ଆଜି ହେଉଛି ବିଶ୍ୱ ସିକିଲ୍ସେଲ୍ ଦିବସ ଏକ ଦାନ, ତିନି ଜୀବନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ବିଶ୍ୱ ସିକିଲ୍ସେଲ୍ ଦିବସ । ସିକିଲ୍ସେଲ୍କୁ ଓଡ଼ିଆ ଭାଷାରେ ଆମେ ଏହାକୁ ରକ୍ତ ଶିକୁଳି ରୋଗ ବୋଲି କହିଥାଉ । ପ୍ରତିବର୍ଷ ଜୁନ୍ ମାସ ୧୯ ତାରିଖଟିକୁ ସାରା ବିଶ୍ୱ ସିକିଲ୍ସେଲ୍ ଦିବସ ରୂପେ ପାଳନ କରିଥାଏ । ସିକିଲ୍ସେଲ୍ ଗୋଟିଏ ରକ୍ତଜନିତ ଓ ବଂଶାନୁକ୍ରମିକ ପ୍ରସାରିତ ହେଉଥିବା ରୋଗ । ସଚେତନତା ହିଁ କେବଳ ଏହି ରୋଗକୁ ରୋକିପାରିବ । ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଓ ଡ଼ାକ୍ତରଙ୍କ ପରାମର୍ଶ ଦ୍ୱାରା ଏ ରୋଗରୁ ଆରୋଗ୍ୟ ମିଳିପାରିଥାଏ । ସାଧାରଣତଃ ଏ ରୋଗ ଦ୍ୱାରା ରକ୍ତରେ ହିମୋଗ୍ଳୋବିନ୍ର ପରିମାଣ କମିଯାଇଥାଏ । ଏହି ରୋଗୀମାନେ ନିୟମିତ ରକ୍ତ ଆବଶ୍ୟକ କରିଥାନ୍ତି । ସଂପ୍ରତି ଟୋପାଏ ରକ୍ତ ପାଇଁ ଏହି ରୋଗୀମାନେ ଡ଼ହଳ ବିକଳ ହେଉଛନ୍ତି । କାରଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏବେ ରକ୍ତ ସଂଗ୍ରହ ହ୍ରାସ ପାଇଛି । କହିବାକୁ ଗଲେ ଆମ ରାଜ୍ୟର ପ୍ରାୟ ରକ୍ତଭଣ୍ଡାର ରକ୍ତ ଶୂନ୍ୟ ହୋଇଯାଇଛି । ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ବ୍ୟକ୍ତିବିଶେଷ ସମୂହ ଆଗେଇ ଆସିବାକୁ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ରଙ୍ଗ ତୂଳୀରେ ‘ରକ୍ତଦାନ ଜୀବନ ଦାନ’ ସମ୍ପର୍କିତ ଚିତ୍ର ଆଙ୍କି ଜନ ସଚେତନତାର ବଳିଷ୍ଠ ବାର୍ତ୍ତା ଦେଇଛନ୍ତି ।ଏ ସମ୍ପର୍କରେ ଚିତ୍ରରେ ସେ ଦର୍ଶାଇଛନ୍ତି ଯେ ଜଣେ ବ୍ୟକ୍ତିର ରକ୍ତ ତିନୋଟି ବ୍ୟକ୍ତିର ଜୀବନ ରକ୍ଷା କରିଥାଏ । ସେଥିପାଇଁ କୁହାଯାଏ ଏକ ଦାନ, ତିନି ଜୀବନ । ରକ୍ତରେ ପୃଥକ୍ ଭାବେ ତିନୋଟି ଉପାଦାନ ରହିଥାଏ । ସେଗୁଡ଼ିକ ହେଲା ପ୍ଲାଜମା, ଲୋହିତ ରକ୍ତ କଣିକା ଏବଂ ପ୍ଲେଟ୍ଲେଟ୍ । ଏହି ତିନୋଟି ଉପାଦାନ ତିନି ପ୍ରକାର ରୋଗୀଙ୍କ ଜୀବନ ରକ୍ଷା କରିଥାଏ । ଏଭଳି ମହତ୍ ଦାନ କାର୍ଯ୍ୟରେ ନିଜକୁ ସାମିଲ କରି ଆଗେଇ ଆସିବାକୁ ଏହି ଅବସରରେ ଜନସାଧାରଣଙ୍କୁ ଶାନ୍ତନୁ ଅନୁରୋଧ କରିଛନ୍ତି ।


