ଇତିହାସ ରଚିଲା ‘ଲୌଙ୍ଗ ଲାଚି’
ମୁମ୍ବାଇ : ଲୋକପ୍ରିୟ ପଞ୍ଜାବୀ ଗୀତ ‘ଲୌଙ୍ଗ ଲାଚି’ ଭିଡ଼ିଓ ପ୍ଲାଟଫର୍ମ ୟୁଟ୍ୟୁବ୍ରେ ଶୁକ୍ରବାର ୧ ବିଲିଅନ୍ ଭିଉ ପର୍ଯ୍ୟନ୍ତ ପହଞ୍ଚିଥିବା ପ୍ରଥମ ଭାରତୀୟ ଗୀତ ପାଲଟିଛି। ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ଏହି ନାମର ପଞ୍ଜାବୀ ଫିଲ୍ମର ଟାଇଟଲ ଗୀତ ‘ଲୌଙ୍ଗ ଲାଚି’ ଗୀତ ୟୁଟ୍ୟୁବ୍ରେ ୧ ବିଲିଅନ୍ ଭିଉ ପାଇସାରିଛି। ୨୧ ଫେବ୍ରୁଆରୀ ୨୦୧୮ରେ ଏହି ଗୀତକୁ ଟି-ସିରିଜ୍ ନିଜ ପଞ୍ଜାବୀ ୟୁଟ୍ୟୁବ୍ ଚ୍ୟାନେଲ୍ରେ ରିଲିଜ୍ କରିଥିଲା। ପଞ୍ଜାବୀ ଫିଲ୍ମ ‘ଲୌଙ୍ଗ ଲାଚି’ର ଏହି ଟାଇଟଲ ଟ୍ରାକ୍ ଗତ ବର୍ଷ ଫେବ୍ରୁଆରୀ ମାସରେ ରିଲିଜ୍ ହୋଇଥିଲା। ଏହି ଲୋକପ୍ରିୟ ଗୀତରେ ଏମ୍ମି ୱିର୍କ, ନୀରୁ ବାଜୱା ଓ ଅମ୍ବରଦୀପ ଅଭିନୟ କରିଛନ୍ତି। ଗୀତର ମ୍ୟୁଜିକ୍ ଗୁରମିତ ସିଂ ଦେଇଛନ୍ତି। ଏହାକୁ ଲୋକପ୍ରିୟ କଣ୍ଠଶିଳ୍ପୀ ମନ୍ନତ ନୂର ଗାଇଛନ୍ତି। ଏହାର ଗୀତ ରଚନା ହରମନଜିତ କରିଛନ୍ତି। ଏହି ଗୀତ ଏତେ ମାତ୍ରାରେ ଲୋକପ୍ରିୟ ହୋଇଯାଇଛି ଯେ ଏହାର ହିନ୍ଦୀ ଭର୍ସନକୁ ବଲିଉଡ୍ ଷ୍ଟାର୍ କାର୍ତ୍ତିକ ଆର୍ୟନ ଓ କୃତି ସେନନ ଷ୍ଟାରର୍ ଫିଲ୍ମ ‘ଲୁକ୍କା-ଛୁପ୍ପି’ରେ ମଧ୍ୟ ରିମେକ୍ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ୟୁଟ୍ୟୁବ୍ରେ ଅଳ୍ପ କେତେକ ଗୀତ, ସଙ୍ଗୀତ ଓ ଲିରିକ୍ସ ସାମୁହିକ ରୂପରେ ୧ ବିଲିଅନ୍ ଭିଉ କାଉଣ୍ଟ ହାସିଲ କରିଛି। କିନ୍ତୁ ‘ଲୌଙ୍ଗ ଲାଚି’ ଏକମାତ୍ର ଭାରତୀୟ ଗୀତ, ଯାହା ଏହି ବିରଳ ରେକର୍ଡ ହାସଲ କରିଛି।


