ଆନ୍ଧ୍ର ମହିଳା ସମାଜମ ପକ୍ଷରୁ ତେଲୁଗୁ ଭାଷା ଦିବସ ପାଳିତ
ବ୍ରହ୍ମପୁର,(ଅନିଲ କୁମାର): ଆନ୍ଧ୍ର ମହିଳା ସମାଜମ ଗୃହରେ ତେଲୁଗୁ ଭାଷା ଦିବସ ପାଳିତ ହୋଇଯାଇଛି। ଆନ୍ଧ୍ର ମହିଳା ସମାଜମ ସଭାନେତ୍ରୀ ଏମ କାମେଶ୍ୱରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କେ ପି କ୍ରିଷ୍ଣା ରାଓ, ଏମ ଚନ୍ଦ୍ରଶେଖର ଅତିଥି ରୂପେ ଯୋଗ ଦେଇଥିଲେ। ବ୍ରହ୍ମପୁରରେ ଥିବା ତେଲୁଗୁ ଲୋକଙ୍କ ମଧ୍ୟରେ ଭାଷାର ବିକାଶ କିପରି ହେବ ସେ ନେଇ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ସମସ୍ତ ଅନୁଷ୍ଠାନ ମିଳିତ ଭାବେ ସହରରେ ଏକ ତେଲୁଗୁ ବାଡ଼ି (ତେଲୁଗୁ ସ୍କୁଲ) ଖୋଲିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ସେହି ସ୍ଥାନରେ ବିଭିନ୍ନ ଭାଷାରେ ପାଠ ପଢୁଥିବା ପିଲାଙ୍କୁ ତେଲୁଗୁ ଶିକ୍ଷା ପ୍ରଦାନ କରାଯିବ। ସେହିପରି ପରିବାରରେ ଶିଶୁଙ୍କ ମଧ୍ୟରେ ତେଲୁଗୁ ଭାଷାରେ ଭାବ ବିନିମୟ କରିବେ ବୋଲି ସମସ୍ତେ ଶପଥ ନେଇଥିଲେ। କାର୍ଯ୍ୟକ୍ରମକୁ ଆର ଶ୍ରୀନିବାସ ସଂଯୋଜନା କରିଥିବା ବେଳେ ମହିଳା ସମାଜମର ଶତାଧିକ ସଦସ୍ୟା ଉପସ୍ଥିତ ଥିଲେ।