ବସ ଟର୍ମିନାଲ ପାଇଁ ଦାନା ବାନ୍ଧୁଛି ଅସନ୍ତୋଷ , ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର
ହିିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ ଶେଷଦେବ ସାହୁ) : ପ୍ରାୟ ୩.୨୧ କୋଟି ଟଙ୍କା ବ୍ୟୟ ଅଟକଳରେ ହିଂଜିଳିକାଟୁରେ ନିର୍ମାଣଧିନ ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟ ୨୦ ଡ଼ିସେମ୍ବର ସୁଦ୍ଧା ଶେଷ କରିବାକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ହେଲେ ଧାର୍ଯ୍ୟ ତାରିଖ ପୁଣି ଥରେ ଗଡିଛି । ଜିଲ୍ଲାପାଳ କରିଥିବା ଏହି ନିର୍ଦ୍ଦେଶକୁ ପୂର୍ତ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ବାଏଁ ବାଏଁ ଉଡ଼ାଇ ବେଖାତିର କରିଛନ୍ତି । ଯନ୍ତ୍ରୀ- ଠିକାଦାର ମଧୁଚନ୍ଦ୍ରିକାରେ କଲବଲ ହେଲେଣି ସାଧାରଣ ଜନତା । ପ୍ରାୟ ୨ବର୍ଷ ହେଲା ବସ ଟର୍ମିନାଲ ନିର୍ମାଣ ପାଇଁ ବେରୋଜଗାର ବେପାରୀଙ୍କ ଅସନ୍ତୋଷ ଏବେ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି । ଅଗାମୀ ଦିନରେ ପ୍ରଶାସନ ବିରୋଧରେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଅଂଚଳର ବ୍ୟବସାୟୀ ଓ ବୁଦ୍ଧିଜୀବି ମାନେ କହିଛନ୍ତି । ପ୍ରକାଶ ଥାଉକି, ଗତ ୪ ଏପ୍ରିଲ ୨୦୧୭ରେ ୩ କୋଟି ୨୧ ଲକ୍ଷ ୭୬ ହଜାର ୪୩୩ ଟଙ୍କା ବ୍ୟୟ ଅଟକଳରେ ବସ ଟର୍ମିନାଲ ନିର୍ମାଣ ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ୨୦୧୭ ସେପ୍ଟମ୍ବର ମାସରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ହିଂଜିଳିକାଟୁରେ ଅତ୍ୟାଧୁନିକ ବସ ଟର୍ମିନାଲ ନିର୍ମାଣ ପାଇଁ ପ୍ରଶାସନିକ ଅନୁମୋଦିତ ହୋଇଥିଲା । ସମୁଦାୟ ଅର୍ଥର ୨୦ % ସ୍ଥାନୀୟ ପୌର ପରିଷଦ ପ୍ରଦାନ କରିଥିବା ବେଳେ ଅବଶିଷ୍ଟ ୮୦% ନଗର ଉନ୍ନୟନ ବିଭାଗ ପ୍ରଦାନ କରିବାକୁ ସ୍ଥିର ହୋଇଥିଲା । ଅନ୍ୟ ପକ୍ଷରେ କାର୍ଯ୍ୟ ସମ୍ପାଦନ ପାଇଁ ବିଡ଼ିଏ (ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣ) ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ବିଡ଼ିଏ ପକ୍ଷରୁ ଜାଗା ଚିହ୍ନଟ ପରେ ବସ ଟର୍ମିନାଲର ପ୍ଳାନ ଅନୁମୋଦିତ କରାଯାଇଥିଲା । ତେବେ ବୈଷୟିକ ଦାୟିତ୍ୱବୋଧ, ଉତମ ମାନରେ ନିର୍ମାଣ ଓ ଶୀଘ୍ର କାର୍ଯ୍ୟ ସାରିବାକୁ ବିଡ଼ିଏ ପକ୍ଷରୁ ଏହାର ନିର୍ମାଣ ସମ୍ପାଦନା ରାସ୍ତା କୋଠାବାଡ଼ି ବିଭାଗକୁ ପ୍ରଦାନ କରାଯାଇଥିଲା । ଫଳରେ ବ୍ରହ୍ମପୁର ରାସ୍ତା ଓ କୋଠାବାଡ଼ି ନଂ-୧ ପକ୍ଷରୁ ଏହାର ଟେଣ୍ଡର କରାଗଲା । ଟେଣ୍ଡର ମୂଲ୍ୟରେ ଅଧିକ ୧୦% ମୂଲ୍ୟରେ ନିର୍ମାଣକାରୀ ଠିକା ସଂସ୍ଥା ସହ ୨୦୧୮ ପ୍ରାରମ୍ଭରେ କାର୍ଯ୍ୟାଦେଶ ଚୁକ୍ତି କରାଯାଇଥିଲା । ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରଶାସନିକ ଅନୁମୋଦନ ବେଳେ କାର୍ଯ୍ୟାଦେଶ ଚୁକ୍ତିର ୧୮ ମାସ ମଧ୍ୟରେ ପ୍ରୋଜେକ୍ଟ ଶେଷ ପାଇଁ ନିୟମ ରହିଛି । ପ୍ରୋଜେକ୍ଟରେ ଏକ ଟର୍ମିନାଲ ବିଲ୍ଡିଂ, ୨ଟି ଲେନର ଟ୍ରାନଜିଟି ବସ ରାସ୍ତା, ୩ଟି ଦୂରଗାମୀ ବସ ରହଣୀ ସେଡ଼୍, ଶୌଚାଳୟ, ୫ଟି ଦୋକାନ ଗୃହ ନିର୍ମାଣ ପାଇଁ ପ୍ଳାନରେ ଅନୁମୋଦିତ ହୋଇଥିଲା । ତେବେ ଶୌଚାଳୟ ଓ ଦୋକାନଗୃହ ନିର୍ମାଣ ନକରିବାକୁ ପ୍ରଥମରୁ ବିଭାଗୀୟ ଉଚ୍ଚ କର୍ତୁପକ୍ଷ କୁଆଡ଼େ ନିଷ୍ପତି ନେଇ ସାରିଛନ୍ତି । ଗତ ବର୍ଷ ଜୁନ ମାସରେ ନିର୍ମାଣ ସ୍ଥଳରେ ବ୍ୟବସାୟ କରୁଥିବା କ୍ଷୁଦ୍ର ବେପାରୀ, ଛୋଟ ଗାଡ଼ି ମାଲିକଙ୍କୁ ପ୍ରଶାସନ ପକ୍ଷରୁ ଷ୍ଟାଡ଼ିୟମ ପରିସରରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ବସଷ୍ଟାଣ୍ଡକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ପ୍ରଶାସନ ପକ୍ଷରୁ ବସ ଟର୍ମିନାଲ ନିର୍ମାଣ ୧ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପ୍ରତିଶୃତି କରାଯାଇଥିଲା । କିନ୍ତୁ ବିଭିନ୍ନ କାରଣ ସକାଶେ ବାରମ୍ବାର ନକ୍ସାରେ ପରିବର୍ତନ କରାଯାଇଥିଲା । ଠିକା ସଂସ୍ଥାକୁ ସୁହାଇବା ପାଇଁ ଉଚ୍ଚ ପଦସ୍ଥ ଯନ୍ତ୍ରୀଙ୍କ ମନମୁଖୀ କାରବାର ହେତୁ ନିର୍ମାଣ ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀ ମାନଙ୍କୁ ପରିବର୍ତନ କରାଗଲା । ଫଳରେ ନିର୍ମାଣରେ ବିଳମ୍ବ ହେତୁ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଜନ ଅସନ୍ତୋଷକୁ ଆଖି ଆଗରେ ରଖି ଗତ ଅଗଷ୍ଟ ମାସରୁ ପ୍ରଶାସନ ସ୍ତରରେ ଏହାର ଗତିଶୀଳତା ଓ କାମର ଅଗ୍ରଗତି ସମୀକ୍ଷା କରାଗଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ମାନେ ବହୁବାର ହିଂଜିଳି ଗ୍ରସ୍ତରେ ଆସି ବସ ଟର୍ମିନାଲ କାର୍ଯ୍ୟର ତଦାରଖ କରିଥିଲେ । ଉତମ ଗୁଣ ସମ୍ପନ କାର୍ଯ୍ୟ ସହ ଶୀଘ୍ର କାର୍ଯ୍ୟ ସମ୍ପାଦନ କରିବା ସକାଶେ ବିଭାଗୀୟ ଅଧିକାରୀ ମାନେ ନିର୍ଦ୍ଦେଶ ଜାରୀ କରିଥିଲେ । ପରିଶେଷରେ ଗଂଜାମ ଜିଲ୍ଲାପାଳ କୁଲାଙ୍ଗେ ଚଳିତ ନଭେମ୍ବର ୨୯ରେ ହିଂଜିଳି ଗ୍ରସ୍ତରେ ଆସି ଡ଼ିସେମ୍ବର ୨୦ ତାରିଖ ସୁଦ୍ଧା ବସ ଟର୍ମିନାଲ କାର୍ଯ୍ୟ ଶେଷ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ତେବେ ଜିଲ୍ଲାପାଳ, ସଚିବ ଓ ଅନ଼୍ୟାନ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକୁ ବେଖାତିର କରିଛନ୍ତି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର । ଇତି ମଧ୍ୟରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ହୋଇ ସାରିଛି । ଅନ୍ୟପକ୍ଷରେ କାମ ପାଇଁ ପାଣ୍ଠି ନଥିବା ଆଲୋଚନା ହେଉଛି । କେତେ ଖର୍ଚ୍ଚ ହୋଇଛି ଆଉ ୍େକତେ ଖର୍ଚ୍ଚ ହେବ ତାହାର ସଠିକ ତଥ୍ୟ ରଖାଯାଉନାହିଁ କି ନିର୍ମାଣ ସ୍ଥଳରେ ଫଳକ ଲାଗି ନାହିଁ । ଉଦ୍ଦେଶ୍ୟ ମୂଳକ ଭାବେ କିଛି କ୍ଷମତାଶାଳୀ ବ୍ୟକ୍ତିଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ନିର୍ମାଣ କାର୍ଯ୍ୟ ଅଗକୁ ବଢୁନଥିବା ଅଭିଯୋଗ ଉଠିଛି । ଅତ୍ୟଧିକ ବ୍ୟୟବହୁଳ କରି ଠିକାସଂସ୍ଥାକୁ ସୁହାଇବା ପାଇଁ ଯୋଜନା ହେଉଥିବା ଅଭିଯୋଗ ହେଉଛି । ଫଳରେ ବସ ଟର୍ମିନାଲ ନିର୍ମାଣରେ ବିଳମ୍ବ ଘଟୁଛି । ଛୋଟ ଯାନବାହାନ ମାଲିକ, ବସଷ୍ଟାଣ୍ଡ ଉପରେ ନିର୍ଭର କରୁୂଥିବା ବେପାରୀ ମାନେ ଘୋର ଆର୍ଥୀକ ଓ ମାନସିକ ଅଶାନ୍ତିରେ ଗତି କରୁଛନ୍ତି । ଆଗାମୀ ଦିନରେ ସ୍ଥାନୀୟ ଅଂଚଳର ବ୍ୟବସାୟୀ ଓ ବୁଦ୍ଧିଜୀବି ପକ୍ଷରୁ ପ୍ରଶାସନ ବିରୋଧରେ ଏକ ବିରାଟ ଜନ ଆନ୍ଦୋଳନ ଗଢି ଉଠିବ ବୋଲି ଚେତାବନି ଦିଆଯାଇଛି ।


