ବରିଷ୍ଠ ଶ୍ରମିକନେତା ସ୍ୱର୍ଗତ ରାଧାରମଣ ଷଡ଼ଙ୍ଗୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ଶ୍ରମିକ ଆନ୍ଦୋଳନର ଜଣେ ପ୍ରବୀଣ ନେତା ତଥା ରାଜ୍ୟ ସିଆଇଟିୟୁ, ପରିବହନ ଶ୍ରମିକ ସଂଘ, ଆଶା, ପାଚିକା, ଅଙ୍ଗନୱାଡ଼ି, ବ୍ୟାଙ୍କ୍‌ମିତ୍ର ଭଳି ସ୍କିମ୍ ୱାର୍କରସ୍‌ଙ୍କୁ ବାଲେଶ୍ୱର ତଥା ସମଗ୍ର ଓଡ଼ିଶାରେ ସଂଗଠିତ କରି ସେମାନଙ୍କ ନ୍ୟାର୍ଯ୍ୟ ଦାବି ହାସଲରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ସାଥୀ ରାଧାରମଣ ଷଡ଼ଙ୍ଗୀଙ୍କ ବିୟୋଗରେ ନୂଆବଜାରସ୍ଥିତ ପରିବହନ ଶ୍ରମିକ ସଂଘ ସଭାଗୃହରେ ରବିବାର ଅପରାହ୍ନରେ ଏକ ଶ୍ରଦ୍ଧାଞ୍ଜଳି ସଭାଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ତଥା ଶ୍ରମିକନେତା ପ୍ରଦୀପ୍ତ ପଣ୍ଡା ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ସ୍ୱର୍ଗତ ଷଡ଼ଙ୍ଗୀଙ୍କ ସହପାଠୀ ତଥା ସହକର୍ମୀ ସନ୍ତୋଷ ଦାସ ଓ ନିର୍ମଳ ନାୟକ ରାଧାରମଣଙ୍କର ସ୍ମୃତିଚାରଣ କରି ଛାତ୍ର ଆନ୍ଦୋଳନରୁ ଶ୍ରମିକ ସଂଗଠନ ଆନ୍ଦୋଳନରେ ତାଙ୍କର ସ୍ମୃତିଚାରଣ କରିଥିଲେ । ନିଜର ପରିବାର ଓ ନିଜର ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍‌ବ ନଦେଇ ସେ ମୃତ୍ୟୁ ପର୍ଯ୍ୟନ୍ତ ମେହନତି ମଣିଷର ସ୍ୱାର୍ଥପାଇଁ ସଂଗ୍ରାମ କରିଥିବା ସଂପର୍କରେ ତାଙ୍କର ସାଥୀ ଓ ସହକର୍ମୀ ତଥା ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ପ୍ରକାଶ କରି ସ୍ୱର୍ଗତ ଷଡ଼ଙ୍ଗୀଙ୍କର ଉତ୍ସର୍ଗୀକୃତ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ମତ ଦେଇଥିଲେ ।ଟିୟୁଏସିସିର ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ, ସିଆଇଟିୟୁର ରାଜ୍ୟ ସଂପାଦକ ରମେଶ ଚନ୍ଦ୍ର ଜେନା, ଜିଲ୍ଲା ଆବାହକ ବିଜୟ ପାତ୍ର, ଆଇଏନ୍‌ଟିୟୁସିର ସୁରେଶ ଚନ୍ଦ୍ର ବେହେରା, ଏଆଇଟିୟୁସିର ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା, ପ୍ରତିରକ୍ଷା କର୍ମଚାରୀ ସମନ୍ୱୟ ସମିତିର ସଭାପତି ଜଗଦୀଶ ବାରିକ, ଗଣତାନ୍ତ୍ରିକ ମହିଳା ସମିତିର ରାଜ୍ୟନେତ୍ରୀ ତାପସୀ ପ୍ରହରାଜ, ପାଚିକା ସଂଘ ପକ୍ଷରୁ ଈଷାଣୀ ଷଡ଼ଙ୍ଗୀ, ସିପିଆଇ (ଏମ୍‌) ଜିଲ୍ଲା ସଂପାଦକ ଶିଶିର ହୁଇ, ବରିଷ୍ଠ ଆଇନଜୀବୀ ଶରତ କୁମାର ମହାପାତ୍ର, ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, ଏମ୍‌ଇଏସ୍ ଶ୍ରମିକ ସଂଘ ପକ୍ଷରୁ ନିରଞ୍ଜନ ଦାସ, ଡାକ କର୍ମଚାରୀ ନେତା ଅକ୍ଷୟ କୁମାର ତ୍ରିପାଠୀ, ଓଏସ୍‌ଆର୍‌ଇଉ ସଂଘର ସଭାପତି ନୀଳମଣି ଦିକ୍ଷିତ, ଭିଟାମାଟି ସୁରକ୍ଷା ଆନ୍ଦୋଳନର ସଭାପତି ଅରୁଣ ଜେନା, ଓଡ଼ିଶା ପରିବହନ ଶ୍ରମିକ ସଂଘର ସଂପାଦକ ରାଜକିଶୋର ଲେଙ୍କା ଓ ଶ୍ରମିକନେତା ପ୍ରେମରଂଜନ ପାତ୍ର ପ୍ରମୁଖ ସ୍ମୃତିଚାରଣ କରି ବର୍ତ୍ତମାନ ଦେଶର ସଂବିଧାନ ଓ ନାଗରିକ ଅଧିକାର ପ୍ରତି ବିପଦ ଘନୀଭୂତ ହେଉଥିବାବେଳେ ସ୍ୱର୍ଗତ ଷଡ଼ଙ୍ଗୀଙ୍କ ଦୃଢ଼ ନେତୃତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ୱର୍ଗତ ଷଡ଼ଙ୍ଗୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ପୁସ୍ତିକା ପ୍ରକାଶନ ପାଇଁ ସଭାରେ ମତ ପ୍ରକାଶ ପାଇଥିଲା । ଶେଷରେ ଅସିତ ବରଣ ଦାସ ଉପସ୍ଥିତମାନଙ୍କୁ କୃତଜ୍ଞତା ଜଣାଇଥିଲେ । ସଭା ପରିଚାଳନାରେ ମୃତ୍ୟୁଞ୍ଜୟ ରାଉତ, ସାଇକିଙ୍କର ନାୟକ, ବେଣୁଧର ବେହେରା, ନିରଞ୍ଜନ ସାହୁ, ସୁଶାନ୍ତ ସାହୁ, ପୂର୍ଣ୍ଣିମା ଲେଙ୍କା, ପ୍ରମୋଦ ନାୟକ, ଗଗନ ସିଂ ଓ ମହେନ୍ଦ୍ର ବେହେରା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ