ଜିଲ୍ଲାରେ ବିଭିନ୍ନ ବ୍ରାଣ୍ଡର ଏକ୍ସପାରୀ ସିମେଣ୍ଟବିକ୍ରି ଅଭିଯୋଗକାରୀଙ୍କୁ ହାଣିବାକୁ ଧମକ ଦେଉଛନ୍ତି ପୋଷା ଗୁଣ୍ଡା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବିଭିନ୍ନ ବ୍ରାଣ୍ଡର ଏକ୍ସପାଇରୀ ସିମେଣ୍ଟ ବିକ୍ରି ହେଉଛି । ସିମେଣ୍ଟର ଦାମ ଯେତିକି ବେପାରୀମାନେ ଗ୍ରାହକଙ୍କ ଠାରୁ ସେତିକି ନେଉଛନ୍ତି । କିନ୍ତୁ ବେପାରୀମାନେ ହୋଲସେଲରଙ୍କ ଠାରୁ ଏହି ସିମେଣ୍ଟକୁ ଅଧା ଦାମରେ କିଣୁଛନ୍ତି । ଏହାଦ୍ୱାରା ସିମେଣ୍ଟ ବେପାରୀମାନେ ଲାଭବାନ ହେଉଛନ୍ତି । କିନ୍ତୁ ଯେଉଁମାନେ ଘର ନିର୍ମାଣ କରୁଛନ୍ତି ସେମାନେ କାନ୍ଦୁଛନ୍ତି । କାରଣ ସିମେଣ୍ଟ କିଣିବା ବେଳେ ତାହାର ଏକ୍ସପାଇରୀ ଡେଟ ଦେଖିବା ସମ୍ଭବ ନୁହେଁ । ସିମେଣ୍ଟ ବ୍ୟବହାର ହୋଇଗଲା ପରେ କେତେକ ଲୋକଙ୍କ ଘରର କାନ୍ଥ ଫାଟିଲାଣି । ଏହାପରେ ଲୋକେ ସିମେଣ୍ଟ ଜରି ଦେଖିବା ପରେ ଜାଣିବାକୁ ପାଇଛନ୍ତି କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକର କରିଲୋପାଟଣାରେ ଥିବା ବିଭିନ୍ନ ଛକରେ ଏହିପରି ଏକ୍ସପାଇରୀ ସିମେଣ୍ଟ ବିକ୍ରି ହେଉଛି । ଏହି ଅଞ୍ଚଳର କେତେକ ଲୋକ ଏହି ଏକ୍ସପାଇରୀ ସିମେଣ୍ଟ ବେପାରୀଙ୍କ ହାବୁଡରେ ପଡି ଯାଇଛନ୍ତି । ସିମେଣ୍ଟ ବେପାରୀମାନଙ୍କୁ ଏହି କଥା କହିବା ପରେ ସେମାନେ ମାରିବାକୁ ଗୋଡାଉଛନ୍ତି । ଏହି ସିମେଣ୍ଟ ବେପାରୀମାନେ ଯେଉଁ ଲକ୍ଷ ଲକ୍ଷ ଟଙ୍କା ଲାଭ କରୁଛନ୍ତି ସେଥିରେ କେତେକ ଗୁଣ୍ଡା ପୋଷିଛନ୍ତି । ଏହି ଗୁଣ୍ଡାମାନେ ଲୋକଙ୍କୁ ଅଭିଯୋଗ ନ କରିବା ପାଇଁ ଧମକ ଚମକ ଦେଉଛନ୍ତି । ଗୁଣ୍ଡାମାନଙ୍କ ଦୌରାତ୍ମ୍ୟରେ ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି ପଛେ ଥାନାରେ ଅଭିଯୋଗ କରିବାକୁ ସାହାସ କରୁ ନାହାଁନ୍ତି । କାରଣ ଗୁଣ୍ଡାମାନେ କହୁଛନ୍ତି ଅଭିଯୋଗକାରୀଙ୍କୁ ହାଣିବେ । ସାଧାରଣ ଲୋକମାନେ ଏସମ୍ପର୍କରେ ଜାଣିବା ସମ୍ଭବପର ହେଉନଥିବାରୁ ସେମାନଙ୍କୁ ବେପାରୀମାନେ ଠକୁଥିବା ଦେଖାଯାଇଛି । ଜିଲ୍ଲାର ମାର୍ଶାଘାଇ, ଗରଦପୁର, ଆଳି, ରାଜକନିକା, ରାଜନଗର, ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡା ପ୍ରଭୃତି ଅଞ୍ଚଳରେ ମଧ୍ୟ ଏଭଳି ଏକ୍ସପାରୀ ସିମେଣ୍ଟବସ୍ତାସବୁ ବିକ୍ରୀ ହେଉଥିବା ନେଇ ଅଭିଯୋଗ ହୋଇଛି । ଏହି ସିମେଣ୍ଟକୁ ବିକ୍ରୀକରି ବେପାରୀମାନେ ମାଲାମାଲ ହେଉଥିବା ବେଳେ ସାଧାରଣ ଲୋକମାନେ ଏହି ଏକ୍ସପାରୀ ସିମେଣ୍ଟବସ୍ତା କିଣି ଠକାମୀର ଶୀକାର ହେଉଛନ୍ତିି । ସାଧାରଣ ଗରୀବ ଲୋକଟି ସିମେଣ୍ଟ କିଣି ଘରଟିଏ କରିବା ପରେ ଅତି କମ୍ରେ ଘରଟିର ଆୟୁଷ ୫୦ବର୍ଷ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଥିବା ବେଳେ ଏଭଳି ଏକ୍ସପାରୀ ସିମେଣ୍ଟରେ ସେହି ଘରଟି ନିର୍ମାଣ କରାଗଲେ ତା’ର ଆୟୁଷ ୧୦ବର୍ଷ ମଧ୍ୟରେ ରହୁଛି । ଏହାଦ୍ୱାରା ଜଣେ ସାଧାରଣ ଗରିବ ଲୋକଟି ଏକ୍ସପାରୀ ସିମେଣ୍ଟରେ ଘର କଲେ ଯଦି ତା’ର ଘର ଭାଙ୍ଗି ଯାଏ ତେବେ ସେ ଆଉ ଗୋଟିଏ ଘର କରିବା ସମ୍ଭବ ହେବନାହିଁ । ଫଳରେ ଖୋଲା ଆକାଶ ତଳେ ସେହି ଲୋକଟି ରହିବାକୁ ବାଧ୍ୟ ହେବ । ଦ୍ୱିତୀୟରେ ତା’ର ଘରଟି ଭାଙ୍ଗି ପଡିଲେ ସେଥିରେ ଧନଜୀବନ କ୍ଷୟକ୍ଷତି ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ସାଧାରଣ ଲୋକଙ୍କୁ ଏହି ଠକାମୀରୁ ରକ୍ଷା କରାଯିବା ପାଇଁ କେହି ଦୃଷ୍ଟି ଦେଉନଥିବା ବେଳେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।


