ କରୁଛନ୍ତି ତାହା ଖୋଦ୍‍ ବିଭାଗୀୟ ମନ୍ତ୍ରୀ ତାଲିମ ଶିବିରରେ ଦେଖିବାକୁ ପାଇଛନ୍ତି । ମନ୍ତ୍ରୀ ନେଇଥିବା ତାଲିକା ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାହାକୁ ନେଇ ଏବେ ବିଭାଗରେ ଚର୍ଚ୍ଚା ଜୋର ଧରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ