ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ତଥା ବିଶିଷ୍ଟ ରାଜନୀତିଜ୍ଞ ପ୍ରଶାନ୍ତ କୁମାର ନାୟକଙ୍କ ପରଲୋକ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା, ଭଞ୍ଜନଗର, ଘୁମୁସର ତଥା ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା, ବିଶିଷ୍ଟ ରାଜନୀତିଜ୍ଞ, ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲା ଚେୟାରମେନ ସଙ୍ଘ ସଭାପତି ରୋଟାରିଆନ୍ ପ୍ରଶାନ୍ତ କୁମାର ନାୟକଙ୍କ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୦ ବର୍ଷ ବୟସ ହୋଇଥିଲା ।ସେ ଏକାଧାରରେ ଜଣେ ରାଜନେତା ନଥିଲେ ତା ସହିତ ଜଣେ ବାଗ୍ମୀ ବିଚକ୍ଷଣ ବିଦ୍ୱାନ ବ୍ୟକ୍ତିତ୍ଵ ଥିଲେ । ସେ ୨୦୦୨ରୁ ୨୦୦୭ ବେଲଗୁଣ୍ଠା ବ୍ଳକର ଅଧ୍ୟକ୍ଷ ପଦ ମଣ୍ଡନ କରି ଥିଲେ । ଏହି ଅବଧିରେ ସେ ବେଲଗୁଣ୍ଠା ବ୍ଳକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ମୁଖ୍ୟ ପୁରୋଧା ସାଜିଥିଲେ ।ବିଶେଷ କରି ବେଲଗୁଣ୍ଠା ବ୍ଳକକୁ ସବୁଜିମାରେ ପରିଣତ କରିବାକୁ ଆହ୍ୱାନ ଦେଇ ନିଜ ତରଫରୁ ପ୍ରକୃତି ବନ୍ଧୁ,ପ୍ରକୃତି ମିତ୍ର ପୁରସ୍କାର ପ୍ରଚଳନ କରିଥିଲେ ଏବଂ ପ୍ରତି କାରଗିଲ୍ ଦିବସରେ ବ୍ଳକର ବିଭିନ୍ନ ଅଞ୍ଚଳରେ ବୃକ୍ଷରୋପଣକୁ ପ୍ରୋତ୍ସାହନ ଦେଇ ଆସୁଥିଲେ । ପରେ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ବଡବୋରସିଂ ପଞ୍ଚାୟତର ସମିତି ସଭ୍ୟ ରୁପେ ନିର୍ବାଚିତ ହୋଇଥିଲେ । ୨୦୨୨ରୁ ପୁଣି ଧୁମୁଛାଇ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନରେ ଦ୍ୱିତୀୟ ଥର ପାଇଁ ବସିଥିଲେ ଏବଂ ଏଥି ସହିତ ଗଞ୍ଜାମ ଜିଲ୍ଲା ଏନ୍.ଏ.ସି ବ୍ଳକର ମିଳିତ ଅଧ୍ୟକ୍ଷ ସଂଘର ସଭାପତି ଭାବେ ମନୋନୀତ ହୋଇଥିଲେ। ଗତ ଏକ ବର୍ଷ ହେଲା ସ୍ୱାସ୍ଥ୍ୟଜନିତ କାରଣରୁ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହୋଇ ଆସୁଥିଲେ । କିଛି ଦିନ ତଳେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥାଇ ଗାଁ କୁ ଆସିଥିବା ବେଳେ ବୁଧବାର ରାତ୍ରିରେ ରକ୍ତଚାପ ବଢିଯିବାରୁ ପୁଣି ଏମ୍ସରେ ଭର୍ତି କରାଯାଇଥିଲା ।ସନ୍ଧ୍ୟା ୭.୪୦ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବିୟୋଗ ଘଟିଥିଲା । ତାଙ୍କର ଗୋଟିଏ ପୁଅ ଡ଼ାଃ ସଂଗ୍ରାମ ନାୟକ ଗଜପତି ଜିଲ୍ଲାରେ ସରକାରୀ ଡାକ୍ତର ଭାବେ କାର୍ଯ୍ୟରତ ଥିବା ବେଳେ ଝିଅ ସଙ୍ଘମିତ୍ରା ଆମେରିକାର ସ୍ୱାମୀ ସହିତ ଅବସ୍ଥାପିତ, ଧର୍ମପତ୍ନୀ ସବିତା ନାୟକ ୨୦୧୨ରୁ ୨୦୧୭ ଧୁମୁଛାଇ ପଞ୍ଚାୟର ସମିତି ସଭ୍ୟ ରୂପେ ନିର୍ବା।ଚିତ ହୋଇଥିଲେ ।ସେ ଗଞ୍ଜାମ ଜିଲ୍ଲା ଭାରତ ଜ୍ଞାନ ବିଜ୍ଞାନ ଶିବିରର ସଭାପତି, ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ, ରୋଟାରୀ କ୍ଳବ୍ ଭଞ୍ଜନଗର ର ପୁର୍ବତନ ସଭାପତି, ରାଜ୍ୟ ବିଜେଡି ର ସହ-ସମ୍ପାଦକ ତଥା ବିଜେଡି ପ୍ରତିଷ୍ଠା ଦିନଠାରୁ ୨୦୨୨ ପର୍ଯ୍ୟନ୍ତ ବେଲଗୁଣ୍ଠା ବ୍ଳକ ବିଜେଡି ସଭାପତି ଭାବେ ନିଜର ପରକାଷ୍ଠା ଦେଖାଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଯେ କୌଣସି ବିଷୟରେ ନିଜ ବକ୍ତବ୍ୟରେ ଶ୍ରୋତାଙ୍କୁ ମନ୍ତ୍ର ମୁଗ୍ଧ କରିଆସୁଥିଲେ ।
ଦଳମତ ନିର୍ବିଶେଷରେ ସେ ଜଣେ ମିଷ୍ଟଭାଷୀ, ପରୋପକାରୀ,ଧର୍ମପରାୟଣ, ବିଦ୍ୱାନ ବ୍ୟକ୍ତିତ୍ଵ ଥିଲେ ।
ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯିଥିବା ବେଳେ ବେଲଗୁଣ୍ଠା ବିଜେଡି, ସୋରଡ଼ା ନିର୍ବାଚନ ମଣ୍ଡଳୀ ବିଜେଡି, ବେଲଗୁଣ୍ଠା ପ୍ରେସ୍ କ୍ଳବ,ବଣିକ ସଂଘ, ଭଞ୍ଜନଗର ରୋଟାରୀ କ୍ଲବ,ତଥା ବିଭିନ୍ନ ସଙ୍ଗଠନ ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ