ବଜାରଦାଣ୍ଡି ଅଙ୍ଗନୱାଡିକେନ୍ଦ୍ରରେ ବ୍ୟାପକ ଦୁର୍ନୀତି ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମପଞ୍ଚାୟତର ବଜାରଦାଣ୍ଡି ଅଙ୍ଗନୱାଡିକେନ୍ଦ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ସେହି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ସରକାରୀ ଯୋଜନାର ସହାୟତାକୁ ବାଟମାରଣା କରି ଲୁଟ କରିଚାଲିଛନ୍ତି । ସରକାରୀ ଯୋଜନାର ସମସ୍ତ ସହାୟତାକୁ ହିତାଧିକାରୀମାନଙ୍କୁ ନଦେଇ କର୍ମୀ ନିଜେ ଲୁଟ କରିବା ସହିତ କେନ୍ଦ୍ରରେ ଖୁବ କମ୍ ପିଲା ଥିବା ବେଳେ ଅଧିକ ସଂଖ୍ୟକ ପିଲା ଥିବା କାଗଜପତ୍ରରେ ଦର୍ଶାଇ ସେବାବଦରେ ସରକାରୀ ଅର୍ଥ ଲୁଟ କରିବା, ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ବଣ୍ଟନ ନକରି ଆତ୍ମସାତ କରିବା, ରୋଷେଇ କରାନଯାଇ ମଧ୍ୟ କାଗଜପତ୍ରରେ ରୋଷେଇ ହେଉଥିବା ଦର୍ଶାଇ ସେ ବାବଦ ଅର୍ଥ ତୋଷରପାତ କରିବା ଭଳି ବହୁ ଗୁରୁତ୍ତର ଅଭିଯୋଗ ସଂପୃକ୍ତ ଅଙ୍ଗନୱାଡି କେନ୍ଦ୍ରର କର୍ମୀଙ୍କ ବିରୋଧରେ ଆଳି ବ୍ଲକର ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ ନିକଟରେ ୱାର୍ଡସଭ୍ୟ ଗଙ୍ଗାଧର ପାତ୍ର କରିବା ପରେ ସେହି ଅଭିଯୋଗ ଉପରେ କ୍ଷେତ୍ରପରିଦର୍ଶିକା ଶୁଭାଷିନୀ ନାୟକ ଏବଂ ପରେ ଶିଶୁ ବିକାଶ ଯୋଜନା ଅଧିକାରୀ ତଦନ୍ତ କରିଥିଲେ । ତଦନ୍ତ ପରେ ସମସ୍ତ ଅଭିଯୋଗର ସତ୍ୟତା ରହିଥିବା ଜଣାପଡିଥିଲା । ସୂଚନା ଅଧିକାର ଆଇନ ଅନୁଯାୟୀ ମିଳିଥିବା ତଥ୍ୟରେ କ୍ଷେତ୍ରପରିଦର୍ଶିକା ଗତ ତା୨୬.୦୩.୨୦୨୪ରିଖରେ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ପ୍ରଦାନ କରିଥିବା ତାଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି ଯେ ସେହି ଅଙ୍ଗନୱାଡି କେନ୍ଦ୍ରରେ ସରକାରୀ ଯୋଜନାର ସହାୟତା ହିତାଧିକାରୀମାନେ ସଠିକ ଭାବେ ପାଉନାହାନ୍ତି ଏବଂ ସଂପୃକ୍ତ ଅଙ୍ଗନୱାଡି କର୍ମୀ କମିଟିକୁ କୈାଣସି କଥା ନଜଣାଇ ମନଇଛା କାର୍ଯ୍ୟ କରୁଛନ୍ତି । ଶିଶୁ ବିକାଶ ଯୋଜନା ଅଧିକାରୀ ନିଜେ ତଦନ୍ତ କରି ଅଭିଯୋଗର ସତ୍ୟତା ଥିବା ଜାଣିବା ପରେବି ସଂପୃକ୍ତ ଅଙ୍ଗନୱାଡି କେନ୍ଦ୍ର କର୍ମୀଙ୍କ ବିରୋଧରେ କୈାଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଗଙ୍ଗାଧର ପାତ୍ର, ପ୍ରାର୍ଥନାରାୟଣ ମହାନ୍ତି, ମିନତୀ ବିଶ୍ୱାଳ, ନିର୍ମଳ ମହାନ୍ତି, ପଦ୍ମାବତୀ ବିଶ୍ୱାଳ, ହରେକୃଷ୍ଣ ରାଉତ, ଦର୍ପ ମହାନ୍ତି, ପ୍ରମିଳା ଦାଶ, ମୋନାଲିସା ବିଶ୍ୱାଳ, ଜଗବନ୍ଧୁ ବିଶ୍ୱାଳ, ନୃସିଂହ ସାହୁ, ରବୀନ୍ଦ୍ର ତ୍ରିପାଠୀ, ମିନତୀ ମଲିକ, ନଗେନ ତ୍ରିପାଠୀ, ପ୍ରଭାବତୀ ପଣ୍ଡା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେଣୁ ଅଙ୍ଗନୱାଡି କର୍ମୀ ସରକାରୀ ଅର୍ଥ ଆତ୍ମସାତ ଓ ବ୍ୟାପକ ଦୁର୍ନୀତି କରିଥିବାରୁ ତାଙ୍କ ବିରୋଧରେ ଅବିଳମ୍ବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କୁ ଗିରଫ କରାଯିବାକୁ ଅଭିଯୋଗକାରୀମାନେ ଜିଲ୍ଲାପାଳଙ୍କ ପାଖରେ ଦାବି କରିଛନ୍ତି । ଅଭିଯୋଗକାରୀମାନେ ଉପଜିଲ୍ଲାପାଳ, ଜିଲ୍ଲା ସମାଜକଲ୍ୟାଣ ଅଧିକାରୀ ଓ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଶାସନ ସଚିବଙ୍କୁ ଏହି ଅଭିଯୋଗର ନକଲ ପଠାଇଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ